ଧାମନଗର ଉପନିର୍ବାଚନ: ୫୦% ବୁଥ୍‌ରେ ହେବ ୱେବ୍‌କାଷ୍ଟିଙ୍ଗ

39

ଭୁବନେଶ୍ୱର: ଧାମନଗର ଉପନିର୍ବାଚନରେ ୫୦% ବୁଥ୍‌ରେ ୱେବ୍‌କାଷ୍ଟିଙ୍ଗ କରାଯିବ । ଚିହ୍ନଟ ୧୦୬ଟି ସମ୍ବେଦନଶୀଳ ବୁଥ୍‌ରେ ନଜର ରଖିବେ ୨୬ ମାଇକ୍ରୋ ପର୍ଯ୍ୟବେକ୍ଷକ । ଏଥିସହ ଉପନିର୍ବାଚନ କାର୍ଯ୍ୟ ପର୍ଯ୍ୟବେକ୍ଷଣ ଲାଗି ନିର୍ବାଚନ ଆୟୋଗଙ୍କ ଦ୍ୱାରା ଦୁଇଜଣ ବାହାର ରାଜ୍ୟର ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତ କରାଯାଇଛି । ସାଧାରଣ ପର୍ଯବେକ୍ଷକ ଭାବେ ପଶ୍ଚିମବଙ୍ଗ କ୍ୟାଡର୍‌ର ଭାରତୀୟ ପ୍ରଶାସନିକ ସେବାର ବରିଷ୍ଠ ଅଧିକାରୀ ନିରଞ୍ଜନ କୁମାର ନିଯୁକ୍ତ ହୋଇଥିବାବେଳେ ବ୍ୟୟ ପର୍ଯ୍ୟବେକ୍ଷକ ଭାବେ ଭାରତୀୟ ରାଜସ୍ୱ ସେବାର ବରିଷ୍ଠ ଅଧିକାରୀ ପ୍ରଣେଶ୍ ଗୁପ୍ତାଙ୍କୁ ନିଯୁକ୍ତ ହୋଇଛନ୍ତି । ସେହିପରି ବର୍ତ୍ତମାନ ସୁଦ୍ଧା ଆଦର୍ଶ ଆଚରଣବିଧି ଉଲ୍ଲଘଂନ ଅଭିଯୋଗରେ ୨୭ଟି କେସ୍ ଋଜୁ ହୋଇଛି । ଫଳରେ ସ୍ୱଚ୍ଛ, ମୁକ୍ତ ଓ ଅବାଧ ଉପନିର୍ବାଚନ ସମ୍ଭବ ହେବ । ବୁଧବାର ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ସାମ୍ବାଦିକ ସମ୍ମିଳନୀରେ ଏହା ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ଧାମନଗର ବିଧାନସଭା ନିର୍ବାଚନ ମଣ୍ଡଳୀରେ ହେବାକୁ ଥିବା ଉପନିର୍ବାଚନ ପ୍ରକ୍ରିୟା ସୁରୁଖୁରୁରେ ଚାଲୁ ରହିଛି । ତେବେ ଆଦର୍ଶ ଆଚରଣବିଧି ଉଲଂଘନ କରି ଏକ ନିର୍ଦ୍ଦିଷ୍ଟ ଭିଡ଼ିଓ ଫୁଟେଜ୍ (ଦୁଇଜଣ ମହିଳାଙ୍କ କଥୋପକଥନ) ଲୋକଲୋଚନକୁ ଆସିବାର ୪୮ ଘଣ୍ଟା ଭିତରେ ଏହାର ତଦନ୍ତ କରାଯାଇ ଧାମନଗର ଥାନା କେସ୍ ନଂ ୩୯୧/୨୪ଅକ୍ଟୋବର୨୦୨୨ରେ ଭାରତୀୟ ପିଙ୍ଗଳ କୋର୍ଡ଼ ଧାରା ୧୭୧(ଇ) ଉପଧାରା ୧୨୩(୧)/୧୩୪ ଲୋକପ୍ରତିନିଧି ଆଇନ ଅନୁସାରେ କେସ୍ ରୁଜୁ କରାଯାଇଛି । ସେହିପରି ଅନ୍ୟ ଏକ ଭିଡ଼ିଓ ଫୁଟେଜ୍‌ରେ ଆଦର୍ଶ ଆଚରଣବିଧି ଉଲଂଘନ ଅଭିଯୋଗ ହୋଇଛି । ଫଳରେ ୨୪ ଘଣ୍ଟା ଭିତରେ ସଂପୃକ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇ ୧୯୫୧ ଲୋକପ୍ରତିନିଧି ଆଇନର ଧାରା ୧୨୩(୧)/୧୨୩(୨) କ(ଆଇ)/୧୨୩ (୩କ)ରେ ଧାମନଗର ଜେଏମ୍‌ଏଫ୍‌ସି କୋର୍ଟରେ କେସ୍ ରୁଜୁ କରାଯାଇଛି । ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି ଯେ, ଉପନିର୍ବାଚନ ପାଇଁ ଆବଶ୍ୟକ ହେଉଥିବା ପର୍ଯ୍ୟାପ୍ତ ପରିମାଣର ଇଭିଏମ୍ ଓ ଭିଭିପ୍ୟାଟ୍ ରିଟର୍ଣ୍ଣିଂ ଅଧିକାରୀଙ୍କ ସ୍ତରରେ ଗଚ୍ଛିତ ଅଛି । ଆସନ୍ତା ନଭେମ୍ବର ୧ରେ ପୁଲିଙ୍ଗ୍ ପାର୍ଟିମାନେ ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ନିର୍ବାଚନ ସାମଗ୍ରୀ ଧରି ଭୋଟଗ୍ରହଣ ନିମନ୍ତେ ନିଜ ନିଜ ବୁଥ୍‌ଗୁଡ଼ିକୁ ଯିବେ । ସମୁଦାୟ ୨୫୨ ବୁଥ୍ ମଧ୍ୟରୁ ୧୦୬ ଗୋଟି ବୁଥ୍‌କୁ ସମ୍ବେଦନଶୀଳ ବୁଥ୍ ଭାବେ ଚିହ୍ନଟ କରାଯାଇଛି ଓ ସେସବୁ ବୁଥ୍‌ରେ ଶାନ୍ତିଶୃଙ୍ଖଳା ସହ ଭୋଟ ଗ୍ରହଣ ନିମନ୍ତେ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଉପନିର୍ବାଚନକୁ ପରିଚାଳନା କରିବା ପାଇଁ ସମୁଦାୟ ୧୧୦୮ ଜଣ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି । ଏହା ମଧ୍ୟରେ ସେମାନଙ୍କର ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ତାଲିମ କାର୍ଯ୍ୟକ୍ରମ ସମାପ୍ତ ହୋଇଯାଇଛି । ଉପନିର୍ବାଚନକୁ ନିରପେକ୍ଷ ଭାବେ ପରିଚାଳନା କରିବା ନିମନ୍ତେ ପ୍ରଶାସନ ତରଫରୁ ଧାମନଗର ବିଧାନସଭା ନିର୍ବାଚନ ମଣ୍ଡଳୀର ବାସିନ୍ଦା, ନିର୍ବାଚନ ମଣ୍ଡଳୀର ଭୋଟର ହୋଇଥିବା କର୍ମଚାରୀମାନଙ୍କୁ ଉପନିର୍ବାଚନ କାର୍ଯ୍ୟରେ ନିୟୋଜିତ କରାଯାଇ ନାହିଁ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ଉକ୍ତ ଉପନିର୍ବାଚନ କାର୍ଯ୍ୟ ପରିଚାଳନା ନିମନ୍ତେ ଧାମନଗର ନିର୍ବାଚନ ମଣ୍ଡଳୀ ବାହାରର କର୍ମଚାରୀମାନଙ୍କୁ ନିୟୋଜିତ କରାଯାଇଛି । ଏପରିକି ଯେଉଁମାନେ ସ୍ଥାୟୀ କର୍ମଚାରୀ ନୁହନ୍ତି, ସେମାନଙ୍କୁ ନିର୍ବାଚନ କାର୍ଯ୍ୟରେ ନିୟୋଜିତ କରାଯାଇନାହିଁ । ଶ୍ରୀ ଲୋହାନୀ କହିଥିଲେ, ଉପନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହ ପରିଚାଳନା ନିମନ୍ତେ ନିର୍ବାଚନ ମଣ୍ଡଳୀ ମଧ୍ୟରେ ଆଇନଶୃଙ୍ଖଳା ରକ୍ଷା ସହ ବିଭିନ୍ନ ସ୍ଥାନରେ କଡ଼ାକଡ଼ି ଭାବେ ଯାଞ୍ଚ କରାଯାଉଛି ଓ ବର୍ତ୍ତମାନ ସୁଦ୍ଧା ୬୪୧ଟି ଅସ୍ତ୍ରଶସ୍ତ୍ର ଜବତ ସହ ୧୯୦୯ ଜଣ ବ୍ୟକ୍ତିଙ୍କୁ ସିଆରପିସି ଧାରା ୧୦୭/୧୧୬ ଅନୁସାରେ ଅଟକ କରାଯାଇଛି ।୧୭୨ ଜଣ ବ୍ୟକ୍ତିଙ୍କ ବିରୁଦ୍ଧରେ ଜାମିନବିହୀନ ପରୱାନା ଜାରି କରାଯାଇଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସାମ୍ବାଦିକ ସମ୍ମିଳନୀରେ ଜଣାଇଛନ୍ତି । ଅବକାରୀ ବିଭାଗ ଦ୍ୱାରା ୧୫ ଲକ୍ଷରୁ ଅଧିକ ଟଙ୍କାର ମଦ ଜବତ କରାଯାଇଛି । ଜନସାଧାରଣଙ୍କ ସଂପତ୍ତି, କୋଠାବାଡ଼ି, ବିଦ୍ୟାଳୟ, ମହାବିଦ୍ୟାଳୟ ଇତ୍ୟାଦିକୁ ବିକୃତ କରି ପୋଷ୍ଟର, ବ୍ୟାନର ଆଦି ମାରିବା ଅଭିଯୋଗରେ ୧୨୮୭ ଗୋଟି କେସ୍ କରାଯାଇଛି ବୋଲି ସେ ପ୍ରକାଶ କରିଥିଲେ ।

Comments are closed, but trackbacks and pingbacks are open.