ପାର୍ବଣ ଋତୁ ପୂର୍ବରୁ ସୁରକ୍ଷା ପ୍ରସ୍ତୁତି ପାଇଁ ଡିଜିପିଙ୍କ ନିର୍ଦ୍ଦେଶ

12

କଟକ: ରାଜ୍ୟ ପୋଲିସ ମୁଖ୍ୟାଳୟରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ବିନୟତୋଷ ମିଶ୍ରଙ୍କ ଅଧ୍ୟକ୍ଷତାରେ କେନ୍ଦ୍ରାଞ୍ଚଳ ରେଞ୍ଜ ଅଧୀନସ୍ଥ ଜିଲ୍ଲାଗୁଡ଼ିକର ଆଇନ-ଶୃଙ୍ଖଳା, ଅପରାଧ ନିୟନ୍ତ୍ରଣ ଓ ପୋଲିସ ବ୍ୟବସ୍ଥା ସମ୍ପର୍କିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ କେନ୍ଦ୍ରାଞ୍ଚଳ ରେଞ୍ଜ ଅଧୀନସ୍ଥ ଜିଲ୍ଲାଗୁଡ଼ିକର ଆଇନ-ଶୃଙ୍ଖଳା, ଅପରାଧ ନିୟନ୍ତ୍ରଣ ଓ ପୋଲିସ ବ୍ୟବସ୍ଥା ସମ୍ପର୍କରେ ଆଲୋଚନା ହୋଇଥିଲା । ବୈଠକରେ ଜିଲ୍ଲାଗୁଡ଼ିକର ସାମଗ୍ରିକ ଆଇନ-ଶୃଙ୍ଖଳା ସ୍ଥିତି ସହ ହତ୍ୟା, ଚୋରି, ଡକାୟତି ଓ ଲୁଣ୍ଠନ ଭଳି ଗୁରୁତର ଅପରାଧର ନିୟନ୍ତ୍ରଣ, ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁହାର ହ୍ରାସ, ଅବକାରୀ ଅପରାଧ ଦମନ, ‘ନିଶାମୁକ୍ତ ଓଡ଼ିଶା’ ଗଠନ ଦିଗରେ ପଦକ୍ଷେପ, ସାଇବର ଅପରାଧ, ମାମଲାର ତଦନ୍ତ ତ୍ୱରାନ୍ୱିତ କରି ସଠିକ୍ ସମୟରେ ଚାର୍ଜସିଟ୍ ଦାଖଲ ଏବଂ ଦଣ୍ଡାଦେଶ ହାର ବୃଦ୍ଧି ଆଦି ବିଷୟରେ ଡିଜିପି ଜିଲ୍ଲା ଏସ୍‌ପିମାନଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ।ଆଗାମୀ ଦିନରେ ଗଣେଶ ପୂଜା, ନୂଆଖାଇ, ବିଶ୍ୱକର୍ମା ପୂଜା, ଦୁର୍ଗାପୂଜା, ଗଜଲକ୍ଷ୍ମୀ ପୂଜା, ଦୀପାବଳି/କାଳୀପୂଜା, ଅଁଳା ନବମୀ, ପଞ୍ଚୁକ ଓ ବାଲିଯାତ୍ରା ଭଳି ଅନେକ ପର୍ବପର୍ବାଣୀ ଅନୁଷ୍ଠିତ ହେବାକୁ ଥିବାରୁ ସେଗୁଡ଼ିକୁ ଶାନ୍ତି, ଶୃଙ୍ଖଳା ଓ ସୁରକ୍ଷିତ ପରିବେଶରେ ସମ୍ପନ୍ନ କରିବା ପାଇଁ ଏବେଠାରୁ ଯୋଜନା ପ୍ରସ୍ତୁତ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ପାର୍ବଣ ସମୟରେ ସମ୍ବେଦନଶୀଳ ସ୍ଥାନଗୁଡ଼ିକରେ ପର୍ଯ୍ୟାପ୍ତ ପୋଲିସ ମୁତୟନ, ଭିଡ଼ ନିୟନ୍ତ୍ରଣ ଓ ସୁଚାରୁ ଟ୍ରାଫିକ ପରିଚାଳନା ଉପରେ ଡିଜିପି ଗୁରୁତ୍ୱାରୋପ କରିଥିଲେ। ଏଥିସହ ଶାନ୍ତି କମିଟି ବୈଠକ ଆୟୋଜନ କରିବା ସହ ସ୍ଥାନୀୟ ଜନପ୍ରତିନିଧି, ବିଭିନ୍ନ ସଂଗଠନ ଓ ସମ୍ପ୍ରଦାୟର ପ୍ରମୁଖ ବ୍ୟକ୍ତିବିଶେଷଙ୍କ ସହ ନିରନ୍ତର ସମନ୍ୱୟ ରକ୍ଷା କରିବାକୁ ସେ ଏସ୍‌ପିମାନଙ୍କୁ ପରାମର୍ଶ ଦେଇଥିଲେ। ସାମ୍ପ୍ରଦାୟିକ ଭାବେ ସମ୍ବେଦନଶୀଳ ଅଞ୍ଚଳରେ ନିୟମିତ ନଜର ରଖିବା ସହ ସମ୍ଭାବ୍ୟ ଅପ୍ରୀତିକର ଘଟଣାକୁ ପ୍ରତିହତ କରିବା ପାଇଁ ଆଗୁଆ ପ୍ରତିଷେଧମୂଳକ ପଦକ୍ଷେପ ଗ୍ରହଣ ଉପରେ ସେ ଗୁରୁତ୍ୱ ଦେଇଥିଲେ। ଅପରାଧ ନିୟନ୍ତ୍ରଣକୁ ଆହୁରି ପ୍ରଭାବଶାଳୀ କରିବା ଦିଗରେ ଅଭ୍ୟାସଗତ ଅପରାଧୀ ଓ ସଂଗଠିତ ଅପରାଧୀଙ୍କ ଗତିବିଧି ଉପରେ କଡ଼ା ନଜର ରଖି ସେମାନଙ୍କ ବିରୋଧରେ ଦୃଢ଼ ପଦକ୍ଷେପ ନେବା ସହିତ ବେଆଇନ ଗୋ-ଚାଲାଣ, ବେଆଇନ ଖଣିଜ ଉତ୍ତୋଳନ ଓ ପରିବହନ ରୋକିବା ପାଇଁ ନାକା ଚେକିଂ ଓ ପାଟ୍ରୋଲିଂକୁ ଅଧିକ ସୁଦୃଢ଼ କରିବା ସହ ନିୟମିତ ଚଢ଼ାଉ, ଯାନବାହନ ଯାଞ୍ଚ ଓ ଉଲ୍ଲଂଘନକାରୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ଏସ୍‌ପିମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।ସେହିପରି, ସୋସିଆଲ ମିଡିଆରେ ପ୍ରସାରିତ ଗୁଜବ, ଉତ୍ତେଜନାମୂଳକ, ଆପତ୍ତିଜନକ ଓ ବିଭ୍ରାନ୍ତିକର ତଥ୍ୟ ଉପରେ ନିରନ୍ତର ନଜର ରଖିବା ସହ ଏଭଳି ଅପପ୍ରଚାର ଉପରେ ନଜର ରଖିବାକୁ ଡିଜିପି ନିର୍ଦ୍ଦେଶ ଦେଇଛନ୍ତି l

Comments are closed, but trackbacks and pingbacks are open.