ଏନ୍‌ସିଇଆରଟି ଅଷ୍ଟମ ଶ୍ରେଣୀ ଦ୍ୱିତୀୟ ଖଣ୍ଡରେ ପାଇକବିଦ୍ରୋହର ବିସ୍ତୃତ ଅଧ୍ୟାୟ

311

ଭୁବନେଶ୍ୱର: ଜାତୀୟ ଶିକ୍ଷା ଗବେଷଣା ଏବଂ ପ୍ରଶିକ୍ଷଣ ପରିଷଦ (ଏନ୍‌.ସି.ଇ.ଆର୍‌.ଟି)ର ନୂତନ ଅଷ୍ଟମ ଶ୍ରେଣୀ ସାମାଜିକ ପାଠ୍ୟପୁସ୍ତକରୁ ଓଡ଼ିଶାର ଐତିହାସିକ ପାଇକ ବିଦ୍ରୋହ ଅଧ୍ୟାୟ ଉଚ୍ଛେଦ ନେଇ ହେଉଥିବା ଅଭିଯୋଗକୁ ଆଜି ପରିଷଦ ପକ୍ଷରୁ ପ୍ରେସ୍ ବିଜ୍ଞପ୍ତି ମାଧ୍ୟମରେ ଖଣ୍ଡନ କରାଯାଇଛି। କୁହାଯାଇଛି ଯେ, ପ୍ରଥମ ପର୍ଯ୍ୟାୟରେ ଏନ୍‌.ସି.ଇ.ଆର୍‌.ଟି ଅଷ୍ଟମ ଶ୍ରେଣୀର ସାମାଜିକ ବିଜ୍ଞାନ ପାଠ୍ୟପୁସ୍ତକ ପ୍ରଥମ ଖଣ୍ଡ ‘ଏକ୍ସପ୍ଲାରିଂ ସୋସାଇଟି: ଇଣ୍ଡିଆ ଆଣ୍ଡ ବିୟଣ୍ଡ’ରେ ଦି କଲୋନିଆଲ୍ ଏରା ଇନ୍ ଇଣ୍ଡିଆ ଚାପ୍ଟରରେ ଓଡ଼ିଶା ପାଇକ ବିଦ୍ରୋହ ବାଦ୍ ପଡ଼ିଥିବା ନେଇ ଚର୍ଚ୍ଚା ହୋଇଥିଲା। ଦ୍ୱିତୀୟ ଖଣ୍ଡରେ ଆଞ୍ଚଳିକ ଜନ ଆନ୍ଦୋଳନ ଓ ସଶସ୍ତ୍ର ବିଦ୍ରୋହ ସଂପର୍କିତ ବିଷୟ ସ୍ଥାନିତ ହେବ। ଏହି ପାଠ୍ୟପୁସ୍ତକର ଦ୍ୱିତୀୟ ଖଣ୍ଡ ଏବେ ଚୂଡ଼ାନ୍ତ ପର୍ଯ୍ୟାୟରେ ରହିଛି। ଓଡ଼ିଶାର ଅପାଇକବିଦ୍ରୋହ, ପଞ୍ଜାବର କୁକା ବିଦ୍ରୋହ, ଶିଖ୍ ବିଦ୍ରୋହ ଆଦି ଅନେକ ଆଞ୍ଚଳିକ ବିଦ୍ରୋହକୁ ଅନ୍ତର୍ଭୁକ୍ତ କରାଯାଇ ଚଳିତ ବର୍ଷ ଅକ୍ଟୋବର ମାସରେ ଏହା ପ୍ରକାଶ କରାଯିବ। ଏନ୍‌.ସି.ଇ.ଆର୍‌.ଟିର ନିଜ ‘ଏକ୍ସ’ ପୋଷ୍ଟରେ ଆଜି ମଧ୍ୟ ଏଥିନେଇ ସ୍ପଷ୍ଟୀକରଣ ଦିଆଯାଇଛି। ଦ୍ୱିତୀୟ ଖଣ୍ଡରେ ଭାରତବର୍ଷର ପ୍ରମୁଖ ଆଞ୍ଚଳିକ ବିଦ୍ରୋହ ବିଶେଷତଃ ଓଡ଼ିଶାର ପାଇକ ବିଦ୍ରୋହ ବିସ୍ତୃତ ଭାବେ ସ୍ଥାନ ପାଇବ। ଏହା ଫଳରେ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀ ଆମ ଦେଶର ଗୌରବମୟ ଇତିହାସ ସହ ଆଞ୍ଚଳିକ ବିବିଧତାର ବୈଶିଷ୍ଟ୍ୟ ବିଷୟରେ ଅବଗତ ହୋଇପାରିବେ । ତେଣୁ ପାଇକ ବିଦ୍ରୋହ ବାଦ୍ ପଡ଼ିଛି ବୋଲି ଉଠୁଥିବା ଚର୍ଚ୍ଚାକୁ ଆଦୌ ସତ୍ୟ କି ତଥ୍ୟ ଆଧାରିତ ଭାବେ ଗ୍ରହଣ ନ କରିବାକୁ ପରିଷଦ ପକ୍ଷରୁ ସ୍ପଷ୍ଟୀକରଣ କରାଯାଇଛି।

Comments are closed, but trackbacks and pingbacks are open.