ଡିଜିଟାଲ ଫସଲ ସର୍ବେକ୍ଷଣ ନେଇ ଉପମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ

178

ଭୁବନେଶ୍ୱର : ଆଜି ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଡିଜିଟାଲ ଫସଲ ସର୍ବେକ୍ଷଣର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇ ଯାଇଛି I ମାନ୍ୟବର ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଏହାର ଅଧ୍ୟକ୍ଷତା କରିଥିଲେ । ଏହି ବୈଠକରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ, କୃଷି ନିର୍ଦ୍ଦେଶକ ଶ୍ରୀ ପ୍ରେମଚନ୍ଦ୍ର ଚୌଧରୀ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ବୃନ୍ଦ ଯୋଗଦେଇଥିଲେ। ରାଜ୍ୟର ସମସ୍ତ ଜିଲ୍ଲାରୁ ଜିଲ୍ଲାପାଳମାନେ ଭିଡ଼ିଓ କନଫରେନ୍ସ ଜରିଆରେ ଯୋଗଦେଇଥିଲେ ।

ଇ- ଚାଷ ଆପ୍ ଜରିଆରେ ଡିଜିଟାଲ ଫସଲର ସର୍ବେକ୍ଷଣ କରାଯାଉଛି, ଯେଉଁଥିରେ କୃଷକଙ୍କ ଫସଲ ଓ ଚାଷଜମିର ତଥ୍ୟ ସରକାରଙ୍କ ପାଖରେ ପହଂଚି ପାରୁଛି । ଏହି ସର୍ବେକ୍ଷଣ ସେପ୍ଟେମ୍ବର ମାସ ୩୦ ତାରିଖ ପର୍ଯ୍ୟନ୍ତ ଜାରି ରହିବ ।
ସର୍ବେକ୍ଷଣ ଆଧାରରେ ଚାଷୀମାନେ ସିଏମ୍- କିଷାନ ତଥା ଅନେକ ଅନ୍ଯ ଯୋଜନା ଅନ୍ତର୍ଗତ ଆର୍ଥିକ ସୁବିଧା ପାଇ ପାରିବେ । ଏବଂ ଏହାର ପ୍ରଥମ କିସ୍ତି ଆସନ୍ତା ସେପ୍ଟେମ୍ବର ୮ ତାରିଖ ନୁଆଁଖାଇ ଦିନ ଡିବିଟି ମାଧ୍ଯମରେ ପ୍ରଦାନ କରାଯିବ। ବାଦ ପଡିଥିବା ସମସ୍ତ ଯୋଗ୍ୟ ଚାଷୀ ଏହା ଦ୍ୱାରା ଉପକୃତ ହୋଇପାରିବେ ବୋଲି ମନ୍ତ୍ରୀ ଶ୍ରୀ ସିଂହଦେଓ କହିଥିଲେ ।
କୃଷକଙ୍କ ତଥ୍ୟ ଏକ ରେଜିଷ୍ଟ୍ରିରେ ID ସହ ରହିବ। ଏଥିପାଇଁ ପ୍ରତିଜିଲ୍ଳାରେ ନୋଡାଲ ଅଧିକାରୀ ମାନେ ରହିବେ ଓ ସେମାନେ ପ୍ରତ୍ୟକ୍ଷ ଭାବେ କ୍ଷେତ୍ର ପରିଦର୍ଶନରେ ଯାଇ ସର୍ବେକ୍ଷଣର ଅନୁଧ୍ୟାନ କରିବେ । ବାଦ ପଡିଯାଇଥିବା ଯୋଗ୍ୟ ହିତାଧିକାରୀଙ୍କ ତଥ୍ୟ ସଂଗ୍ରହ କରି ବିଭାଗକୁ ଜଣାଇବେ । ଏ ନେଇ ଏକ ମାର୍ଗଦର୍ଶିକା ତିଆରି ହେବ ଓ ସିଏମ୍ କିଷାନ ପୋର୍ଟାଲ ବର୍ଷ ତମାମ ଖୋଲା ରହିବ ବୋଲି ପ୍ରମୁଖ ଶାସନ ସଚିବ ଡ. ପାଢ଼ୀ କହିଛନ୍ତି । ରାଜ୍ଯରେ କୃଷି ଓ କୃଷକର ଉନ୍ନତି ପାଇଁ ଡିଜିଟାଲ୍ ପ୍ରଯୁକ୍ତି ବ୍ଯବହାର କ୍ଷେତ୍ରରେ ଓଡିଶା ସମଗ୍ର ଦେଶରେ ଏକ ଅଗ୍ରଣୀ ରାଜ୍ଯ ଭାବେ ଅଗ୍ରସର ହେଉଛି।

ଚାଷୀମାନେ ନୂଆ ପୋର୍ଟାଲ ଜରିଆରେ ଆବେଦନ କିମ୍ବା ତଥ୍ୟ ଅପଡେଟ କରିବା ପାଇଁ କୌଣସି ପ୍ରକାର ଦେୟ ପ୍ରଦାନ କରିବେ ନାହିଁ । ଏହାର ସମସ୍ତ ଖର୍ଚ୍ଚ ସରକାର ବହନ କରିବେ ।

Comments are closed, but trackbacks and pingbacks are open.