ସାରା ରାଜ୍ୟରେ ଜାରି ରହିଛି ହାଡଭଙ୍ଗା ଶୀତ ସାଙ୍ଗକୁ ଘନ କୁହୁଡ଼ି

145

ଭୁବନେଶ୍ୱର :ଓଡ଼ିଶାର ଘନ କୁହୁଡ଼ିର ଆଶଙ୍କା ଥିବା ୬ଟି ଜିଲ୍ଲା ସୁନ୍ଦରଗଡ଼, ଝାରସୁଗୁଡ଼ା, କଳାହାଣ୍ଡି, କନ୍ଧମାଳ, କୋରାପୁଟ ଏବଂ ସମ୍ବଲପୁର ଆର୍‌ଟିଓ (ଆଞ୍ଚଳିକ ପରିବହନ ଅଧିକାରୀ)ମାନଙ୍କୁ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି । ଏହିସବୁ ଜିଲ୍ଲାର ଆର୍‌ଟିଓମାନେ କୁହୁଡ଼ିରେ କିପରି ଦୁର୍ଘଟଣା ହ୍ରାସ କରାଯାଇ ପାରିବ ସେ ଦିଗରେ ଆବଶ୍ୟକ ପଦକ୍ଷେପ ନେବେ । ଏଥିପାଇଁ ଗାଡ଼ି ଚାଳକଙ୍କୁ ସଚେତନ କରାଯିବ । ପ୍ରତ୍ୟେକ ଆର୍‌ଟିଓମାନେ ସେମାନଙ୍କ ଅଞ୍ଚଳରେ ଏନ୍‌ଫୋର୍ସମେଣ୍ଟକୁ ଗୁରୁତ୍ୱ ଦେବାକୁ କୁହାଯାଇଛି । ଏହି ପରିପ୍ରେକ୍ଷୀରେ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ନିର୍ଦ୍ଦେଶକ୍ରମେ ମାର୍ଗଦର୍ଶିକା ଜାରି କରାଯାଇଛି lଦୃଶ୍ୟମାନତା ଅନୁସାରେ ଧୀର ଗତିରେ ଗାଡ଼ି ଚାଳନା,  ଲୋ-ବିମ୍ ହେଡଲାଇଟ୍ ବ୍ୟବହାର କରିବା, ସାମ୍ନାରେ ଥିବା ଗାଡ଼ିଠୁ ନିରାପଦ ଦୂରତା ବଜାୟ ରଖିବା, ପାର୍କିଂ ଲାଇଟ୍ ଏବଂ ଟେଲ୍ ଲାଇଟ୍ ସଠିକ ଭାବେ ଚାଲୁ ରଖିବା, ଘାଟି ତଥା ମୋଡ଼ରେ ସାବଧାନତା ସହ ଆଗକୁ ବଢ଼ିବା, ଯଦି ଦୃଶ୍ୟମାନତା କମ୍ ହୁଏ ତେବେ ଗାଡ଼ି ନ ଚଳାଇ ସୁରକ୍ଷିତ ସ୍ଥାନରେ ପାର୍କିଂ କରିବାକୁ ପରାମର୍ଶ ଦିଆଯାଇଛି ।   ଏଥିସହ  କୁହୁଡ଼ିରେ ଓଭରଟେକ୍ ନକରିବାକୁ, ହଠାତ୍ ବ୍ରେକ୍ ନ ମାରିବା,  ରାସ୍ତା ମଝିରେ ଯାନ ନ ରଖିବାକୁ ମାର୍ଗଦର୍ଶିକାରେ ଉଲ୍ଲେଖ ରହିଛି ।  ସେପଟେ ସାରା ରାଜ୍ୟରେ ଜାରି ରହିଛି ଶୀତ ଲହରୀ । କନ୍ଧମାଳ ଜିଲ୍ଲାରେ ମଧ୍ୟ ପ୍ରଚଣ୍ଡ ଥଣ୍ଡା। ମାସେରୁ ଊର୍ଦ୍ଧ୍ବ ସମୟ ହେବ ଶୀତ ଲହରୀ ସାଙ୍ଗକୁ ଘନ କୁହୁଡି ।

Comments are closed, but trackbacks and pingbacks are open.