ରାଜଧାନୀରେ ଡେଙ୍ଗୁ ଆତଙ୍କ ୧ ମୃତ
ରାଜଧାନୀ ପୁଣି ଡେଙ୍ଗୁ ଆତଙ୍କ । ବର୍ଷାଦିନ ନ ଆସିବା ପୂର୍ବରୁ ଡେଙ୍ଗୁର ପ୍ରାଦୁର୍ଭାବ ବଢିଛି I ଗତ ୭ଦିନ ମଧ୍ୟରେ ଡମଣା ଓ ଶ୍ରୀବିହାର ଅଞ୍ଚଳରୁ ୧୨ରୁ ଅଧିକ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିବାବେଳେ ସରକାରୀ ଭାବେ ଏଠାରେ ଏଯାବତ୍ ୨ ଜଣ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣଙ୍କ ମୃତ୍ୟୁ ହୋଇଛି। ମୃତକ ପୂର୍ବତନ ଅତିରିକ୍ତ ଡିସିପି ସୁଦର୍ଶନ ସେଠୀ ବୋଲି ଜଣାପଡ଼ିଛି। ସେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଗତ ୨ ତାରିଖରେ ଭର୍ତ୍ତି ହୋଇଥିବା ବେଳେ ଗତକାଲି ସନ୍ଧ୍ୟାରେ ତାଙ୍କର ପରଲୋକ ହୋଇଛି। ଏହା ଚଳିତ ବର୍ଷ ରାଜ୍ୟର ପ୍ରଥମ ଡେଙ୍ଗୁ ମୃତ୍ୟୁ। ତେବେ ଏନେଇ ହସ୍ପିଟାଲର ଅବହେଳା ଯୋଗୁଁ ସ୍ୱାମୀଙ୍କ ମୃତ୍ୟୁ ହୋଇଥିବା ସ୍ତ୍ରୀ ଆଣିଛନ୍ତି ଅଭିଯୋଗ ।
ଜନସ୍ବାସ୍ଥ୍ୟ ବିଭାଗ ନିର୍ଦେଶକ ଡା. ନିରଞ୍ଜନ ମିଶ୍ର କହିଛନ୍ତି ରାଜଧାନୀରେ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ଏନେଇ ସଚେତନତା କାର୍ଯ୍ୟକ୍ରମ ଚାଲିଛି। ମଶା ବଂଶ ବୃଦ୍ଧି ଉପରେ ରୋକ ଲଗାଇବା ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି। ଏହା ସହିତ ମ୍ୟୁନିସିପାଲିଟି ଅଧିକାରୀଙ୍କୁ ସ୍ଥିତି ଯାଞ୍ଚ ସହିତ ନଜର ରଖିବା ପାଇଁ କୁହାଯାଇଛି। ଡାକ୍ତରଙ୍କ କହିବା ଅନୁସାରେ ଦେହ ହାତ ବିନ୍ଧା, ଗଣ୍ଠି ଓ ମାଂସପେଶୀରେ କଷ୍ଟ ଅନୁଭବ କରିବା ଡେଙ୍ଗୁର ଲକ୍ଷଣ। ଗତ ୫ ମାସର ବିବରଣୀକୁ ଦେଖିଲେ ରାଜ୍ୟରେ ଡେଙ୍ଗୁ ସ୍ଥିତି ସେତେ ଉଦ୍ବେଗଜନକ ନୁହେଁ। ଗତ ଜାନୁଆରୀରୁ ମେ’ ମାସ ଶେଷସୁଦ୍ଧା ରାଜ୍ୟର ୩୦ ଜିଲାରୁ ମୋଟ ୨୫୯୨ ନମୁନା ସଂଗ୍ରହ କରାଯାଇଥିବା ବେଳେ ୬୨ଜଣ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି।
ଅନ୍ୟପକ୍ଷରେ ବେସରକାରୀ ଭାବେ ରାଜଧାନୀରେ ଶହ ଶହ ସଂଖ୍ୟାରେ ଲୋକ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିବା ସୂଚନା ରହିଛି। ବିଶେଷ କରି ବସ୍ତି ଅଞ୍ଚଳରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। କେବଳ ୱାର୍ଡ ନଂ ୩ରେ ପ୍ରାୟ ୪୦୦ ଲୋକ ଡେଙ୍ଗୁରେ ଆକ୍ରାନ୍ତ ହୋଇ ସାରିଲେଣି। ରାଜଧାନୀର ଅଧିକାଂଶ ନର୍ସିଂହୋମରେ ଏବେ ଡେଙ୍ଗୁ ରୋଗୀ ଚିକିତ୍ସିତ ହେଉଥିବା ବେଳେ ଏ ସଂକ୍ରାନ୍ତରେ ବିଏମସି ପାଖରେ କିଛି ଖବର ନାହିଁ।
ସ୍ଥିତି ଅଣାୟତ ହେବାକୁ ବସିଥିବା ବେଳେ ଏହାକୁ କିନ୍ତୁ ମାନିବାକୁ ପ୍ରସ୍ତୁତ ନୁହେଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି)। ଖୋଦ ବିଏମ୍ସି ମେୟର ସୁଲୋଚନା ଦାସ ମଧ୍ୟ ଏହାକୁ ସ୍ୱୀକାର କରୁ ନାହାନ୍ତି।
Comments are closed, but trackbacks and pingbacks are open.