ରାଜଧାନୀରେ କାୟା ବିସ୍ତାର କରୁଛି ଡେଙ୍ଗୁ

918

ଭୁବନେଶ୍ୱର: ରାଜଧାନୀରେ କାୟା ବିସ୍ତାର କରୁଛି ଡେଙ୍ଗୁ । ରାଜ୍ୟରେ ବର୍ତମାନ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୨୩ଶହ ଟପିଲାଣି । ପ୍ରତିଦିନ ପ୍ରାୟ ୫ଶହ ସାମ୍ପୁଲ ଟେଷ୍ଟ କରାଯାଉଥିବା ବେଳେ ସେଥିରେ ପ୍ରାୟ ୫୦ଜଣ ପଜିଟିଭ ଚିହ୍ୱଟ ହେଉଛନ୍ତି । ସେହିପରି ଶନିବାର ହସପିଟାଲରେ ୫୨ଜଣ ରୋଗୀ ଚିକିତ୍ସିତ ହେଉଥିବାବେଳେ ଆଜି ଏହା ୫୬ରେ ପହଁଚିଛି ।

ସେପଟେ ଭୁବନେଶ୍ୱର ପ୍ରିୟଦର୍ଶିନୀ ମାର୍କେଟ ଡ଼େଙ୍ଗୁର ହଟସ୍ପଟ ପାଲଟିପାରେ ବୋଲି ଆଶଙ୍କା କରାଯାଉଛି । ଗତ ୧୫ ଦିନରେ ୧୫ ଜଣ ବ୍ୟବସାୟୀ ଡ଼େଙ୍ଗୁରେ ଆକ୍ରାନ୍ତ ହୋଇଥିବାବେଳେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ରହିଛି । ଏଥିପାଇଁ ବିଏମସି ଓ ବିଡ଼ିଏକୁ ସିଧାସଳଖ ଦାୟୀ କରିଛନ୍ତି ପ୍ରିୟଦର୍ଶିନୀ ମାର୍କେଟ ବ୍ୟବସାୟୀ ସଂଘର ସଭାପତି ଶରତ ରାଉତ । ବର୍ଷା ଦିନ ଆରମ୍ଭରୁ ମାର୍କେଟର ରାସ୍ତାକୁ ଯେଉଁଭଳି ଖୋଳି ପକାଇ ଦିଆଯାଇଛି, ତାହା ଡ଼େଙ୍ଗୁ ବୃଦ୍ଧିର କାରଣ ପାଲଟିଛି । କମ୍ପେକ୍ସରେ ପୂର୍ବରୁ ଥିବା ଶୈାଚାଳୟକୁ ନବୀକରଣ କରାଯିବ କହି ବିଏମସି ଏହାକୁ ଭାଙ୍ଗିଦେଇଛି ।

ନୂତନ ଶୌଚାଳୟ ନିର୍ମାଣ ନହେବାରୁ ଏହା ଆବର୍ଜନାର ଗନ୍ତାଘର ପାଲଟିଥିବା ବ୍ୟବସାୟୀମାନେ କହିଛନ୍ତି । ତୁରନ୍ତ ଏହାର ନିରାକରଣ ଦିଗରେ ପଦକ୍ଷେପ ନିଆଯାଉ ନହେଲେ ଆହୁରି ବିପଦଜନକ ହେବ ବୋଲି ଆଶଙ୍କା କରାଯାଉଛି । ସେପଟେ ଦିନକୁ ଦିନ ରାଜଧାନୀରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାବେଳେ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ମେୟର ସୁଲୋଚନା ଦାସ । କହିଛନ୍ତି ରାଜଧାନୀରେ ଡ଼େଙ୍ଗୁ ରୋଗୀଙ୍କ ସଂଖ୍ୟା ବଢୁଛି , ଏଥିପାଇଁ କେବଳ ବିଏମସିକୁ ଦୋଷ ଦେଲେ ହେବ ନାହିଁ । ବରଂ ସମସ୍ତଙ୍କର ସହଯୋଗର ଆବଶ୍ୟକତା ରହିଛି । ନିଜ ଆଖପାଖକୁ ପରିଷ୍କାର ରଖିଲେ ଆମେମାନେ ଡ଼େଙ୍ଗୁରୁ ରକ୍ଷା ପାଇପାରିବା ।

Comments are closed, but trackbacks and pingbacks are open.