ନୋଟ୍‌ବନ୍ଦୀକୁ ୬ ବର୍ଷ ପୂରିଲା: ଶ୍ୱେତପତ୍ର ଦାବିକଲା କଂଗ୍ରେସ

36

ନୂଆଦିଲ୍ଲୀ: ଦେଶରେ କଳାଧନ ଓ ଦୁର୍ନୀତି ରୋକିବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୬ ନଭେମ୍ବର ୮ରେ ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍‌ର ପ୍ରଚଳନକୁ ବନ୍ଦ ଘୋଷଣା କରିଥିଲେ । କେନ୍ଦ୍ର ସରକାରଙ୍କ ଏଭଳି ନିଷ୍ପତ୍ତିକୁ ବିମୁଦ୍ରିକରଣ କିମ୍ବା ନୋଟ୍‌ବନ୍ଦୀ ଆଖ୍ୟା ଦିଆଯାଇଥିଲା । ବର୍ତ୍ତମାନ ନୋଟ୍‌ବନ୍ଦୀକୁ ୬ ବର୍ଷ ପୂରିଯାଇଥିବାବେଳେ କଂଗ୍ରେସ ପକ୍ଷରୁ ଏହି ନିଷ୍ପତ୍ତିକୁ ତୀବ୍ର ସମାଲୋଚନା କରାଯାଇଛି । ମୋଦୀ ସରକାର ତୁରନ୍ତ ନୋଟ୍‌ବନ୍ଦୀ ପ୍ରସଙ୍ଗରେ ଶ୍ୱେତପତ୍ର ଜାରି କରିବାକୁ କଂଗ୍ରେସ ଦାବି କରିଛି । ମଙ୍ଗଳବାର କଂଗ୍ରେସ ମୁଖ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି କଂଗ୍ରେସ ନେତା ଗୌରବ ବଲ୍ଲଭ କହିଛନ୍ତି ଯେ ମୋଦୀ ସରକାରଙ୍କ ଏଭଳି ଅପ୍ରତ୍ୟାଶିତ ଘୋଷଣା ସେତେବେଳେ ଲୋକଙ୍କ ମନରେ ଅହେତୁକ ଆଶଙ୍କା ଆଣିଦେଇଥିଲା । ନିଜପାଖରେ ଥିବା ୫୦୦ ଓ ୧୦୦୦ ଟଙ୍କା ବଦଳାଇବାକୁ ଲୋକଙ୍କୁ ଘଣ୍ଟା ଘଣ୍ଟା ଧରି ବ୍ୟାଙ୍କ ସମ୍ମୁଖରେ ଲାଇନ୍ ଲଗାଇବାକୁ ପଡିଥିଲା । ଛଅବର୍ଷ ପରେ ମଧ୍ୟ ଏହି ଯୋଜନା ବିଫଳ ହୋଇଥିବା ସେ କହିଛନ୍ତି । ଚଳିତବର୍ଷ ଅକ୍ଟୋବର ସୁଦ୍ଧା ଲୋକଙ୍କ ହାତରେ ୩୦.୮୮ ଲକ୍ଷ କୋଟି ଟଙ୍କା ରହିଛି ବୋଲି ରିଜର୍ଭ ବ୍ୟାଙ୍କ ପକ୍ଷରୁ କୁହାଯାଇଛି । ୨୦୧୬ ନଭେମ୍ବରରେ ଏହି ପରିମାଣ ୧୭.୯୭ ଲକ୍ଷ କୋଟି ରହିଥିଲା । ତାହାହେଲେ କଳାଧନ ଓ ଦୁର୍ନୀତି କିଭଳି ନିୟନ୍ତ୍ରଣ କରାଯାଇଛି ବୋଲି ସେ ପ୍ରଶ୍ନ କରିଛନ୍ତି । ତେଣୁ ମୋଦୀ ସରକାର ଅବିଳମ୍ବେ ଏ ପ୍ରସଙ୍ଗରେ ଶ୍ୱେତପତ୍ର ଜାରିି କରିବାକୁ ସେ ଦାବି କରିଛନ୍ତି ।

Comments are closed, but trackbacks and pingbacks are open.