ଆମାଜନ୍‌ରେ କୋରାପୁଟ ହଳଦୀ-ସାବୁନର ଚାହିଦା

516

କୋରାପୁଟ: ଇ-କମର୍ସ ୱେବ୍‌ସାଇଟ୍‌ ଆମାଜନ୍‌ରେ କୋରାପୁଟ ହଳଦୀ-ସାବୁନ ଉପଲବ୍ଧ ହେବାପରେ ଗ୍ରାହକଙ୍କ ମଧ୍ୟରେ ଚାହିଦା ବଢ଼ିଛି। ଗତକାଲି ବିଧିବଦ୍ଧ ଭାବେ ଆମାଜନ୍‌ ଏହାର ବିକ୍ରି ଆରମ୍ଭ କରିଥିବା ବେଳେ ଭୁବନେଶ୍ବର, ମାଲକାନଗିରି, ନବରଙ୍ଗପୁର, ବଲାଙ୍ଗୀର, ସମ୍ବଲପୁର, ଝରସୁଗୁଡା, ରାଉରକେଲା ସହ ମୁମ୍ବାଇ, ଦିଲ୍ଲୀ, ବେଙ୍ଗାଲୁରୁ ଭଳି ବଡ଼ ସହରରୁ ମଧ୍ୟ ବରାଦ ମିଳୁଛି। ଏପରିକି ଦିନକ ମଧ୍ୟରେ ୨୦ରୁ ଅଧିକ ବରାଦ ମିଳିବା ପରେ ଏଠାକୁ ପଠାଇବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ସ୍ବୟଂ ସହାୟକ ଗୋଷ୍ଠୀ ଦ୍ବାରା ପ୍ରସ୍ତୁତ ହେଉଥିବା ସାବୁନ ଦର ୮୫ଟଙ୍କା ରହିଛି।

କୋରାପୁଟର ଉତ୍ପାଦକୁ ପ୍ରଥମ ଦିନରୁ ହିଁ ଗ୍ରାହକ ପସନ୍ଦ କରିଥିବାରୁ ଆଗକୁ ବନ୍ଧୁଗାଁ ଓ ନାରାୟଣପାଟଣାର ଲେମନ୍‌ ଗ୍ରାସ୍‌ ଅଏଲ, ପଟାଙ୍ଗୀର ଜାପାନିଜ୍‌ ମିଣ୍ଟ୍‌ ବାମ୍‌, ବୋରିଗୁମ୍ମା ଏବଂ କୋଟପାଡ଼ଗୁଡିକୁ ମଧ୍ୟ ଇ-କମର୍ସ ସାଇଟ୍‌ରେ ଉପଲବ୍ଧ କରାଇବାକୁ ଯୋଜନା ହୋଇଛି। ସେହିପରି ଆଲୋଭେରା (ଘିକୁଆଁରୀ)ଓ କଫି ସାବୁନ ମଧ୍ୟ ଖୁବଶୀଘ୍ର ଉପଲବ୍ଧ ହେବ ବୋଲି ଜଣାପଡ଼ିଛି। ଓରମାସ୍‌ର ରୋଶନ୍‌ କୁମାର କାର୍ତ୍ତିକ କହିଛନ୍ତି, ପ୍ରଥମ ଦିନ ରାଜ୍ୟର ବିଭିନ୍ନ ସହର ତଥା ରାଜ୍ୟ ବାହାରୁ କୋରାପୁଟ ହଳଦୀ-ସାବୁନ ପାଇଁ ବରାଦ ମିଳିଛି। ଗ୍ରାହକଙ୍କ ନିକଟରେ ନିର୍ଦ୍ଧାରିତ ସମୟରେ ସାବୁନ ପହଞ୍ଚାଇବା ନିମନ୍ତେ ବର୍ତ୍ତମାନ ପ୍ରକ୍ରିୟା ଚାଲିଛି।

Comments are closed, but trackbacks and pingbacks are open.