ବାଣଫୁଟା କଟକଣା କୁ ଫୁ କଲେ ଦିଲ୍ଲୀବାସୀ : ବାଣ ଧୂଆଁରେ ଦିଲ୍ଲୀ ବାୟୁର ମାନ ‘ଅତି ଗମ୍ଭୀର’

18

ବାଣ ଫୁଟା ଉପରେ ଦିଲ୍ଲୀବାସୀ ଙ୍କୁ ସରକାରଙ୍କ ଅଙ୍କୁଶ କାମ ଦେଇନି I ଦୀପାବଳିରେ ଆତସବାଜି ରେ ଝଲସିଥିଲା ଦିଲ୍ଲୀ ମହାନଗର I ପରିବେଶ ହୋଇ ଯାଇଥିଲା ଧୂଆଁ ଧୂଆଁ ଫଳସ୍ୱରୂପ ରାଜଧାନୀ ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ପ୍ରଦୂଷଣ ଅତି ଗମ୍ଭୀର ସ୍ତରକୁ ଚାଲି ଯାଇଛି। ପ୍ରଦୂଷଣ ରୋକିବାକୁ ଦିଲ୍ଲୀ ସରକାରଙ୍କ ପକ୍ଷରୁ ବହୁ ପୂର୍ବରୁ ପ୍ରସ୍ତୁତ ହୋଇଥିବା ସବୁ ଯୋଜନା ଫେଲ ମାରିଛି । କଡ଼ା ଚେତାବନୀ ସତ୍ତ୍ୱେ ସବୁ କଟକଣା କୁ ଫୁ କରିଛନ୍ତି ଦିଲ୍ଲୀବାସୀ ।

ଦୀପାବଳି ରାତିରୁ ହିଁ ଦିଲ୍ଲୀର ବାୟୁ ଅଣନିଶ୍ୱାସୀ କରିଦେବା ପରି ଲାଗୁଛି। ଦିଲ୍ଲୀରେ ପ୍ରଦୂଷଣ ମାତ୍ରା ସବୁ ରେକର୍ଡ ପାର୍‌ କରିସାରିଥିବା ବେଳେ ବାୟୁ ଗୁଣବତ୍ତା ସୂଚକାଙ୍କ ଗମ୍ଭୀର ଶ୍ରେଣୀରେ ପହଞ୍ଚି ଯାଇଛି। ଦିଲ୍ଲୀର ବାୟୂ ପୂର୍ବରୁ ଖରାପ ଶ୍ରେଣୀରେ ଥିବା ବେଳେ ଦୀପାବଳି ପରେ ଏହା ଅତି ଗମ୍ଭୀର ଶ୍ରେଣୀକୁ ପଳାଇଛି।
ଆଜି ସକାଳୁ ସକାଳୁ ଦିଲ୍ଲୀରେ ବାୟୁର ମାନ ଅତି ବିପଦଜନକ ସ୍ଥିତିରେ ପହଞ୍ଚି ଯାଇଛି। ଶୁକ୍ରବାର ସକାଳେ ଜନପଥରେ ବାୟୁ ଗୁଣବତ୍ତା (Air Quality Index) ର ସ୍ତର ୬୫୫.୦୭ରେ ପହଞ୍ଚିଯାଇଛି। ଏହା ପ୍ରଭାବରେ ବହୁ ଲୋକଙ୍କ ଆଖିରୁ ପାଣି ବୋହୁଥିବା ବେଳେ ଗଳା ଦରଜ ହେବା ପରି ଲକ୍ଷଣ ଦେଖାଦେଉଛି। ଏପରିକି ନିଶ୍ୱାସ ନେବାରେ ବି କଷ୍ଟ ଅନୁଭବ କରୁଛନ୍ତି ଲୋକ । ଏହାଦ୍ୱାରା ଅଧିକ ପ୍ରଭାବିତ ହେଉଛନ୍ତି ବୟସ୍କ ତଥା ରୋଗୀ ତଥା ଛୋଟ ପିଲା । ଗାଜିଆବାଦ ଓ ନୋଏଡାରେ ବି ପରିସ୍ଥିତି ଗମ୍ଭୀର ଶ୍ରେଣୀରେ ପହଞ୍ଚି ଯାଇଥିବା ବେଳେ ସେଠାକାର ବାସିନ୍ଦା ବି ସମାନ ଅଭିଯୋଗ କରିଛନ୍ତି। ଆଗାମୀ ୨ ଦିନ ପର୍ଯ୍ୟନ୍ତ ସ୍ଥିତିରେ କୌଣସି ସୁଧାର ଆସିବ ନାହିଁ ତଥା ଲୋକେ ଆହୁରି ଅଧିକ ସମସ୍ୟାର ସମ୍ମୁଖୀନ ହେବେ ବୋଲି ଚେତାବନୀ ବି ଦିଆଯାଇଛି।

ଆସନ୍ତା ରବିବାର ସନ୍ଧ୍ୟା ସୁନ୍ଧା ଦିଲ୍ଲୀର ବାୟୂର ଗୁଣବତ୍ତାରେ କୌଣସି ପରିବର୍ତ୍ତନ ହେବାର ସମ୍ଭାବନା ନ ଥିବା ବାୟୁ ଗୁଣବତ୍ତା ଏଜେନ୍ସି ‘ସଫର’ ପକ୍ଷରୁ କୁହାଯାଇଛି। ହେଲେ ବାୟୁ ଗୁଣବତ୍ତା ‘ଗମ୍ଭୀର’ରୁ ବହୁତ ଖରାପ ଶ୍ରେଣୀକୁ ଆସିପାରେ।
ସାଧାରଣତଃ ବାୟୁର ଗୁଣବତ୍ତା ୫୦ ମଧ୍ୟରେ ଥିଲେ ତାହାକୁ ଭଲ କୁହାଯାଇଥାଏ। (Air Quality Index) ୫୦ରୁ ୧୦୦ ମଧ୍ୟରେ ଥିଲେ ସନ୍ତୋଷଜନକ, ୧୦୦ରୁ ୨୦୦ ମଧ୍ୟରେ ମଧ୍ୟମ, ୩୦୦ ମଧ୍ୟରେ ଥିଲେ ଖରାପ, ୩୦୧ରୁ ୪୦୦ ମଧ୍ୟରେ ବହୁତ ଖରାପ ଓ ୪୦୧ରୁ ୫୦୦ ମଧ୍ୟରେ ଥିଲେ ତାହାକୁ ଗମ୍ଭୀର ଶ୍ରେଣୀରେ ବିବେଚନା କରାଯାଇଥାଏ।

Leave A Reply

Your email address will not be published.