ଦିଲ୍ଲୀ ସରକାରଙ୍କ ବଡ଼ ନିଷ୍ପତି : ବିନା ବାଣରେ ହେବ ଦୀପାବଳି

352

ନୂଆଦିଲ୍ଲୀ :ଆଗକୁ ଆସୁଛି ଆଲୋକର ପର୍ବ ଦୀପାବଳି । ଦୀପର ଆଲୁଅ ସାଙ୍ଗକୁ ବାଣର ଶବ୍ଦ ପରିପୂର୍ଣ କରିଥାଏ ଏହି ପର୍ବକୁ । କିନ୍ତୁ ଆଲୋକର ଏହି ପର୍ବକୁ କିଛି ଦିନ ବାକି ଥିବା ବେଳେ ଦିଲ୍ଲୀ ସରକାର ଏହାକୁ ନେଇ ଏକ ବଡ଼ ଘୋଷଣା କରିଛନ୍ତି । ଦୀପାବଳିରେ ଦିଲ୍ଲୀରେ ବାଣ ଫୁଟିବନି ବୋଲି କହିଛନ୍ତି ସରକାର l

ଚଳିତ ବର୍ଷ ଦୀପାବଳିରେ ବାଣ ଫୁଟାଇବା ଉପରେ କଟକଣା ଲଗାଯାଇଛି । ଏହାସହ ବାଣ ବିକ୍ରୟ ଉପରେ ରୋକ୍ ଲଗାଯାଇଛି । ରାଜଧାନୀ ଦିଲ୍ଲୀ ଶୀତଦିନରେ ପ୍ରଦୂଷଣ ଅଧିକ ହେଉଥିବାରୁ ଏହାକୁ ଲକ୍ଷ୍ୟ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି । ପୂର୍ବ ବର୍ଷ ମଧ୍ୟ ଏପରି କଟକଣା ଲଗାଯାଇଥିଲା । ଦୀପାବଳିରେ ବାଣ ଉପରେ ବ୍ୟାନ ଆଦେଶ ଜାରି କରିବା ସହ ରାଜଧାନୀରେ ବାଣ ପ୍ରସ୍ତୁତିରୁ ଆରମ୍ଭ କରି ବିକ୍ରି, ସଂରକ୍ଷଣ ଏବଂ ବ୍ୟବହାର ଉପରେ ରୋକ ଲଗାଇଛନ୍ତି ଦିଲ୍ଲୀ ସରକାର ।

ଦିଲ୍ଲୀର ପରିବେଶ ମନ୍ତ୍ରୀ ଗୋପାଳ ରାୟ ଏନେଇ ସୂଚନା ଦେଇଛନ୍ତି । ଜାନୁଆରୀରୁ ଅଗଷ୍ଟ ମାସ ମଧ୍ୟରେ ଦିଲ୍ଲୀର ହାରାହାରୀ ଏକ୍ୟୁଆଇ କମ ରହିଥାଏ । ଶୀତ ବଢ଼ିବା ସହ ବାୟୂ ପ୍ରଦୂଷଣ ମଧ୍ୟ ବଢ଼ିଥାଏ । ଏଣୁ ଚଳିତ ବର୍ଷ ମଧ୍ୟ ପୂର୍ବ ବର୍ଷ ଭଳି ଦୀପାବଳି ସମୟରେ ପ୍ରଦୂଷଣକୁ ଦୃଷ୍ଟିରେ ରଖି ଏପରି କଟକଣା ଜାରି କରାଯାଇଛି । ପରିବେଶ ମନ୍ତ୍ରୀ ରାୟ ଆହୁରି ମଧ୍ୟ କହିଛନ୍ତି ଯେ, ସହରରେ ବାଣ ଉପରେ ପ୍ରତିବନ୍ଧକକୁ ଲାଗୁ କରିବା ପାଇଁ ଦିଲ୍ଲୀ ପୋଲିସକୁ କଡ଼ା ନିର୍ଦ୍ଦେଶ ଜାରି କରାଯିବ । ଗତ ୩ ବର୍ଷରୁ ଲଗାତାର ଭାବରେ ଦିଲ୍ଲୀ ସରକାର ବାଣ ଉପରେ ରୋକ ଲଗାଇ ଆସିଛନ୍ତି । ତେବେ ଗତ ୫-୬ ବର୍ଷରୁ ଦିଲ୍ଲୀର ବାୟୁର ଗୁଣାବତ୍ତାରେ ସୁଧାର ଦେଖିବାକୁ ମିଳିଥିବା ବେଳେ ଆଗକୁ ଏହି ପ୍ରକ୍ରିୟା ଜାରି ରହିବା ନିହାତି ଆବଶ୍ୟକ l ତେଣୁ ବାୟୁ ପ୍ରଦୂଷଣକୁ ଦୃଷ୍ଟିରେ ରଖି ଏପରି କଡ଼ା ନିଷ୍ପତି ନିଅ ଯାଇଛି l

Comments are closed, but trackbacks and pingbacks are open.