ମରକ୍କୋ ଭୁକମ୍ପରେ ମୃତ୍ୟୁ ସଂଖ୍ୟା ୮୨୦କୁ ବୃଦ୍ଧି

148

ଶୁକ୍ରବାର ବିଳମ୍ବିତ ରାତି ତଥା ସ୍ଥାନୀୟ ସମୟ ୧୧.୧୧ରେ ଉତ୍ତର ଆଫ୍ରିକୀୟ ରାଷ୍ଟ୍ର ମରକ୍କୋରେ ହୋଇଥିବା ୬.୮ ତୀବ୍ରତାସମ୍ପନ୍ନ ଭୂମିକମ୍ପଜନିତ ମୃତ୍ୟୁସଂଖ୍ୟା ୮୨୦କୁ ବୃଦ୍ଧି ପାଇଥିବା ନେଇ ସୂଚନା ମିଳିଛି ।

ଏହି ଶକ୍ତିଶାଳୀ ଭୂମିକମ୍ପ ଉତ୍ପତ୍ତିସ୍ଥଳ ନିକଟ ପ୍ରଦେଶଗୁଡ଼ିକରେ ଅନ୍ୟୂନ ୬୩୨ଜଣ ମୃତ୍ୟୁ ଘଟିଥିବା ବେଳେ ୩୦୦ଜଣରୁ ଉର୍ଦ୍ଧ ଆହତ ହୋଇଥିବା କଥା ମରକ୍କୋର ଗୃହମନ୍ତ୍ରାଳୟ କହିଛି। ଏହା ପୂର୍ବରୁ ସଖାଳେ ସେଠାକାର ସ୍ଥାନୀୟ ଗଣମାଧ୍ୟମ ସୂଚନା ଅନୁସାରେ ମୃତ୍ୟୁ ସଂଖ୍ୟା ୨୯୬ ହୋଇଥିବା ସୂଚନା ମିଳିଥିଲା ଏବଂ ଏହି ମୃତ୍ୟୁ ସଂଖ୍ୟା ବଢିବା ନେଇ ଆଶଙ୍କା ଥିଲା l ଏବେ ମୃତ୍ୟୁ ସଂଖ୍ୟା ୬୦୦ ଟପିଥିବା ମରକ୍କୋ ସରକାର କହିଥିବା ବେଳେ କିଛି ଗଣମାଧ୍ୟମ ସୂଚନା ଅନୁସାରେ ମୃତ୍ୟୁ ସଂଖ୍ୟା ୮୨୦କୁ ବୃଦ୍ଧି ପାଇଛି l

ଏହି ଭୂମିକମ୍ପର ପ୍ରଭାବ ବା କମ୍ପନ ସୁଦୂର ପର୍ତ୍ତୂଗାଲ୍‌ ଓ ଆଲଜେରିଆରେ ମଧ୍ୟ ଅନୁଭୂତ ହୋଇଥିଲା ବୋଲି ‘ପର୍ତ୍ତୂଗୀଜ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଫର୍‌ ସି’ ଆଣ୍ଡ୍‌ ଆଟ୍‌ମୋସ୍ଫିୟର୍‌’ ଓ ଆଲ୍‌ଜେରିଆର ‘ସିଭିଲ୍‌ ଡିଫେନ୍‌ସ୍‌ ଏଜେନ୍‌ସି’ ସୂଚନା ଦେଇଛନ୍ତି ।

ସଂଗୃହୀତ ସୂଚନା ଅନୁସାରେ, ଭୂମିକମ୍ପ ଯୋଗୁଁ ମାରକେସ ଓ କ୍ଵାର୍‌ଜାଜାଟେ ପ୍ରଦେଶରେ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ‘ଆଟ୍‌ଲାସ୍‌ ମାଉଣ୍ଟେନ୍‌’ ୱୟୁକୈମେଦେନ୍‌ ସହରର ପଶ୍ଚିମ ପ୍ରାନ୍ତରେ ଉତ୍ପତ୍ତି ହୋଇଥିବା ଏହି ଭୂମିକମ୍ପଜନିତ କମ୍ପନ ଉପକୂଳବର୍ତ୍ତୀ ନଗରୀ ରବାଟ୍‌, କାସାବ୍ଲାଙ୍କା ଓ ଇସାଓୟୁରିଆରେ ଅନୁଭୂତ ହୋଇଥିଲା।

ଭୂମିକମ୍ପ ଯୋଗୁଁ ପ୍ରାଣ ହରାଇଥିବା ଜନତା ପ୍ରତି ଶୋକବ୍ୟକ୍ତ କରି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ଏକ୍ସ୍‌’ରେ ଲେଖିଛନ୍ତି; ମରକ୍କୋରେ ଭୂମିକମ୍ପ ଯୋଗୁଁ ଘଟିଥିବା ପ୍ରାଣହାନୀ ଯୋଗୁଁ ଭାରତ ଖୁବ୍‌ ବ୍ୟଥିତ । ସେ କହିଛନ୍ତି “ଏଭଳି ଦୁଃଖଦ ସମୟରେ ମରକ୍କୋବାସୀଙ୍କୁ ସହାନୁଭୂତି ଜଣାଉଛି । ପ୍ରିୟଜନଙ୍କୁ ହରାଇଥିବା ଲୋକମାନଙ୍କ ପ୍ରତି ମୋର ସମବେଦନା । ଆହତମାନଙ୍କର ଆଶୁ ଆରୋଗ୍ୟ କାମନା କରୁଛି । ଏଭଳି ଦୁର୍ଦ୍ଦିନରେ ମରକ୍କୋaକୁ ଯଥାସମ୍ଭବ ସହାୟତା ଯୋଗାଇ ଦେବାକୁ ଭାରତ ପ୍ରସ୍ତୁତ ।” ଆଜି ନୂଆଦିଲ୍ଲୀରେ ଆରମ୍ଭ ହୋଇଥିବା ଅଷ୍ଟାଦଶ ‘ଜି୨୦’ ଶିଖର ସମ୍ମିଳନୀ କାର୍ଯ୍ୟକ୍ରମ ଆନୁଷ୍ଠାନିକ ଭାବେ ଆରମ୍ଭ କରିବା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ମୋରକୋରେ ହୋଇଥିବା ଭୂମିକମ୍ପରେ ପ୍ରାଣ ହରାଇଥିବା ଲୋକଙ୍କ ପ୍ରତି ସମବେଦନା ଜ୍ଞାପନ କରିଥିଲେ।

Comments are closed, but trackbacks and pingbacks are open.