ପୂର୍ବତନ ପୋପ୍ ବେନେଡିକ୍ଟ ଷୋଡ଼ଶଙ୍କ ପରାଲୋକ

30

ଭାଟିକାନ୍‌: କ୍ୟାଥୋଲିକ୍ ଖ୍ରୀଷ୍ଟିଆନ୍‌ଙ୍କ ସର୍ବୋଚ୍ଚ ଧାର୍ମିକ ନେତା ଥିବା ପୂର୍ବତନ ପୋପ୍ ଏମେରିଟ୍‌ସ ବେନେଡିକ୍ଟ ଷୋଡ଼ଶଙ୍କର ଶନିବାର ୯୫ ବର୍ଷ ବୟସରେ ପରଲୋକ ହୋଇଛି । ଭାଟିକାନ୍ ମୁଖପାତ୍ର ମାଟେଓ ବ୍ରୁନିଙ୍କ ଅନୁସାରେ ଶନିବାର ସକାଳ ୯ଟା ୩୪ ମିନିଟ୍‌ରେ ପୋପ୍ ବେନେଡିକ୍ଟ ଅନ୍ତିମ ନିଃଶ୍ୱାସ ନେଇଥିଲେ । ୨୦୨୩ ଜାନୁଆରୀ ୨ ତାରିଖରେ ତାଙ୍କ ପାର୍ଥିବ ଶରୀର ଅନ୍ତିମ ଦର୍ଶନ ନିମନ୍ତେ ସେଣ୍ଟ୍ ପିଟର୍ ବେସିଲିକାରେ ରଖାଯିବ ଏବଂ ଜାନୁଆରୀ ୫ରେ ଶେଷ ସଂସ୍କାର କରାଯିବ । ପୋପ୍ ବେନେଡିକ୍ଟ ଅସୁସ୍ଥତା କାରଣରୁ ୨୦୧୩ ଫେବୃଆରୀ ୧୧ ତାରିଖରେ ପଦରୁ ଇସ୍ତଫା ଦେଇଥିଲେ । ଏହାପରେ ପୋପ୍ ଫ୍ରାନ୍ସିସ୍‌ଙ୍କ ପୋପ୍ ହେବା ରାସ୍ତା ପରିଷ୍କାର ହୋଇଥିଲା । ୬୦୦ ବର୍ଷର ଇତିହାସରେ ଇସ୍ତଫା ଦେବାରେ ସେ ପ୍ରଥମ ପୋପ୍ ଥିଲେ । ଏହା ପୂର୍ବରୁ ୧୪୧୫ରେ ପୋପ୍ ଗ୍ରେଗୋରୀ ଦ୍ୱାଦଶ ପଦରୁ ଇସ୍ତଫା ଦେଇଥିଲେ । ଅବଶ୍ୟ ସେତେବେଳେ ଖ୍ରୀଷ୍ଟିଆନ୍‌ଙ୍କ ଦୁଇଗୋଷ୍ଠୀ ମଧ୍ୟରେ ଝଗଡ଼ା ଏହାର କାରଣ ଥିଲା । ପୋପ୍ ଫ୍ରାନ୍ସିସ୍ ଡିସେମ୍ବର ୨୮ରେ ନିଜ ସାପ୍ତାହିକ ଉଦ୍‌ବୋଧନ ଅବସରରେ ପୂର୍ବତନ ପୋପ୍ ବେନେଡିକ୍ଟ ଭୀଷଣ ଅସୁସ୍ଥ ଥିôବା ଖୁଲାସା କରିବା ସହ ତାଙ୍କ ପାଇଁ ପ୍ରାର୍ଥନା କରିବାକୁ ଲୋକଙ୍କୁ ଅନୁରୋଧ କରିଥିଲେ । ଭାଟିକାନ୍ ଚର୍ଚ୍ଚର ୨୦୦୦ ବର୍ଷ ଇତିହାସରେ ପୋପ୍ ବେନେଡିକ୍ଟଙ୍କ ୮ ବର୍ଷର କାର୍ଯ୍ୟକାଳ ସବୁଠୁ ବିବାଦୀୟ ଥିଲା । ଶିଶୁ ଯୌନ ଶୋଷଣ ଅଭିଯୁକ୍ତ ଜଣେ ପ୍ରିଷ୍ଟ୍‌ଙ୍କ ନିଯୁକ୍ତିକୁ ନେଇ ସେ ବିବାଦୀୟ ହୋଇପଡ଼ିଥିଲେ । ଅବଶ୍ୟ ପରେ ସେ ଏଥିପାଇଁ କ୍ଷମା ପ୍ରାର୍ଥନା କରିଥିଲେ । ବେନେଡିକ୍ଟ ଷୋଡ଼ଶଙ୍କ ଜନ୍ମ ଜର୍ମାନୀରେ ହୋଇଥିଲା ଏବଂ ତାଙ୍କ ପିଲାଦିନର ନାମ ଜୋସେଫ୍ ରେତ୍‌ଜିଞ୍ଜର ଥିଲା । ବେନେଡିକ୍ଟ ୨୦୦୫ରେ ଭାଟିକାନ୍ ସିଟିର ପୋପ୍ ଭାବେ ନିଯୁକ୍ତ ହୋଇଥିଲେ । ସେତେବେଳେ ତାଙ୍କ ବୟସ ୭୮ ବର୍ଷ ଥିଲା ଏବଂ ସେ ସବୁଠୁ ବୟସ୍କ ପୋପ୍‌ଙ୍କ ମଧ୍ୟରୁ ଅନ୍ୟତମ ଥିଲେ । ସେ ୟୁରୋପରେ ପୁଣିଥରେ ଖ୍ରୀଷ୍ଟିଆନ୍ ଧର୍ମର ପୁନଃଜାଗରଣ ପାଇଁ ଉଦ୍ୟମ କରିଥିଲେ । ପୋପ୍ ବେନେଡିକ୍ଟ ଷୋଡ଼ଶଙ୍କ ନିଧନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବ୍ରିଟିଶ୍ ପ୍ରଧାନମନ୍ତ୍ରୀ ଋଷି ସୁନକ୍ ଏବଂ ୟୁରୋପୀୟ ସଂସଦର ସଭାପତି ରବର୍ଟ ମେଟ୍‌ସୋଲା ଶୋକବ୍ୟକ୍ତ କରିଛନ୍ତି ।

Comments are closed, but trackbacks and pingbacks are open.