କଟକ: ଚୌଦ୍ଵାର ଜେଲରେ ଜଣେ ବିଚାରଧୀନ କଏଦୀ ୱାର୍ଡରେ ଥିବାବେଳେ ବେକରେ ଗାମୁଛା ବାନ୍ଧି ଆତ୍ମହତ୍ୟା କରିଥିବା ଖବର ମିଳିଛି। ତେବେ ଆତ୍ମହତ୍ୟାର କାରଣ ଜଣାପଡ଼ିନାହିଁ। ଜେଲ ୱାର୍ଡରୁ ଗୁରୁତର ଅବସ୍ଥାରେ ଉଦ୍ଧାର ପରେ ଏସସିବି ମେଡିକାଲକୁ ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ମୃତକ ବିଚାରଧିନ କଏଦୀ ଜଣଙ୍କ ହେଲେ, କଟକ ଦରଘାବଜାର ଅଞ୍ଚଳର ମହମ୍ମଦ କଲିମ। ରବିବାର ସନ୍ଧ୍ୟାରେ ଜେଲ ପକ୍ଷରୁ ଅଭିଯୋଗ ପରେ ଚୌଦ୍ୱାର ପୁଲିସ ଆତ୍ମହତ୍ୟା ମାମଲା ରୁଜୁ କରି ଶବ ଜବତ କରି ତଦନ୍ତ ଜାରି ରଖିଛି। ଆଜି ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଡାକ୍ତରୀ ଦଳ ଶବ ବ୍ୟବଚ୍ଛେଦ କରିବା ପରେ ପରିବାରକୁ ହସ୍ତାନ୍ତର କରାଯାଇଛି । ରବିବାର ରାତି ପ୍ରାୟ ୧୧ଟାରେ ଜେଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଚୌଦ୍ୱାର ଥାନାରେ ଏତଲା ଦିଆଯାଇଥିଲା । ଗତ ଡିସେମ୍ୱର ୧୩ ତାରିଖରେ ଦରଘାବଜାର ଥାନା ପୁଲିସ ଦ୍ୱାରା ଗିରଫ ହୋଇ ଜେଲକୁ ଆସିଥିଲା। ଜେଲ ଭିତରେ ଏମିତି କଣ ଘଟିଲା ଯେ ମହମ୍ମଦ କଲିମ ଏପରି ଚରମ ନିଷ୍ପତ୍ତି ନେଲେ ତାହା ଏବେ ବଡ଼ ପ୍ରଶ୍ନ ସୃଷ୍ଟି କରିଛି। ମହମ୍ମଦ କଲିମ ମାନସିକସ୍ତରରେ ଅସୁସ୍ଥ ଥିବାରୁ ତାଙ୍କୁ ଜେଲ ଡାକ୍ତରଖାନାର ୬ ନଂ ସେଲରେ ରଖାଯାଇ ଚିକିତ୍ସା କରାଯାଉଥିବା ସୂତ୍ରରୁ ସୂଚନା ମିଳିଛି। କଲିମ ଡାକ୍ତରଖାନା ୱାର୍ଡ ଭିତରେ ଥିବାବେଳେ ରବିବାର ଅପରାହ୍ଣରେ ପାଖରେ ଥିବା ଗାମୁଛାକୁ ବେକରେ ଗୁଡାଇ ସ୍କାଏଲାଇଟରେ ବାନ୍ଧି ଝୁଲି ପଡ଼ିଥିଲେ।
ଜଣେ ବନ୍ଦୀ ଡାକ୍ତରଖାନାରେ ଚିକିତ୍ସା ସମୟରେ ତାଙ୍କ ପାଖକୁ ଗାମୁଛାଟି କିପରି ଆସିଲା ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅନ୍ୟପଟେ ଡାକ୍ତରଖାନାରେ ରୋଗୀ ଚିକିତ୍ସିତ ହେଉଥିବାବେଳେ ସୁରକ୍ଷା କର୍ମୀ ଓ ଚିକିତ୍ସାରତ କର୍ମଚାରୀ କେଉଁଠି ଥିଲେ ଓ କ’ଣ କରୁଥିଲେ ସେନେଇ ମଧ୍ୟ ବହୁ ପ୍ରଶ୍ନ ଉଠିଛି। ତଦନ୍ତ ପରେ ଘଟଣା ସ୍ପଷ୍ଟ ହେବ ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି।
Comments are closed, but trackbacks and pingbacks are open.