କୋଟିଆ ପାଇଁ ଅଭିଶାପ, ଗୋ ବ୍ୟାକ୍ ନାରା!

26

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉତ୍କଳ ଦିବସରେ କୋଟିଆ କରି ଆନ୍ଧ୍ର ଗୋ ବ୍ୟାକ ନାରା ଦେଲେ ।……ଏହି ନାରାକୁ ନେଇ ବିଜେଡି ଓ କଂଗ୍ରେସ ଧର୍ମେନ୍ଦ୍ରଙ୍କ ସମେତ ବିଜେପିକୁ ଟାର୍ଗେଟ କଲା । ପରେ କୋଟିଆକୁ ନେଇ ରାଜନୈତିକ ବୟାନବାଜି ଜୋର ଧରିଲା । ଏପରିକି ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ ମଧ୍ୟ କେନ୍ଦ୍ରମନ୍ତ୍ରୀଙ୍କୁ ଧମକ ଦେଲେ । ଏବେ ଆନ୍ଧ୍ର ପ୍ରତିକ୍ରିୟାଶୀଳ ହୋଇଥିବା ଦେଖାଯାଇଛି । କୋଟିଆ ନେରେଡିବାଲସାଠାରେ ଥିବା ଏକ ଆବାସିକ ବିଦ୍ୟାଳୟର ବିଜୁଳି ସଂଯୋଗ କାଟି ଦେଇଛି ଆନ୍ଧ୍ରପ୍ରଦେଶ । ବିଜୁଳି ସଂଯୋଗ କାଟିବା ପରେ ଖରା ଗରମରେ ସନ୍ତୁଳି ହେଉଛନ୍ତି ଛାତ୍ରଛାତ୍ରୀ । କୋଟିଆ ଅଞ୍ଚଳରେ ଏହି ଆବାସିକ ବିଦ୍ୟାଳୟଟି ସ୍ଥାପନ କରାଯାଇଥିବାବେଳେ ସେଠାରେ ପ୍ରାୟ ୬୦ ରୁ ଅଧିକ ଛାତ୍ରଛାତ୍ରୀ ହଷ୍ଟେଲରେ ରହିବା ସହ ପାଠ ପଢୁଛନ୍ତି ।

ଓଡ଼ିଶା ସରକାରଙ୍କ ପକ୍ଷରୁ ଏହି ସ୍କୁଲରେ ସୋଲାର ସିଷ୍ଟମ ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ଏହା ଠିକ ଭାବେ କାମ କରୁ ନଥିବା ଜଣାପଡିଛି । ସ୍କୁଲରେ ଆନ୍ଧ୍ର ସରକାରଙ୍କ ତରଫରୁ ବିଜୁଳି ସଂଯୋଗ ଦିଆଯାଇଥିବା ବେଳେ ବିବାଦ ପରେ ଏହାକୁ ବିଚ୍ଛିନ୍ନ କରାଯାଇଛି । ଏପରିକି ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସ୍ଥିତିକୁ ଦେଖି ଆବାସିକ ବିଦ୍ୟାଳୟକୁ ନିଜସ୍ୱ ବିଜୁଳି ପ୍ରଦାନ କରିଥିଲେ । ହେଲେ ଆନ୍ଧ୍ରପ୍ରଦେଶ ଏହାକୁ ପୁଣିଥରେ କାଟିଦେବା ସହ ପରିଚାଳନା କମିଟି ସଭାପତିଙ୍କ ଉପରେ ଫାଇନ ଲଗାଇଥିବା ଜଣାପଡିଛି । କେନ୍ଦ୍ରମନ୍ତ୍ରୀଙ୍କ ନାରା ପରେ ଆନ୍ଧ୍ରର ଏଭଳି କଡା ଆଭିମୁଖ୍ୟକୁ ନେଇ ଚର୍ଚ୍ଚା ଜୋର ଧରିଛି ।

ତେବେ ଏବେ ପ୍ରଶ୍ନ ଉଠୁଛି କୋଟିଆ ପାଇଁ ଅଭିଶାପ ପାଲଟିଗଲା କି ଗୋ ବ୍ୟାକ୍ ନାରା? ତେବେ ଗୋଟିଏ ପଟେ ଆନ୍ଧ୍ରର ଅନୁପ୍ରବେଶକୁ ସରକାର ବିରୋଧ କରୁଥିବା ବେଳେ ଅପରପକ୍ଷରେ ସ୍କୁଲଟିରେ ଆନ୍ଧ୍ର ବିଜୁଳି କାହିଁକି ଲାଗିଥିଲା ତାକୁ ନେଇ ପ୍ରଶ୍ନ ଉଠିଛି । କୋଟିଆ କିମ୍ବା ଅନ୍ୟ ସୀମାନ୍ତରେ ବସବାସ କରୁଥିବା ଓଡ଼ିଆଙ୍କୁ ଆବଶ୍ୟକ ମୌଳିକ ସୁବିଧା ଯୋଗାଇ ଦିଆ ନ ଗଲେ ସେମାନେ ଅନ୍ୟ ରାଜ୍ୟ ଉପରେ ନିର୍ଭରଶୀଳ କରୁଛନ୍ତି ଯାହାଦ୍ୱାରା ସେହି ରାଜ୍ୟଗୁଡିକ ଏହାର ଫାଇଦା ନେଉଛନ୍ତି ବୋଲି ଆଲୋଚନା ହେଉଛି । ତେଣୁ କେବଳ ରାଜନୈତିକ ବୟାନବାଜି ନ କରି କିଭଳି ଲୋକମାନେ ସୁବିଧା ପାଇବେ ସେନେଇ ଆନ୍ତରିକ ଉଦ୍ୟମ ହେବା ଆବଶ୍ୟକ

Comments are closed, but trackbacks and pingbacks are open.