ଡାଲିଆ ଫୁଲ ଚାଷ

23

ଡାଲିଆ ଫୁଲର ଜନ୍ମ ମେକ୍‌ସିକୋରେ ହୋଇଛି । କ୍ରମେ ଏହା ଅନ୍ୟାନ୍ୟ ଦେଶକୁ ଆସିଛି । ଅନ୍ୟାନ୍ୟ ଫୁଲ ତୁଳନାରେ ଏହା ଆକାରରେ ବଡ଼ । ଥଣ୍ଡା ଜଳବାୟୁରେ ଏହା ଭଲ ହୋଇଥାଏ । ଆମ ରାଜ୍ୟରେ ଏହା ଶୀତଋତୁରେ କରାଯାଇ ପାରିବ । ତେବେ ଦୋରସା ଏବଂ ବାଲି-ଦୋରସା ମାଟିରେ ଏହା ଭଲହୁଏ । ମାଟିର ଅମ୍ଳ ପରିମାପକ ମୂଲ୍ୟ ୬-୬.୫ ମଧ୍ୟରେ ହୋଇଥିବା ଭଲ । ଜମି ନିଗିଡ଼ା ହୋଇଥିବା ନିହାତି ଦରକାର ।
ବିଭିନ୍ନ ପ୍ରକାରର ଡାଲିଆ ଦେଖାଯାଇଥାଏ । ଫୁଲର ଆକାର ଓ ସଜ୍ଜିକରଣ ଅନୁସାରେ ଡାଲିଆକୁ ଏଗାର ଭାଗରେ ବିଭକ୍ତ କରାଯାଇଛି । ବିଭିନ୍ନ କିସମମାନ ହେଲା ହ୍ୱାଇଟ୍‌ଷ୍ଟାର, କକେଟ, କ୍ରୟୋଡନ, ଲେଡ଼ିଫ୍ରେଣ୍ଡ, କମେଟ, ପିସ୍‌, ଏଡ଼ିନବର୍ଗ, ନିଉବାଏ, ଷ୍ଟାଣ୍ଡାର୍ଡ, ଗୋଲଡ୍ ବଲ୍‌, ଆଲବର୍ଟ, ଗ୍ରେସ୍‌, ଲଭଲିଲୁକର, ନର୍ଦର୍ଣ୍ଣ ଗୋଲଡ୍‌, ହନି ଇତ୍ୟାଦି ।
ଡାଳ ଏବଂ କନ୍ଦା ଦ୍ୱାରା ଡାଲିଆ ଗଛ ଲଗାଯାଏ । କେତେକ କ୍ଷେତ୍ରରେ ମଞ୍ଜିହରୁ ମଧ୍ୟ ଗଛ କରାଯାଇଥାଏ । ଅଗଷ୍ଟରୁ ନଭେମ୍ବର ମାସରେ ଡାଲିଆ ଲଗାଯାଏ । ଏଥିପାଇଁ ହଳକରି ମାଟିକୁ ଗୁଣ୍ଡ କରିଦେବା ଆବଶ୍ୟକ । ଶେଷ ଓଡ଼ ଚାଷ ବେଳେ ଏକର ପ୍ରତି ୭୦-୮୦ କ୍ୱିଣ୍ଟାଲ ସଢ଼ା ଗୋବର ଖତ ବା କମ୍ପୋଷ୍ଟ ପକାଇବାକୁ ହେବ । ଧାଡ଼ିକୁ ଧାଡ଼ି ୭୦ ସେଣ୍ଟିମିଟର ଓ ଗଛକୁ ଗଛ ୬୦ ସେଣ୍ଟିମିଟର ଦୂରତାରେ ଗଛ ଲଗାଯାଏ । ଛୋଟ କିସମଗୁଡ଼ିକୁ ଧାଡ଼ିକୁ ଧାଡ଼ି ୪୫ ସେଣ୍ଟିମିଟର ଓ ଗଛକୁ ଗଛ ୩୦ ସେଣ୍ଟିମିଟର ଦୂରତାରେ ଲଗାହୁଏ ।
ଚାରା ଲଗାଇବା ବେଳେ ଏକର ପ୍ରତି ୨୦ କିଲୋଗ୍ରାମ ଯବକ୍ଷାର, ୨୦ କିଲୋଗ୍ରାମ ଫସଫରସ୍ ଓ ୪୦ କିଲୋଗ୍ରାମ ପଟାସ ଦରକାର ହୋଇଥାଏ । ଏଥିପାଇଁ ୪୪ କିଲୋଗ୍ରାମ ୟୁରିଆ, ୧୨୫ କିଲୋଗ୍ରାମ ସିଙ୍ଗଲ ସୁପର ଫସଫେଟ୍ ଓ ୬୭ କିଲୋଗ୍ରାମ ମ୍ୟୁରେଟ୍ ଅଫ୍ ପଟାସ ଦରକାର ହେବ । ଏହା ବଦଳରେ ୧୩୩ କିଲୋଗ୍ରାମ ଶ୍ୟାମଳା (୧୫-୧୫-୧୫) ଓ ୩୩ କିଲୋଗ୍ରାମ ମ୍ୟୁରେଟ୍ ଅଫ୍ ପଟାସ ପ୍ରୟୋଗ କରାଯାଇପାରିବ । ଏହା ବଦଳରେ ୭୨ କିଲୋଗ୍ରାମ ଗ୍ରୋମୋର (୨୮-୨୮-୦) ଓ ୬୭ କିଲୋଗ୍ରାମ ମ୍ୟୁରେଟ୍ ଅଫ୍ ପଟାସ ପ୍ରୟୋଗ କରାଯାଇପାରେ ।
ଚାରା ଲଗାଇବାର ଏକ ମାସ ପରେ ଏକର ପ୍ରତି ୨୦ କିଲୋଗ୍ରାମ ଯବକ୍ଷାର ବା ୪୪ କିଲୋଗ୍ରାମ ୟୁରିଆ ପ୍ରୟୋଗ କରିବାକୁ ହେବ । ଗଛ ଲଗାଇଲା ବେଳେ ହାଡ଼ଗୁଣ୍ଡ ପ୍ରୟୋଗ କଲେ ଉନ୍ନତ ମାନର ଫୁଲ ମିଳିଥାଏ ।
ମଝିରେ ମଝିରେ ଜମିକୁ ଖୁସାଇ ଘାସ ବାଛି ଦେବାକୁ ହେବ । ଅଧିକ ସଂଖ୍ୟକ ଫୁଲ ପାଇବାକୁ ହେଲେ ଗଛ ୧୫-୨୦ ସେଣ୍ଟିମିଟର ହେଲା ପରେ ଏହାର ଅଗ ଛିଣ୍ଡାଇ ଦିଆଯାଏ । ବଡ଼ ଆକାରର ଫୁଲ ପାଇବାକୁ ଚାହୁଁଥିଲେ ଡାଳଗୁଡ଼ିକ ଭାଙ୍ଗିଦେବା ଉଚିତ । ଗଛ ମୂଳରେ ବାଡ଼ି ପୋତି ଦେଲେ ଗଛ ଭାଙ୍ଗିବାର ଆଶଙ୍କ ରହେନାହିଁ । ମାଟିର ଆବଶ୍ୟକତାକୁ ଚାହିଁ ପାଣି ମଡ଼ାଇବା ଉଚିତ । ଦେଖିବା କଥା ଯେମିତି କିଆରିରେ ଅଧିକ ପାଣି ଜମି ନ ହେ । ପ୍ରତି ୪.୫ ଲିଟର ପାଣି ସହିତ ୧ ମିଲିଲିଟର ହିସାବରେ ପ୍ଲାନୋଫିକ୍‌ସ ମିଶାଇ ସ୍ପ୍ରେ କଲେ ଗଛରେ ଶୀଘ୍ର ଫୁଲ ଆସିଥାଏ ।
ଡାଲିଆ ଗଛରେ ପାଉଁଶିଆ ରୋଗ ଦେଖାଯାଏ । ଏହି ରୋଗ ହେଲେ ପତ୍ର ଉପରେ ଧଳା ଗୁଣ୍‌ହ ଜମିଗଲା ପରି ଦେଖାଯାଏ । ପ୍ରତି ଲିଟର ପାଣି ସହିତ ୩ ଗ୍ରାମ ନାଗସଲଫ ବା ହିଲ ସଲଫର ବା ସଲଫେକ୍‌ସ ମିଶାଇ ଗଛରେ ସ୍ପ୍ରେ କଲେ ଏହି ରୋଗ ଦମନ କରିହେବ । ପତ୍ରପୋଡ଼ା ରୋଗ ହେଲେ ପତ୍ର ଏବଂ ଡାଳରେ ବାଦାମୀ ର୍‌ଗର ଦାଗ ଦେଖାଯାଏ । ଏହାକୁ ଦମନ କରିବା ପାଇଁ ପ୍ରତି ଲିଟର ପାଣି ସହିତ ୧ ଗ୍ରାମ ବାଭିଷ୍ଟିନ୍ ବା ୧ ମିଲିଲିଟର ରେଜଲଟ୍ ବା ଟିଲଟ ମିଶାଇ ସ୍ପ୍ରେ କରାଯାଇପାରିବ ।
ଏହି ଗଛରେ ଜଉପୋକ ଲାଗିଥାନ୍ତି । ଏମାନେ ପତ୍ର ଓ ଡାଳରୁ ରସ ଶୋଷି ଖାଇ ଦିଅନ୍ତି । ଫଳରେ ଗଛ ରୁଗ୍‌ଣ ହୋଇଯାଏ । ଉକୁଣିଆ ପୋକ ପତ୍ର ତଳ ପାଖରେ ରହି ରସ ଶୋଷିଥାଏ । ଫଳରେ ପତ୍ର ଝାଉଁଳିପଡ଼େ । ଏମାନଙ୍କୁ ଦମନ କରିବା ପାଇଁ ପ୍ରତି ଲିଟର ପାଣି ସହିତ ୨ ମିଲିଲିଟର ମେଟାସିଷ୍ଟକ୍‌ସ ବା ଧନୁସିଷ୍ଟକ୍‌ସ ମିଶାଇ ସ୍ପ୍ରେ କରାଯାଇପାରିବ ।
ଡାଲିଆ ଲଗାଇବାର ୩-୪ ମାସ ମଧ୍ୟରେ ଫୁଲ ଆସିଥାଏ । ଫୁଲକୁ ଗଛରୁ କାଟି ସଙ୍ଗେ ସଙ୍ଗେ ପାଣିରେ ରଖିଢ଼ଲେ ଅଧିକ ସମୟ ସତେଜ ରହେ । ଫୁଲ କାଟିବାରୁ ଏକ ମାସ ପରେ କନ୍ଦକୁ ମାଟିରୁ ଖୋଳି ଅମଳ କରାଯାଏ ।
ଅନେକ ଲୋକ କୁଣ୍ଡରେ ଡାଲିଆ ଲଗାଇଥାନ୍ତି । ଏଥିପାଇଁ କୁଣ୍ଡର ବ୍ୟାସ ୨୦-୩୦ ସେଣ୍ଟିମିଟର ହେବା ଉଚିତ । ଦୋରସା ମାଟି, ସଢ଼ା ଖତ ଓ ପତ୍ର ଗୁଣ୍ଡର ମିଶ୍ରଣକୁ କୁଣ୍ଡରେ ଭର୍ତ୍ତି କରାଯାଏ । ଏଥି ସହିତ ହାଡ଼ଗୁଣ୍ଡ ଓ ପିଡ଼ିଆ ପକାଇଲେ ଭଲ ଫୁଲ ଫୁଟିଥାଏ ।

Comments are closed, but trackbacks and pingbacks are open.