ସଡ଼କ ଦୁର୍ଘଟଣାରେ ଚାଲିଗଲେ ସାଇରସ୍‌ ମିସ୍ତ୍ରୀ

41

ଟାଟା ସନ୍ସର ପୂର୍ବତନ ଅଧ୍ୟକ୍ଷ ସାଇରସ୍ ମିସ୍ତ୍ରୀ (Cyrus Mistry) ଆଉ ନାହାନ୍ତି । ମହାରାଷ୍ଟ୍ର ପାଲଘର ନିକଟରେ ଏକ ସଡକ ଦୁର୍ଘଟଣାରେ ତାଙ୍କର ପରଲୋକ ହୋଇଛି । ଦୁର୍ଘଟଣା ପରେ ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆ ଯାଉଥିଲା, ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଛି । ମୃତ୍ୟୁ ବେଳକୁ ସାଇରସ୍ ମିସ୍ତ୍ରୀଙ୍କୁ ମାତ୍ର ୫୪ ବର୍ଷ ହୋଇଥିଲା । ପାଲଘର ଏସପି ସାଇରସ୍ ମିସ୍ତ୍ରୀଙ୍କ ମୃତ୍ୟୁ ସମ୍ପର୍କରେ ସୂଚନା ଦେଇଛନ୍ତି ।

ସାଇରସ୍ ମିସ୍ତ୍ରୀ ନିଜ ମର୍ସିଡିଜ୍ କାରରେ ତାଙ୍କର ୪ ଜଣ ବନ୍ଧୁଙ୍କ ସହ ପାଲଘର ଯାଉଥିବା ବେଳେ ଗାଡିଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା I ଅହମ୍ମଦାବାଦରୁ ମୁମ୍ବାଇ ଅଭିମୁଖେ ଯାଉଥିବା ସମୟରେ ଦ୍ୱିପହର ପ୍ରାୟ ୩.୧୫ ସମୟରେ ଏହି ଦୁର୍ଘଟଣା ଘଟିଛି । ପ୍ରତ୍ୟେକ୍ଷଦର୍ଶୀଙ୍କ କହିବା ଅନୁସାରେ କାରଟି ଦ୍ରୁତ ଗତିରେ ମୁମ୍ବାଇ ଆଡ଼କୁ ମାଡ଼ି ଆସୁଥିଲା । ତେବେ ନିୟନ୍ତ୍ରଣ ହରାଇବା ପରେ ଡିଭାଇଡରରେ ପିଟି ହୋଇ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି । ସୂର୍ଯ୍ୟା ନଦୀ ଉପରେ ହୋଇଥିବା ସେତୁ ଉପରେ ଦୁର୍ଘଟଣା ଘଟିଛି । କାରରେ ୪ ଜଣ ସବାର ଥିବାବେଳେ ୨ ଜଣଙ୍କର ମୃତ୍ୟୁ ହୋଇଛି । ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ସାଇରସ୍ ମିସ୍ତ୍ରୀ ଭାରତୀୟ ମୂଳର ସବୁଠାରୁ ସଫଳ ଏବଂ ଶକ୍ତିଶାଳୀ ବ୍ୟବସାୟୀମାନଙ୍କ ମଧ୍ୟରୁ ଅନ୍ୟତମ ପଲୋନଜୀ ଶାପୁରଜୀ ମିସ୍ତ୍ରୀଙ୍କ ପୁଅ । ସାଇରସ୍ ମିସ୍ତ୍ରୀ ଆୟର୍ଲାଣ୍ଡରେ ଜନ୍ମଗ୍ରହଣ କରିଥିଲେ । ସେ ଲଣ୍ଡନ ବ୍ୟବସାୟ ବିଦ୍ୟାଳୟରେ ଅଧ୍ୟୟନ କରିଥିଲେ । ସାଇରସ୍‌ ୧୯୯୧ରୁ ନିଜ ପାରିବାରିକ ପାଲୋଞ୍ଜୀ ଗ୍ରୁପରେ କାମ କରିବା ଆରମ୍ଭ କରିଥିଲେ ।

ସାଇରସ ମିସ୍ତ୍ରୀ ୨୦୧୨ ଡିସେମ୍ବର ୨୮ ତାରିଖରେ ଟାଟାଗ୍ରୁପର ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଥିଲେ । ହେଲେ ୨୦୧୬ ଅକ୍ଟୋବର ୨୪ ତାରିଖରେ ତାଙ୍କୁ ଟାଟାଗ୍ରୁପର ଅଧ୍ୟକ୍ଷ ପଦରୁ ବାହାର କରିଦିଆଯାଇଥିଲା ।

Comments are closed, but trackbacks and pingbacks are open.