ଭୁବନେଶ୍ୱର: ‘କେନ୍ଦ୍ର ବଜେଟ୍ ୨୦୨୬-୨୭’ ଏକ ଭବିଷ୍ୟତବାଦୀ, ଯୁବଶକ୍ତି-କେନ୍ଦ୍ରିକ, ଜନହିତକର ଏବଂ ନିଯୁକ୍ତିଭିତ୍ତିକ ବଜେଟ୍ । ଭାରତର ଅଭିବୃଦ୍ଧି ସାମର୍ଥ୍ୟର ସମ୍ପୂର୍ଣ୍ଣ ବିନିଯୋଗ, ସବୁ ବର୍ଗର ଲୋକଙ୍କ ସାମଗ୍ରିକ ବିକାଶ ଏବଂ ‘ବିକଶିତ ଭାରତ’ର ସ୍ୱପ୍ନକୁ ସାକାର କରିବା ପାଇଁ ଲୋକଭିମୁଖୀ ବଜେଟ୍ ଉପସ୍ଥାପନ କରିଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ବଜେଟ୍ ପୂର୍ବ ଭାରତ ବିଶେଷତଃ ଓଡ଼ିଶାର ଆର୍ଥିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବ ବୋଲି ସେ କହିଛନ୍ତି। ନୂଆଦିଲ୍ଲୀ ଠାରେ ବଜେଟ୍ ସମ୍ପର୍କିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ, ‘ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା, ସମସ୍ତଙ୍କ ଆଶା-ଆକାଂକ୍ଷା ପୂରଣ କରି ସାମର୍ଥ୍ୟ ବଢ଼ାଇବା ଏବଂ ପ୍ରତିଟି ପରିବାର ଓ ସମ୍ପ୍ରଦାୟ ପାଖରେ ସମ୍ବଳ, ସୁଯୋଗ ଓ ସୁବିଧା ପହଞ୍ଚାଇବା’—ଏହି ତିନୋଟି କର୍ତ୍ତବ୍ୟ ଦ୍ୱାରା ଅନୁପ୍ରାଣିତ ଏହି ବିକଶିତ ଭାରତ ବଜେଟ୍ ସବୁ କ୍ଷେତ୍ରରେ ସର୍ବାଙ୍ଗୀନ ବିକାଶ ଆଣିବ। ଏହି ବଜେଟ୍ ସବକା ସାଥ୍, ସବକା ବିକାଶ ମନ୍ତ୍ର ଉପରେ ଗୁରୁତ୍ୱ ଦେଇଛି, ଯାହା ଦ୍ୱାରା ଗରିବ ଏବଂ ମଧ୍ୟବିତ୍ତ ପରିବାରମାନେ ବିଶେଷ ଭାବରେ ଲାଭ ପାଇବେ। ଏହା ଭାରତର ପରବର୍ତ୍ତୀ ପର୍ଯ୍ୟାୟର ଅଭିବୃଦ୍ଧି ପାଇଁ ‘ରିଫର୍ମ ଏକ୍ସପ୍ରେସ୍’ ବା ସଂସ୍କାରର ଗତିକୁ ତ୍ୱରାନ୍ୱିତ କରିବ ଏବଂ ୧୪୦ କୋଟିରୁ ଅଧିକ ଭାରତୀଙ୍କ ଲାଭ ସୁନିଶ୍ଚିତ କରିବ।
Comments are closed, but trackbacks and pingbacks are open.