ବାଜରା ଚାଷ କରନ୍ତୁ, ଲାଭବାନ୍ ହୁଅନ୍ତୁ

32

ବାଜରାର ଜନ୍ମ ଆଫ୍ରିକାରେ ହୋଇଥିବା କଥା ଅନୁମାନ କରାଯାଏ । କେତେକଙ୍କ ମତରେ ଏହା ଭାରତରେ ଜନ୍ମ ହୋଇଛି । ଚୀନରେପ୍ରଥମେ ବାଜରା ଚାଷ ଆରମ୍ଭ ହୋଇଥିଲା ବୋଲି କେହି କେହି କହନ୍ତି । ଆମ ରାଜ୍ୟରେ ପ୍ରାୟ ୪ ହଜାର ହେକ୍ଟର ଜମିରେ ବାଜରା ଚାଷ ହୋଇଥାଏ । ବାଜରାରେ ବିଭିନ୍ନ ପ୍ରକାରର ଖାଦ୍ୟ ଉପାଦାନ ରହିଛି । ଏଥିରେ ଶତକଡ଼ା ୬୭ ଭାଗ ଶ୍ୱେତସାର, ୧୧.୬ ଭାଗ ପୁଷ୍ଟିସାର, ୫ ଭାଗ ସ୍ନେହସାର ଓ ୨.୭ ଭାଗ ଖଣିଜ ଲବଣ ଥିବାର ଜଣାଯାଏ । ବାଜରାକୁ ଲୋକମ।।ନେ ଖଇ କରି ଖାଇଥାନ୍ତି । ଏହାର ଗଛକୁ ଉତ୍ତମ ଗୋଖାଦ୍ୟ ରୂପେ ବ୍ୟବହାର କରାଯାଏ ।
ନିଗିଡ଼ା ଦୋରସା ମାଟିରେ ବାଜରା ଭଲ ହୁଏ । ପାଣି ଜମି ରହିଲେ ଗଛ ଭଲ ବଢ଼େ ନାହିଁ । ଅମ୍ଳୀୟ ଜମିରେ ଏହି ଫସଲର ଅମଳ କମିଯାଏ । ଅଳ୍ପ କ୍ଷାରୀୟ ମାଟିରେ ଏହା ଚାଷ କରାଯାଇପାରିବ । ବାଜରା ଗଛ ଖୁବ୍ ଶୀଘ୍ର ବଢ଼ିଥାଏ । ଏହାର ମରୁଡ଼ି ସହନଶୀଳ କ୍ଷମତା ରହିଛି । ବାୟୁମଣ୍ଡଳର ଉତ୍ତାପ ୨୦ରୁ ୨୮ ଡିଗ୍ରୀ ସେଲସିଅସ୍ ମଧ୍ୟରେ ରହିଲେ ବାଜରା ଫସଲ ଭଲ ହୋଇଥାଏ । ଆମ ରାଜ୍ୟରେ ବର୍ଷାଦିନେ ବାଜରା ଚାଷ କରାଯାଇଥାଏ । ଏଥିପାଇଁ ଜୁନ୍ ମାସରେ ବିହନ ବୁଣିବା ଉଚିତ ।
ଏକ ଏକର ଜମିରେ ବୁଣିବା ପାଇଁ ପ୍ରାୟ ୪ କିଲୋଗ୍ରାମ ବିହନ ଦରକାର ହୋଇଥାଏ । ଏଚ୍‌ବି-୧, ଏଚ୍‌ବି-୩, ଏଚ୍‌ବି-୪ ଆଦି କିସମ ଚାଷ କଲେ ଅଧିକ ଅମଳ ମିଳିପାରିବ । ବିହନକୁ କିଲୋଗ୍ରାମ ପ୍ରତି ୩ ଗ୍ରାମ ଥିରାମ ବା ଦେଢ଼ଗ୍ରାମ ବାଭିଷ୍ଟିନ୍ ସହ ମିଶାଇ ବିଶୋଧନ କରିଦେବାହ ଆବଶ୍ୟକ । ବୁଣିବା ପୂର୍ବରୁ ଭଲ ଭାବେ ହଳ କରି ମାଟି ଗୁଣ୍ଡ କରିଦେବା ଆବଶ୍ୟକ । ଧାଡ଼ିକୁ ଧାଡ଼ି ୪୫ ସେଣ୍ଟିମିଟର ଓ ଗଛକୁ ଗଛ ୧୦ ସେଣ୍ଟିମିଟର ଦୂରତାରେ ବିହନ ବୁଣିବାକୁ ହେବ । ମଞ୍ଜିଗୁଡ଼ିକ ୨-୩ ସେଣ୍ଟିମିଟର ଗଭୀତରାରେ ପଡ଼ିଲେ ଶୀଘ୍ର ଗଛ ବାହାରେ ।
ଏକ କ୍ୱିଣ୍ଟାଲ ବାଜରା ଅମଳ ପାଇଁ ପ୍ରାୟ ୪.୨୩ କି.ଗ୍ରା. ଯବକ୍ଷାର, ୨.୨୬ କି.ଗ୍ରା. ଫସଫରସ ଓ ୯.୦୮ କି.ଗ୍ରା. ପଟାସ ସାର ଦରକାର ହୋଇଥାଏ । ଶେଷ ଓଡ଼ ଚାଷ ବେଳେ ଏକର ପ୍ରତି ୨୫-୩୦ କ୍ୱିଣ୍ଟାଲ ସଢ଼ା ଗୋବର ଖତ ବା କମ୍ପୋଷ୍ଟ ପକାଇବା ଉଚିତ । ବୁଣିବା ବେଳେ ଏକର ପ୍ରତି ୧୨ କି.ଗ୍ରା. ଯବକ୍ଷାର, ୧୨ କି.ଗ୍ର।।. ଫସଫରସ୍ ଓ ୧୨ କି.ଗ୍ରା. ପଟାସ ପ୍ରୟୋଗ କରିବାକୁ ହେବ । ଏଥିପାଇଁ ଏକର ପ୍ରତି ୪୩ କି.ଗ୍ରା. ଗ୍ରୋମୋର (୨୮-୨୮-୦) ଓ ୨୦ କି.ଗ୍ରା. ମ୍ୟୁରେଟ୍ ଅଫ୍ ପଟାସ ପ୍ରୟୋଗ କରାଯିବ । ଏହା ବଦଳରେ ୮୦ କି.ଗ୍ରା. ଶ୍ୟାମଳା (୧୫-୧୫-୧୫) ପ୍ରୟୋଗ କରାଯାଇପାରେ । ନଚେତ୍ ଏକର ପ୍ରତି ୪୬ କି.ଗ୍ରା. ଏନ୍‌ପିକେ (୧୦-୨୬-୨୬) ଓ ୧୬ କି.ଗ୍ରା. ୟୁରିଆ ବ୍ୟବହାର କରାଯାଇ ପାରିବ । ଗଛ ହେବାହର ତିନି ସପ୍ତାହ ପରେ ଏକର ପ୍ରତି ୧୨ କି.ଗ୍ରା. ଯବକ୍ଷାର ବା ୨୬ କି.ଗ୍ରା. ୟୁରିଆ ପ୍ରୟୋଗ କରିବା ଆବଶ୍ୟକ ।
ଗଛ ହେବାର ତିନି ସପ୍ତାହ ପରେ ହାତରେ ବାଛି ବା ଖୁସାଇ ଘାସ ଦମନ କରିବା ଉଚିତ । ରାସାୟନିକ ଔଷଧ ବ୍ୟବହାର କରି ମଧ୍ୟ ଘାସ ଦମନ କରାଯାଇପାରେ । ଏଥିପାଇଁ ବିହନ ବୁଣିବା ପରଦିନ ଏକର ପ୍ରତି ୮୦୦-୧୦୦୦ ଗ୍ରାମ ଆଟ୍ରାଟାଫ ଔଷଧକୁ ୪୦୦ ଲିଟର ପାଣି ସହ ମିଶାଇ ଜମିରେ ପ୍ରୟୋଗ କରିବାକୁ ପଡ଼ିବ । ଘାସମରା ଔଷଧ ପ୍ରୟୋଗ ବେଳେ ଜମିରେ ବତର ଥିବା ଦରକାର ।
ଏହି ଫସଲରେ କାଣ୍ଡବିନ୍ଧାପୋକ, ଲାଲ ସଁବାଳୁଆ ପୋକ ଆଦି ଦେଖାଯାଆନ୍ତି । ଏମାନଙ୍କୁ ଦମନ କରିବା ପାଇଁ ଏକର ପ୍ରତି ୪୦୦ ମିଲିଲିଟର କ୍ଲୋରୋଫାଇରିଫସ୍‌କୁ ୨୦୦ ଲିଟର ପାଣି ସହ ମିଶାଇ ସ୍ପ୍ରେ କରାଯାଇ ପାରିବ । ଜଉ ପୋକ ଲାଗିଲେ ଏକର ପ୍ରତି ୪୦୦ ମିଲିଲିଟର ମିଥାଇଲ ଡିମେଟନ ବା ଡାଇମିଥୋଏଟକୁ ୨୦୦ ଲିଟର ପାଣି ସହ ମିଶାଇ ସ୍ପ୍ରେ କରିବା ଉଚିତ । ବାଜରା ଫସଲରେ ମହିଷା ରୋଗ ଦେଖାଯାଏ । ଏହାକୁ ଦମନ କରିବା ପାଇଁ ଏକର ପ୍ରତି ୪୦୦ ମିଲିଲିଟର ହିନୋସାନ ବା ୨୦୦ ଗ୍ରାମ ବାଭିଷ୍ଟିନ୍‌କୁ ୨୦୦ ଲିଟର ପାଣଇ ସହ ମିଶାଇ ସ୍ପ୍ରେ କରିବା ଦରକାର ।
ମଞ୍ଜି ଟାଣ ହୋଇଗଲା ପରେ ବାଜରା ଅମଳ କରିବାକୁ ଉପଯୁକ୍ତ ହୁଏ । ଗଛକୁ ଶୁଖାଇ ଏଥିରୁ ମଞ୍ଜି ଅଲଗା କରାଯାଏ । ପରେ ଏହାକୁ ଭଲ ଭାବେ ଶୁଖାଇ ସାଇତି ରଖାଯାଏ । ଏକ ଏକର ଜମିରୁ ହାରାହାରି ୧୦-୧୨ହ କ୍ୱିଣ୍ଟାଲ ଅମଳ ମିଳିଥାଏ ।

Comments are closed, but trackbacks and pingbacks are open.