ଜବଲପୁର ବର୍ଗୀ ଡ୍ୟାମରେ କ୍ରୁଜ୍ ଦୁର୍ଘଟଣା: ୯ ମୃତଦେହ ଉଦ୍ଧାର, ଏବେ ବି ୬ ନିଖୋଜ

20

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଜବଲପୁରସ୍ଥିତ ବର୍ଗୀ ଡ୍ୟାମରେ ଘଟିଥିବା ଭୟଙ୍କର କ୍ରୁଜ୍ ଜାହାଜ ଦୁର୍ଘଟଣା ପରେ ଉଦ୍ଧାର କାର୍ଯ୍ୟ ଜୋରଦାର କରାଯାଇଛି। କ୍ରୁଜ୍‌ରେ ଥିବା ମୋଟ ୪୩ ଜଣ ଯାତ୍ରୀଙ୍କ ମଧ୍ୟରୁ ଏପର୍ଯ୍ୟନ୍ତ ୯ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ୨୮ ଜଣଙ୍କୁ ସୁରକ୍ଷିତ ଭାବେ ବାହାର କରାଯାଇଛି। ଅନ୍ୟ ୬ ଜଣ ଏବେ ମଧ୍ୟ ନିଖୋଜ ଅଛନ୍ତି, ଯାହାଙ୍କୁ ଖୋଜିବା ପାଇଁ ସେନା ଓ ବିପର୍ଯ୍ୟୟ ପ୍ରଶମନ ବାହିନୀ ପକ୍ଷରୁ ମିଳିତ ଅଭିଯାନ ଜାରି ରହିଛି। ଉଦ୍ଧାର କାର୍ଯ୍ୟରେ ସ୍ଥାନୀୟ ପୋଲିସ ଓ SDRF ସହିତ ଏବେ NDRF ଏବଂ ଭାରତୀୟ ସେନାର ଦଳ ସାମିଲ ହୋଇଛନ୍ତି। ବିଶେଷ କରି ହାଇଦ୍ରାବାଦରୁ ସେନା ଦଳ ଏବଂ କୋଲକାତାରୁ ଅର୍ଦ୍ଧସାମରିକ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଅତ୍ୟାଧୁନିକ ମୋଟରବୋଟ୍, ସ୍ପିଡ୍ ବୋଟ୍ ଏବଂ ବୃତ୍ତିଗତ ବୁଡ଼ାଳିଙ୍କ ସହାୟତାରେ ସନ୍ଧାନ ଜାରି ରଖିଛନ୍ତି। ଜବଲପୁର କଲେକ୍ଟର ବର୍ତ୍ତମାନ ସୁଦ୍ଧା ୨୮ ଜଣ ବଞ୍ଚିଥିବା ବ୍ୟକ୍ତିଙ୍କ ତାଲିକା ଜାରି କରିଛନ୍ତି। ଜବଲପୁରର ଖାମାରିଆ ଅଞ୍ଚଳରେ ରହୁଥିବା ତାମିଲନାଡୁର ଏକ ପରିବାର ଏବଂ ସେମାନଙ୍କ ସମ୍ପର୍କୀୟମାନେ ଏହି କ୍ରୁଜ୍‌ରେ ବୁଲୁଥିଲେ। ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିବା ୧୧ ବର୍ଷୀୟ ବାଳକ ଜାଫରଙ୍କ କହିବା ଅନୁଯାୟୀ, ହଠାତ୍ ପ୍ରବଳ ଝଡ଼ବର୍ଷା ହେବା ଯୋଗୁଁ ଜାହାଜ ଭିତରକୁ ପାଣି ପଶି ଆସିଥିଲା, ଯାହାଫଳରେ ଭାରସାମ୍ୟ ହରାଇ କ୍ରୁଜ୍‌ଟି ବୁଡ଼ି ଯାଇଥିଲା।

Comments are closed, but trackbacks and pingbacks are open.