ରାଷ୍ଟ୍ରପତି ନିର୍ବାଚନ ରେ କ୍ରସ ଭୋଟିଂ : ମୋକିମ ଙ୍କୁ କାରଣ ଦର୍ଶାଅ ନୋଟିସ

51

ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ କ୍ରସ ଭୋଟିଂ ପ୍ରସଙ୍ଗରେ କଟକ ବାରବାଟୀ କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କୁ କଂଗ୍ରେସ ହାଇକମାଣ୍ଡ ଙ୍କ ପକ୍ଷରୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି । ଦଳୀୟ ଶୃଙ୍ଖଳା ଭଙ୍ଗ ଅଭିଯୋଗରେ ମୋକିମଙ୍କୁ ନୋଟିସ୍‌ ଜାରି କରାଯାଇଥିବା ବେଳେ ୨ ସପ୍ତାହ ଭିତରେ ଜବାବ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ନିଜ ଦଳ କଥା ନ ଶୁଣି ବିବେକ କଥାକୁ ପ୍ରାଧାନ୍ୟ ଦେଇ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେଇଥିବା କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କୁ ଏବେ ମିଳିଛି କାରଣ ଦର୍ଶାଅ ନୋଟିସ୍ । ଏନେଇ କଂଗ୍ରେସ ମିଡିଆ ସେଲ୍ ମୁଖ୍ୟ ସତ୍ୟ ନାୟକ ସୂଚନା ଦେଇଛନ୍ତି।
ରାଷ୍ଟ୍ରପତି ନିର୍ବାଚନ ନିମନ୍ତେ ଏନଡିଏ ଦ୍ରୌପଦୀ ମୁର୍ମୁଙ୍କୁ ପ୍ରାର୍ଥୀ କରିଥିବା ବେଳେ କଂଗ୍ରେସ ବିରୋଧୀ ପ୍ରାର୍ଥୀ ଯଶବନ୍ତ ସିହ୍ନାଙ୍କୁ ସମର୍ଥନ କରିଥିଲା। ଏଥିସହ ଦଳର ସମସ୍ତ ବିଧାୟକ ଯଶବନ୍ତ ସିହ୍ନାଙ୍କୁ ଭୋଟ ଦେବାକୁ କୁହାଯାଇଥିଲା। ତେବେ ଦଳର ନିଷ୍ପତ୍ତି ବିରୋଧରେ ଯାଇ କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେଇଛନ୍ତି । ଏହା ପରେ ମୋକିମ କହିଥିଲେ ଯେ, ‘ମୁଁ ବ୍ୟକ୍ତିଗତ ଭାବେ ବିଚାର କରି ଭୋଟ ଦେଇଛି । ଜଣେ ଓଡ଼ିଆ ଓ ଆଦିବାସୀ ମହିଳା ହୋଇଥିବାରୁ ମୁଁ ଦ୍ରୌପଦୀଙ୍କୁ ଭୋଟ ଦେଇଛି । ମୋକିମ କହିଛନ୍ତି ରାଷ୍ଟ୍ରପତି ନିର୍ବାଚନ ପାଇଁ କୌଣସି ହୁଇପ ନଥାଏ ।ସମ୍ବିଧାନର ସର୍ବୋଚ୍ଚ ପଦରେ ଜଣେ ଓଡ଼ିଆ ବସିବାକୁ ଯାଉଥିବାରୁ ଓଡ଼ିଆଙ୍କ ଭାବାବେଗକୁ ଦୃଷ୍ଟିରେ ରଖି ଦ୍ରୌପଦୀଙ୍କୁ ଭୋଟ ଦେଇଛି । ଆଉ ଭାବୁଛି ଭୋଟ ଦେଇ ମୁଁ ଠିକ୍ କରିଛି । ବିବେକ ଅନୁଯାୟୀ ଭୋଟ ଦେଇଛି ।’ଏ ପ୍ରସଙ୍ଗରେ ଦଳୀୟ ଭିତ୍ତିରେ ଆଲୋଚନା ହେବ । ମୁଁ କିନ୍ତୁ ବ୍ୟକ୍ତିଗତ ଭାବେ ଏଭଳି ନିଷ୍ପତ୍ତି ନେଇଛି ।

Comments are closed, but trackbacks and pingbacks are open.