ଭୁବନେଶ୍ବର: ବାଲେଶ୍ଵର ଏଫ.ଏମ. (ସ୍ୱୟଂଶାସିତ) କଲେଜର ତୃତୀୟ ବର୍ଷ ସମନ୍ୱିତ ବି.ଏଡ୍ ଛାତ୍ରୀ ସୌମ୍ୟଶ୍ରୀଙ୍କ ମୃତ୍ୟୁ ମାମଲାରେ ରାଜ୍ୟ କ୍ରାଇମବ୍ରାଞ୍ଚ ପକ୍ଷରୁ ପ୍ରାରମ୍ଭିକ ଚାର୍ଜସିଟ୍ ଦାଖଲ କରାଯାଇଛି। ଏହି ମାମଲାରେ ପୁଲିସ ୧୨୦ ଜଣ ସାକ୍ଷୀଙ୍କ ବୟାନ ଏବଂ ବିଭିନ୍ନ ଗ୍ୟାଜେଟରୁ ଡିଜିଟାଲ୍ ପ୍ରମାଣ ସମେତ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ସଂଗ୍ରହ କରିଛି। ଭାରତୀୟ ନାଗରିକ ସୁରକ୍ଷା ସଂହିତା (BNSS) ର ଧାରା 193(3) ଅନୁଯାୟୀ, 504 ପୃଷ୍ଠା ସମ୍ବଳିତ ଏକ ପ୍ରାରମ୍ଭିକ ଚାର୍ଜସିଟ କୋର୍ଟରେ ଦାଖଲ କରାଯାଇଛି। ଅଧିକ ପ୍ରମାଣ ସଂଗ୍ରହ ଏବଂ ଏକାଧିକ ବ୍ୟକ୍ତିଙ୍କ ସମ୍ପୃକ୍ତି ସମ୍ପର୍କରେ BNSS ର ଧାରା 193(9) ଅନୁଯାୟୀ ପୋଲିସର ତଦନ୍ତ ଜାରି ରହିଛି। ମାମଲାର ବିବରଣୀ ଅନୁଯାୟୀ, ପୀଡିତାଙ୍କ ସମ୍ପର୍କୀୟ ଭାଇ ଅରିଜିତ ଦେ ଙ୍କ ଅଭିଯୋଗ ପରେ CAW & CW ର ଡିଏସପି ଇମାନ କଲ୍ୟାଣୀ ନାୟକଙ୍କ ନେତୃତ୍ୱରେ ତଦନ୍ତ ଆରମ୍ଭ ହୋଇଥିଲା। ରିପୋର୍ଟରେ ଦର୍ଶାଯାଇଥିଲା ଯେ, ସୌମ୍ୟଶ୍ରୀଙ୍କୁ ତାଙ୍କ ବିଭାଗୀୟ ମୁଖ୍ୟ ତଥା ସହକାରୀ ପ୍ରଫେସର ସମୀର କୁମାର ସାହୁ ମାନସିକ ନିର୍ଯାତନା ଦେବା ସହ ତାଙ୍କୁ ଅନୁଚିତ ଅନୁଗ୍ରହ ଦାବି କରୁଥିଲେ। ଏହି ନିର୍ଯାତନାରେ ଅତିଷ୍ଠ ହୋଇ ସୌମ୍ୟାଶ୍ରୀ ଆତ୍ମାହୁତି କରିଥିଲେ ଏବଂ ଜୁଲାଇ ୧୪ ରେ ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ୱର ଏମ୍ସରେ ମୃତ୍ୟୁବରଣ କରିଥିଲେ । ଏହି ମାମଲାର ତଦନ୍ତ ଜାରି ରହିଥିଲା ବେଳେ ଚାରି ଜଣଙ୍କୁ ଗିରଫ କରାଯାଇଛି। ଏଫ.ଏମ. (ସ୍ୱୟଂଶାସିତ) କଲେଜର ଶିକ୍ଷା ବିଭାଗର HOD ଏବଂ ସହକାରୀ ପ୍ରଫେସର ସମୀର କୁମାର ସାହୁଙ୍କୁ ଜୁଲାଇ ୧୨ରେ ଏବଂ କଲେଜର ଅଧ୍ୟକ୍ଷ ଦିଲ୍ଲୀପ କୁମାର ଘୋଷଙ୍କୁ ଜୁଲାଇ ୧୪ରେ ଗିରଫ କରାଯାଇଥିଲା। ସେହିପରି କଲେଜ ଛାତ୍ର ଶୁଭ୍ର ସମ୍ବିତ ନାୟକ, ଜ୍ୟୋତି ପ୍ରକାଶ ବିଶ୍ୱାଳଙ୍କୁ ଅଗଷ୍ଟ ୩ ତାରିଖରେ ଗିରଫ କରାଯାଇଥିଲା।
Comments are closed, but trackbacks and pingbacks are open.