ଭାରତୀୟ ମୂଲ୍ୟବୋଧ ଆଧାରରେ ଯୋଗ୍ୟ ନେତୃତ୍ୱ ତିଆରି କରିବା – ଧର୍ମେନ୍ଦ୍ର ପ୍ରଧାନ

229

ନୂଆଦିଲ୍ଲୀ, ଡିସେମ୍ବର ୧୬ –  ବର୍ତ୍ତମାନ ସମୟରେ ଦୁନିଆର ସବୁଠାରୁ ବଡ଼ ସମସ୍ୟା ହେଉଛି ଯୋଗ୍ୟ ନେତୃତ୍ୱ ବା ଲିଡରସିପ । ଯିଏ ଠିକ୍ ସମୟରେ ଉଚିତ ନିର୍ଣ୍ଣୟ ନେଇପାରେ, ସେ ହିଁ ପ୍ରକୃତ ଲିଡର । ତେଣୁ  ଭାରତୀୟ ମୂଲ୍ୟବୋଧ ଆଧାରରେ ଯୋଗ୍ୟ ନେତୃତ୍ୱମାନଙ୍କୁ ତିଆରି କରିବା ଆମ ସମସ୍ତଙ୍କର ଲକ୍ଷ୍ୟ ହେବା ଦରକାର ବୋଲି ମଙ୍ଗଳବାର ନୂଆଦିଲ୍ଲୀ ଠାରେ ଇଣ୍ଡିଆ ଫାଉଣ୍ଡେସନ୍ ଏବଂ ବେଷ୍ଟ ଇନୋଭେସନ୍ ୟୁନିଭର୍ସିଟି ଦ୍ୱାରା ପ୍ରତିଷ୍ଠିତ ‘ସ୍କୁଲ୍ ଅଫ୍ ଗ୍ଲୋବାଲ୍ ଲିଡରସିପ୍’ର ଶୁଭାରମ୍ଭ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ।  

ସେ କହିଛନ୍ତି ଭାରତୀୟତା ଆଧାରରେ ପ୍ରତିଷ୍ଠିତ ‘ବିକଶିତ ଭାରତ ପ୍ରତିଷ୍ଠାନ ବିଲ୍’ ଲୋକସଭାରେ ଆଗତ ହୋଇଥିବା ପରି ଏକ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତରେ ଏଭଳି ଏକ ଅନୁଷ୍ଠାନର ଶୁଭାରମ୍ଭ କରିବା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ । ଏହି ଶୁଭାରମ୍ଭ ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଭାରତର ଶିକ୍ଷାକୁ ବୈଶ୍ୱିକରଣ କରିବା, ବହୁମୁଖୀ ଶିକ୍ଷା ପ୍ରଦାନ କରିବା ଏବଂ ଶିକ୍ଷାକୁ ସୁଗମ କରିବା ହେଉଛି ପ୍ରଧାନମନ୍ତ୍ରୀଙ୍କର ମୂଳ କଳ୍ପନା । ଏହି କଳ୍ପନାକୁ ସାକାର କରିବା ପାଇଁ ଜାତୀୟ ଶିକ୍ଷା ନୀତି-୨୦୨୦ କାର୍ଯ୍ୟକାରୀ କରାଯାଇଛି। ଆମର ମୁଖ୍ୟ ଲକ୍ଷ୍ୟ ହେଉଛି ଭାରତର ମୂଲ୍ୟବୋଧକୁ ଆଧାର କରି ଯୋଗ୍ୟ ବୈଶ୍ୱିକ ନାଗରିକ ତିଆରି କରିବା।

ନେତୃତ୍ୱ ଉପରେ ଗୁରୁତ୍ୱ ଦେଇ ସେ ଐତିହାସିକ କୋଣାର୍କ ସୂର୍ଯ୍ୟ ମନ୍ଦିରର ଉଦାହରଣ ଦେଇଥିଲେ । ସେ କହିଥିଲେ ଯେ, ଯେତେବେଳେ ଏନଆଇଟି କିମ୍ବା ଆଇଆଇଟି ଭଳି ଅନୁଷ୍ଠାନ ନଥିଲା, ସେତେବେଳର ଲୋକମାନେ ଏହାକୁ ତିଆରି କରିଥିଲେ, ଯାହା ଭାରତୀୟ ବୈଜ୍ଞାନିକ ପୃଷ୍ଠଭୂମିର ଏକ ଜ୍ୱଳନ୍ତ ପ୍ରମାଣ । ଏହାକୁ ତିଆରି କରିବା ପାଇଁ ୧୨୦୦ କାରିଗର ଲାଗିଥିଲେ ମଧ୍ୟ ଓଡ଼ିଆ ସ୍ଥପତି ବିଶୁ ମହାରଣାଙ୍କ ପୁଅ ଧର୍ମପଦ ମନ୍ଦିରରେ ମୁଣ୍ଡି ମାରିଥିଲା । ଏହିଠାରେ ହିଁ ନେତୃତ୍ୱର ଆହ୍ୱାନ ଏବଂ ସମାଧାନର ପ୍ରକୃତ ପ୍ରତିଫଳନ ଦେଖିବାକୁ ମିଳିଥାଏ।

କେନ୍ଦ୍ରମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ଭାରତୀୟ ସଭ୍ୟତାରେ ନେତୃତ୍ୱର ମୂଳ ଆଭିମୁଖ୍ୟ ରହିଛି । ଆମେ ‘ବସୁଧୈବ କୁଟୁମ୍ବକମ୍’ ତଥା ସାରା ବିଶ୍ୱ ଏକ ପରିବାରରେ ବିଶ୍ୱାସ କରୁ ଏବଂ ସମଗ୍ର ବିଶ୍ୱର କଲ୍ୟାଣ ପାଇଁ ଭାବୁ । ଏହି ପ୍ରକାରର ମୂଲ୍ୟବୋଧ କେବଳ ଭାରତରେ ହିଁ ସମ୍ଭବପର ହୋଇପାରିବ। ଶେଷରେ ସେ ଆଶା ବ୍ୟକ୍ତ କରିଛନ୍ତି ଯେ, ଏହି ‘ସ୍କୁଲ୍ ଅଫ୍ ଗ୍ଲୋବାଲ୍ ଲିଡରସିପ୍’ ମାଧ୍ୟମରେ ଭାରତ ବିଶ୍ୱକୁ ଏକ ସକାରାତ୍ମକ ଦିଗଦର୍ଶନ ଦେବା ସହିତ, ଆଗାମୀ ଦିନରେ ନୂତନ ବିଶ୍ୱ ନେତାମାନଙ୍କୁ ସୃଷ୍ଟି କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ ।

Comments are closed, but trackbacks and pingbacks are open.