ଗଛ ଲଗାଇବାର ସହର ଭାବରେ ସମ୍ବଲପୁରର ନୂଆ ପରିଚୟ ତିଆରି କରିବା – ଧର୍ମେନ୍ଦ୍ର ପ୍ରଧାନ
ପୋତାପାଲି/ସମ୍ବଲପୁର, ଜୁନ ୨୮ – ଦେଶରେ ଗଛ ଲଗାଇବାର ସହର ଭାବରେ ସମ୍ବଲପୁରର ନୂଆ ପରିଚୟ ତିଆରି କରିବା । ଯେପରି ମା’ ସମଲେଶ୍ୱରୀ, ନୂଆଁଖାଇ, ଶୀତଳଷଷ୍ଠୀ, ମହାନଦୀ ଆଦି ସମ୍ବଲପୁରର ପରିଚୟ ହୋଇଛି, ସେହିପରି ଭାବରେ ଗଛ ଲଗାଇବାର ସହର ଭାବରେ ସମ୍ବଲପୁରର ନୂଆ ପରିଚୟ ସୃଷ୍ଟି କରିବା ପାଇଁ ଛୋଟରୁ ବଡ଼ ପର୍ଯ୍ୟନ୍ତ ସବୁ ବର୍ଗର ଲୋକମାନଙ୍କୁ ମା’ଙ୍କ ନାମରେ ଗୋଟିଏ ଗଛ ଲଗାଇବା ପାଇଁ ପ୍ରୋତ୍ସାହିତ କରିବାକୁ ଆହ୍ୱାନ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ।
ଶନିବାର ସମ୍ବଲପୁର ପୋତାପାଲି ଠାରେ “ଏକ୍ ପେଡ୍ ମା’ କେ ନାମ ୨.୦” ଅଭିଯାନ ଅଧୀନରେ ଆୟୋଜିତ ବନ ମହୋତ୍ସବ ତଥା ବିଶାଳ ବୃକ୍ଷରୋପଣ ଅଭିଯାନରେ ଯୋଗଦେଇ ଶ୍ରୀ ପ୍ରଧାନ ଏହି ଆହ୍ୱାନ କରିଛନ୍ତି । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ସାମାଜିକ ସଂଗଠନ, ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ, ସ୍ୱେଚ୍ଛାସେବୀ, ମାତୃଶକ୍ତି ଏବଂ ଅନ୍ୟ ବ୍ୟକ୍ତିବିଶେଷଙ୍କ ସହ ସାମିଲ ହୋଇ ବୁର୍ଲା ସେକ୍ସନର ପୋତାପାଲି ବୃକ୍ଷରୋପଣ ସ୍ଥାନରେ ଗଛ ଲଗାଇ ଥିଲେ । ଏହି ଅବସରରେ ପ୍ରାକୃତିକ ପରିବେଶର ସୁରକ୍ଷା, ଜଙ୍ଗଲ, ହ୍ରଦ, ନଦୀ, ବନ୍ୟପ୍ରାଣୀଙ୍କ ସୁରକ୍ଷା ପାଇଁ ସମବେତ ଜନତାଙ୍କ ସହ ଶପଥ ପାଠ କରିଥିଲେ କେନ୍ଦ୍ରମନ୍ତ୍ରୀ ।
ଶ୍ରୀ ପ୍ରଧାନ ସମ୍ବୋଧନ କରି କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାର୍ଗଦର୍ଶନରେ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଦେଶବ୍ୟାପୀ ‘ବିଶ୍ୱ ପରିବେଶ ଦିବସ’ ଅବସରରେ “ଏକ୍ ପେଡ୍ ମା’ କେ ନାମ ୨.୦ ଅଭିଯାନ ଶୁଭାରମ୍ଭ ହୋଇଛି । ଏହି ଦ୍ୱିତୀୟ ପର୍ଯ୍ୟାୟ ଅଭିଯାନରେ ୧୦ କୋଟି ଗଛ ଲଗାଇବା ପାଇଁ ଦେଶବାସୀଙ୍କୁ ପରାମର୍ଶ ଦିଆଯାଇଛି । ବୃକ୍ଷରୋପଣ ମାଧ୍ୟମରେ ପରିବେଶ ସୁରକ୍ଷା କରିବା ଏବଂ ସାଧାରଣ ଜନତାଙ୍କ ମଧ୍ୟରେ ଗଛ ଲଗାଇବା ପାଇଁ ସଚେତନତା ସୃଷ୍ଟି କରିବା ଏହି ଅଭିଯାନର ମୂଳ ଉଦ୍ଦେଶ୍ୟ । ଏହି ମର୍ମରେ ସମ୍ବଲପୁରରେ ୧ ଲକ୍ଷ ଗଛ ଲଗାଇବାର ଲକ୍ଷ୍ୟକୁ ପୂରଣ କରିବା ଦିଗରେ ସମ୍ବଲପୁର ଜିଲ୍ଲା ପ୍ରଶାସନ ଏବଂ ଜଙ୍ଗଲ ବିଭାଗ ତରଫରୁ ଜୁନ ୫ରୁ ୩୧ ଅଗଷ୍ଟ ପର୍ଯ୍ୟନ୍ତ ଆରମ୍ଭ ହୋଇଥିବା ଉଦ୍ୟମ ପ୍ରଶଂସନୀୟ ।
ସମ୍ବଲପୁରକୁ ସ୍ୱଚ୍ଛ, ସୁନ୍ଦର ଓ ସବୁଜ ସହର କରିବା ପାଇଁ ଆମେ ମାଆ ପାଇଁ ଗଛଟିଏ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବା । ସହରରେ ଅଗଷ୍ଟ ମାସ ଶେଷ ସୁଦ୍ଧା ୧ ଲକ୍ଷ ଗଛ ଲଗାଇବା ପାଇଁ ସଂକଳ୍ପ ନେବା । ଶାଳ, ପିଆଶାଳ, ଶାଗୁଆନ, କୃଷ୍ଣଚୂଡା ଭଳି ବିଭିନ୍ନ ରକମର ଗଛ ଲଗାଇବା ପାଇଁ ଚାରାରୋପଣ କରିବା । ସମ୍ୱଲପୁରକୁ ଏକ ସବୁଜ ସହରରେ ଗଢ଼ିବା ପାଇଁ ରାସ୍ତା ପାର୍ଶ୍ୱ, ସ୍କୁଲ, କଲେଜ, ଅଫିସ୍ ସମେତ ସବୁ ସ୍ଥାନରେ ଗଛ ଲଗେଇବା । ମା’ଙ୍କ ନାମରେ ଗଛଟିଏ ଲଗାଇବା, ମିଶନ ସବୁଜ ସମ୍ବଲପୁରକୁ ସାକାର କରିବା । ପ୍ରଶାସନ ଓ ଜଙ୍ଗଲ ବିଭାଗ ସହ ସହଯୋଗୀ ହୋଇ ବନଜଙ୍ଗଲକୁ ସମ୍ପ୍ରସାରଣ କରିବା । ଅତିଥିଙ୍କୁ ଉପହାର ସ୍ୱରୂପ ମଞ୍ଜି ଦେବା ଭଳି ଅଭିନବ ପ୍ରୟାସ ଆରମ୍ଭ କରିବା ପାଇଁ ଜିଲ୍ଲା ପ୍ରଶାସନକୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।
Comments are closed, but trackbacks and pingbacks are open.