ନିଗମ କର୍ମଚାରୀ – ଭବିଷ୍ୟ ନିଧି ଅର୍ଥ ହଡପ

28

ଭୁବନେଶ୍ୱର: ଓଡ଼ିଶା ରାଜ୍ୟ ସଡକ ପରିବହନ ନିଗମର ବହୁ କର୍ମଚାରୀଙ୍କ ବେତନରୁ ଭବିଷ୍ୟନିଧି ବାବଦ ଅର୍ଥ କଟାଯାଇଥିଲେ ମଧ୍ୟ ନିଗମ କର୍ତ୍ତୃପକ୍ଷ ଏହା ଭବିଷ୍ୟନିଧି କର୍ତ୍ତୃପକ୍ଷଙ୍କ ନିକଟରେ ନିଜ ଅଂଶ ସହ ଦାଖଲ କରିନଥିବାରୁ ସଂପୃକ୍ତ କର୍ମଚାରୀମାନେ ଅର୍ଥ ଉଠାଇପାରୁ ନାହାନ୍ତି । ଇତିମଧ୍ୟରେ କେତେକ କର୍ମଚାରୀଙ୍କର ମୃତ୍ୟୁ ହୋଇଯାଇଥିଲେ ବି ସେମାନଙ୍କ ପରିବାର ଏହି ଭବିଷ୍ୟ ନିଧି ଅର୍ଥ ପାଇପାରୁ ନାହାନ୍ତି । ଏ ସଂକ୍ରାନ୍ତରେ ଟ୍ରିବ୍ୟୁନାଲଙ୍କ ସ୍ପଷ୍ଟ ନିର୍ଦ୍ଦେଶ ଥିଲେ ବି ନିଗମ କର୍ତ୍ତୃପକ୍ଷ ତାହାର ଅନୁପାଳନ ନ କରି ହାଇକୋର୍ଟରେ ମାମଲା ରୁଜୁ କରିଛନ୍ତି ।    ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଉଛି, ଏହି ମାମଲା ହାଇକୋର୍ଟରେ ଦୀର୍ଘଦିନ ଧରି ବିଚାର ପାଇଁ ରହିଥିବା ବେଳେ ନିଗମ କର୍ତ୍ତୃପକ୍ଷ କହୁଛନ୍ତି ଯେ କେଉଁ କର୍ମଚାରୀଙ୍କ ବେତନରୁ କେତେ ଅର୍ଥ କଟାଯାଇଥିଲା ଓ କେଉଁମାନେ ନିଗମର ବସ୍‍ ଚାଳକ, କଣ୍ଡକ୍ଟର ଓ ହେଲପର ଆଦି ଚାକିରିରେ ଥିଲେ ସେମାନଙ୍କର ପୂର୍ଣ୍ଣାଙ୍ଗ ତଥ୍ୟ ନିଗମ ନିକଟରେ ନାହିଁ । ଏ ସମସ୍ତ ଦସ୍ତାବିଜ କର୍ମଚାରୀ ସଂଘ ନିକଟରେ ଥିବାରୁ ସେମାନଙ୍କଠାରୁ ଏହା ସଂଗ୍ରହ କରାଯାଉ । ନିଗମର ମାମଲା ପରିଚାଳନା କରୁଥିବା ଓକିଲଙ୍କ ଏଭଳି ଯୁକ୍ତି ଶୁଣିବା ପରେ କର୍ମଚାରୀଙ୍କ ଓକିଲ ଓ ଭବିଷ୍ୟନିଧି ସଂସ୍ଥାର ଓକିଲ ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ । ତେବେ ସମସ୍ୟାର ସମାଧାନ ପାଇଁ ସଂପୃକ୍ତ କର୍ମଚାରୀ ସଂଘକୁ ଇତିମଧ୍ୟରେ ପକ୍ଷଭୁକ୍ତ କରିବା ଲାଗି ପଦକ୍ଷେପ ନିଆଯାଉଛି ।  ପରିବହନ ନିଗମ ରାଜ୍ୟ ସରକାରଙ୍କର ପ୍ରତ୍ୟକ୍ଷ ପରିଚାଳନାଧୀନ ଏକ ସଂସ୍ଥା ଏବଂ ଏହାର ମୁଖିଆ ଭାବେ ବିଭିନ୍ନ ସମୟରେ ପଦସ୍ଥ ଆଇଏଏସ୍‍, ଆଇପିଏସ୍‍ ଅଫିସରମାନେ ରହିଆସୁଛନ୍ତି । କେବଳ କଟକ କି ଭୁବନେଶ୍ୱର ନୁହେଁ, ରାଜ୍ୟର ବିଭିନ୍ନ ଅଞ୍ଚଳରେ ନିଗମର ଜୋନାଲ ଅଫିସ୍‍ମାନ ରହିଛି । ଯାହାର ଦାୟିତ୍ୱରେ ବରିଷ୍ଠ ଅଧିକାରୀମାନେ ଅଛନ୍ତି । ଅଥଚ ନିଗମ କେଉଁ ସ୍ଥାୟୀ ଓ ଅସ୍ଥାୟୀ କର୍ମଚାରୀମାନଙ୍କୁ ବେତନ ଦେଉଥିଲା ଏବଂ ସେମାନଙ୍କ ବେତନରୁ ଭବିଷ୍ୟ ନିଧି ଜମା ପାଇଁ କେତେ ଅର୍ଥ କାଟି ରଖିଥିଲା ତାହାର ହିସାବ ହାଇକୋର୍ଟରେ ନିଗମ କର୍ତ୍ତୃପକ୍ଷ ଦେଇନପାରି ଏହି ତଥ୍ୟ କର୍ମଚାରୀ ୟୁନିଅନଠାରୁ ସଂଗ୍ରହ କରିବା ପାଇଁ ଯୁକ୍ତି ବାଢ଼ୁଛନ୍ତି । ଭବିଷ୍ୟ ନିଧି ପାଣ୍ଠିରେ ନିଜ ବେତନରୁ ନିଗମ କାଟି ରଖିଥିବା ଅର୍ଥ ଫେରି ପାଉନଥିବା କର୍ମଚାରୀମାନେ ଏ ପ୍ରସଙ୍ଗରେ ଭବିଷ୍ୟ ନିଧି କର୍ତ୍ତୃପକ୍ଷ ଓ ରାଜ୍ୟ ସରକାର ନିଗମର ଅଧିକାରୀମାନଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ ଫୌଜଦାରୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରୁଛନ୍ତି । ସେମାନଙ୍କ ଯୁକ୍ତି ହେଉଛି ଯେ ଆଇନ ମୁତାବକ ନିଗମ କର୍ତ୍ତୃପକ୍ଷ ସେମାନଙ୍କ ମାସିକ ବେତନରୁ ଭବିଷ୍ୟ ନିଧି ଅର୍ଥ କାଟିବା ସହିତ ନିଜ ଅଂଶଧନ ମିଶାଇ ଭବିଷ୍ୟ ନିଧି କର୍ତ୍ତୃପକ୍ଷଙ୍କ ନିକଟରେ ପ୍ରତି ମାସରେ ଦାଖଲ କରିବା କଥା । କର୍ମଚାରୀଙ୍କ ବେତନରୁ ଭବିଷ୍ୟ ନିଧି ଅର୍ଥ ନ କାଟିବା ଏବଂ ଏହି ଅର୍ଥ ଜମା ନ ଦେବା ଗର୍ହିତ ଅପରାଧ । ଇତିମଧ୍ୟରେ ନିଗମ ବହୁ ଅସ୍ଥାୟୀ କର୍ମଚାରୀଙ୍କୁ ବିଦା କରିସାରିଛି । ଅଥଚ ସେମାନଙ୍କ ଝାଳବୁହା ଧନ ଆଇନ ମୁତାବକ ଭବିଷ୍ୟ ନିଧି କର୍ତ୍ତୃପକ୍ଷଙ୍କ ନିକଟରେ ଜମା ନ ଦେଇ ତାହାର ଆତ୍ମସାତ କରାଯାଇଥିବାରୁ ସଂପୃକ୍ତ ବ୍ୟକ୍ତିମାନେ ଅର୍ଥ ପାଇପାରୁ ନାହାନ୍ତି । ସରକାରୀ ଅଫିସର କାଗଜପତ୍ର ସରକାରୀ ଅଫିସରେ ନ ରହି କିଭଳି ସଂଘ ପାଖକୁ ଗଲା ଏବଂ ଏହାକୁ କିଏ ଦେଲା ତାହାର ଯାଞ୍ଚ କରିବା ସହିତ କର୍ମଚାରୀଙ୍କ ବେତନରୁ ପ୍ରତି ମାସରେ କଟାଯାଇଥିବା ଅର୍ଥ ଭବିଷ୍ୟନିଧି କର୍ତ୍ତୃପକ୍ଷଙ୍କ ନିକଟରେ କାହିଁକି ଜମା କରାଗଲା ନାହିଁ ସେ ସଂକ୍ରାନ୍ତରେ ଏବେ ବିଭିନ୍ନ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Comments are closed, but trackbacks and pingbacks are open.