ରାଜ୍ୟର ୧୨ ଜିଲ୍ଲାକୁ ବ୍ୟାପିଲା କରୋନା, ୫୬ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୩ ପଜିଟିଭ୍

317

ଭୁବନେଶ୍ୱର : ରାଜ୍ୟରେ କରୋନା ଉପରମୁହାଁ ହେବାରେ ଲାଗିଛି। ମଙ୍ଗଳବାର ସୁଦ୍ଧା ରାଜ୍ୟର ୧୨ ଜିଲ୍ଲାକୁ କରୋନା ମାଡ଼ିସାରିଛି। ଅନୁଗୁଳ, ବରଗଡ଼, କନ୍ଧମାଳ, ଗଞ୍ଜାମ ଓ ସୁବର୍ଣ୍ଣପୁର ଜିଲ୍ଲାରୁ ବି କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଛନ୍ତି। ଗତକାଲି ସୁଦ୍ଧା ରାଜ୍ୟରୁ ଚିହ୍ନଟ ହୋଇଥିବା ମୋଟ ୫୬ କରୋନା ରୋଗୀଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୩ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି କଟକରୁ ୧୮ ଜଣ ପଜିଟିଭ୍ ଥିବା ବେଳେ ପୁରୀ ଜିଲ୍ଲାରୁ ୩ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ବାଲେଶ୍ୱର, ଜଗତସିଂହପୁର ଓ ସୁନ୍ଦରଗଡ଼ ଜିଲ୍ଲାରୁ ୨ ଜଣ ଲେଖାଏଁ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ କେନ୍ଦୁଝର, ଅନୁଗୁଳ, ବରଗଡ଼, କନ୍ଧମାଳ, ଗଞ୍ଜାମ ଓ ସୁବର୍ଣ୍ଣପୁର ଜିଲ୍ଲାରୁ ଜଣେ ଲେଖାଏଁ କୋଭିଡ୍‌ରେ ଆକ୍ରାନ୍ତ ହୋଇଛନ୍ତି। ଚଳିତବର୍ଷ ରାଜ୍ୟର ମୋଟ୍ କୋଭିଡ୍ ରୋଗୀଙ୍କ ସଂଖ୍ୟା ୫୬ରେ ପହଞ୍ଚିଛି। ସେହିପରି ସୋମବାର ୫ ଜଣ ରୋଗୀ ସୁସ୍ଥହେବା ସହ ବର୍ତ୍ତମାନ ସୁଦ୍ଧା ମୋଟ ୨୦ ଜଣ ସୁସ୍ଥ ହୋଇଥିବା ଜଣାପଡ଼ିଛି। ଫଳରେ ରାଜ୍ୟରେ ଏବେ ୩୬ଜଣ ସକ୍ରିୟ କୋଭିଡ୍ ରୋଗୀ ଅଛନ୍ତି। କୋଭିଡ୍‌-୧୯ କିମ୍ବା ଫ୍ଲୁ ଭଳି ରୋଗର ଲକ୍ଷଣ ଥିଲେ ଘରେ ରହିବାକୁ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ପରାମର୍ଶ ଦେଇଛନ୍ତି। ଲକ୍ଷଣ ଅନୁଭବ କଲେ ସମାବେଶରୁ ଦୂରେଇ ରହିବା ସହ ନିଜକୁ ଅଲଗା ରଖିବା ଉଚିତ୍ ବୋଲି ସେ କହିଛନ୍ତି। ନୂତନ ଷ୍ଟ୍ରେନ୍ ଅଧିକ ବିପଦପୂର୍ଣ୍ଣ ହୋଇ ନଥିଲେ ବି ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।

Comments are closed, but trackbacks and pingbacks are open.