ମହାପ୍ରସାଦ ରେଟ୍ ଚାଟ୍‌କୁ ନେଇ ବିବାଦ

27

ଭୁବନେଶ୍ବର: ଚାଲିଛି ମହାଧାର୍ମିକ କାର୍ତ୍ତିକ ମାସ । ଏଥିପାଇଁ ପୁରୀ ଶ୍ରୀମନ୍ଦିରରେ ଲାଗି ରହିଛି ଗହଳିଚହଳି । କାର୍ତ୍ତିକ ମାସରେ କାଣିଚାଏ ମହାପ୍ରସାଦ ପାଇବା ପାଇଁ ଭକ୍ତ ମନ ବ୍ୟାକୁଳ ଥିବାବେଳେ ଦରକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଭକ୍ତ ଓ ଶ୍ରଦ୍ଧାଳୁ । ସେପଟେ ଆନନ୍ଦବଜାରରେ ଶୃଙ୍ଖଳା ଆଣିବା ସହ ମହାପ୍ରସାଦ ଦର ନିର୍ଦ୍ଧାରଣ କରି ରେଟ୍ ଚାଟ୍ ମାରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ତାହାକୁ ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ କରାଯାଇନାହିଁ । ଅନ୍ୟପଟେ ଖୋଦ୍ ସୁଆରମହାସୁଆର ନିଯୋଗ ସଭାପତି ନାରାୟଣ ମହାସୁଆର ମହାପ୍ରସାଦ ରେଟ୍ କିଛି ଦଲାଲ ମାନଙ୍କ ଦ୍ୱାରା ନିର୍ଦ୍ଧାରିତ ହେଉଥିବା କହିଛନ୍ତି । ତୁରନ୍ତ ସୁପ୍ରିମକୋର୍ଟଙ୍କ ଆଦେଶ ଆନନ୍ଦବଜାରରେ କାର୍ଯ୍ୟକାରୀ କରିବାକୁ ସେବାୟତମାନେ ଦାବି କରିଛନ୍ତି ।
ଧର୍ମ ଓ ପୁଣ୍ୟର ମାସ କାର୍ତ୍ତିକ ମାସ । ଏହି ମାସରେ ଶ୍ରୀମନ୍ଦିର ଯେତିକି ଗହଳିଚହଳି ହୋଇଥାଏ ତା’ଠାରୁ ବେଶୀ ଗହଳିଚହଳି ହୋଇଥାଏ ଆନନ୍ଦବଜାର । କାରଣ ମହାପ୍ରସାଦର ଚାହିଦା କାର୍ତ୍ତିକ ମାସରେ ବେଶୀ ରହିଥାଏ । କିନ୍ତୁ ଏବେ ମହାପ୍ରସାଦ କ୍ରୟରେ ଦେଖିବାକୁ ମିଳିଛି ବ୍ୟାପକ ଅନିୟମିତତା । ନିର୍ଦ୍ଧାରିତ ଦରଠାରୁ ବେଶ୍ ଚଢ଼ା ଦରରେ ମହାପ୍ରସାଦ ଭକ୍ତମାନେ କ୍ରୟ କରୁଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି । କିଛି ଦଲାଲ୍ ଶ୍ରୀମନ୍ଦିର ଭିତରେ ସୁଆରମାନଙ୍କଠାରୁ ମହାପ୍ରସାଦ କ୍ରୟ କରି ଭକ୍ତଙ୍କୁ ଚଢ଼ା ଦରରେ ବିକୁଥିବା ଖୋଦ୍ ସୁଆର ମହାସୁଆର ନିଯୋଗ ସଭାପତି ଅଭିଯୋଗ ଆଣିଛନ୍ତି । ଅନ୍ୟପଟେ ୨୦୧୯ରେ ସୁପ୍ରିମକୋର୍ଟ ଆନନ୍ଦବଜାରରେ ଶୃଙ୍ଖଳା ଆଣିବା ସହ ମହାପ୍ରସାଦର ଦର ନିର୍ଦ୍ଧାରଣ କରି ରେଟ୍ ଚାଟ୍ ମାରିବାକୁ ନିର୍ଦ୍ଦେଶ ଦେଇଥିଲେ । ତେବେ ମହାପ୍ରସାଦର ଦର ନିର୍ଦ୍ଧାରଣ ପାଇଁ ଦୁଇ ଦୁଇ ଥର ପରୀକ୍ଷାମୂଳକ ଭାବେ ପ୍ରୟୋଗ କରାଯାଇଥିଲେ ମଧ୍ୟ ଏବେ ତାହା ଫେଲ୍ ମାରିଛି । ସେପଟେ ଖୁବ୍ ଶୀଘ୍ର ମହାପ୍ରସାଦର ଦର ନିର୍ଦ୍ଧାରଣ ସହ ଆଗାମୀ ଦିନରେ ଶ୍ରଦ୍ଧାଳୁ କିଭଳି ସୁଲଭ ଦରରେ ପାଇବେ ଓ ରେଟ୍ ଚାଟ୍ କିଭଳି ଯଥାଶୀଘ୍ର କାର୍ଯ୍ୟକାରୀ ହେବ ସେନେଇ ବ୍ୟାପକ ବନ୍ଦୋବସ୍ତ କରାଯିବ ବୋଲି ସୁଆରମହାସୁଆର ନିଯୋଗ ସଭାପତି ମତ ପ୍ରକାଶ କରିଛନ୍ତି । ଶ୍ରୀମନ୍ଦିର ସଂସ୍କାର ମାମଲାରେ ମୁଖ୍ୟ ରହିଥିଲା ମହାପ୍ରସାଦର ମାନ ନିର୍ଦ୍ଧାରଣ ଓ ରେଟ୍ ଚାଟ୍ ପ୍ରସ୍ତୁତି । କିନ୍ତୁ ଚାରିବର୍ଷରୁ ଊର୍ଦ୍ଧ୍ୱ ବିତ୍ତିଯାଇଥିଲେ ମଧ୍ୟ ଅବଢ଼ା ଦର ସୁଲଭ ଦରରେ ଭକ୍ତମାନେ ପାଇବାରୁ ବଞ୍ଚିତ ହେଉଛନ୍ତି । କେବଳ କାର୍ତ୍ତିକ ମାସ ନୁହେଁ ବରଂ ବିଭିନ୍ନ ଯାନିଯାତ୍ରା ସମୟରେ ମହାପ୍ରସାଦର ଦର ଯଥେଷ୍ଟ ବୃଦ୍ଧି ପାଇବାର ନଜର ରହିଛି । ତେବେ ଲଗାତାର ଦୁଇବର୍ଷ କରୋନା କଟକଣା ପରେ ଚଳିତବର୍ଷ କାର୍ତ୍ତିକ ମାସରେ ଶ୍ରୀକ୍ଷେତ୍ରରେ ପ୍ରତ୍ୟେକ ଦିନ ଲକ୍ଷାଧିକ ଭକ୍ତ ତଥା ଶ୍ରଦ୍ଧାଳୁଙ୍କ ସମାଗମ ହେଉଛି । ରତ୍ନସିଂହାସନରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ କରିବା ସହ ମହାପ୍ରସାଦ ସେବନ କରି ଭକ୍ତମାନେ ତୃପ୍ତି ଲାଭ କରୁଛନ୍ତି । କିନ୍ତୁ ମହାପ୍ରସାଦର ଦର ଚଢ଼ା ରହିଥିବାରୁ ଭକ୍ତ ମହଲରେ ଅସନ୍ତୋଷ ଦେଖାଯାଉଥିବା ବେଳେ ତୁରନ୍ତ ଏହାର ଦର ନିର୍ଦ୍ଧାରଣ କରି ରେଟ୍ ଚାଟ୍ ଲଗାଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବାକୁ ବୁଦ୍ଧିଜୀବୀ ଓ ସେବାୟତ ମହଲରେ ଦାବି ହୋଇଛି । ଅନ୍ୟପଟେ ମହାପ୍ରସାଦ ଦର ଏବେ ଦଲାଲମାନେ ନିର୍ଦ୍ଧାରଣ କରୁଥିବା କଥା ଖୋଦ ସୁଆର ମହାସୁଆର ନିଯୋଗ କହୁଥିବା ବେଳେ କେବେ ଶ୍ରୀମନ୍ଦିର ପ୍ରଶାସନ ଏଥିରେ ହସ୍ତକ୍ଷେପ କରି କେବେ ଆନନ୍ଦବଜାରକୁ ଦଲାଲ ମୁକ୍ତ କରୁଛି ଓ କେବେ ମହାପ୍ରସାଦ ଦର ନିୟନ୍ତ୍ରଣ କରୁଛି ତାହା ଦେଖିବାକୁ ବାକି ରହିଲା ।

Comments are closed, but trackbacks and pingbacks are open.