ବିର୍ସା ମୁଣ୍ଡା ହକି ଷ୍ଟାଡିୟମ୍ ନିର୍ମାଣ କାର୍ଯ୍ୟ ଶେଷ, ଖେଳ ପାଇଁ ପିଚ୍ ପ୍ରସ୍ତୁତ: ମୁଖ୍ୟ ଶାସନ ସଚିବ

25

ରାଉରକେଲା : ପୁରୁଷ ହକି ବିଶ୍ୱକପ ଆରମ୍ଭ ପୂର୍ବରୁ ଆଜି ରାଉରକେଲା ଗସ୍ତରେ ଅଛନ୍ତି ରାଜ୍ୟ ସରକାରଙ୍କ ବରିଷ୍ଠ ପ୍ରଶାସନିକ ଦଳ। ରାଉରକେଲାରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ୫ଟି ସଚିବ ଭି.କାର୍ତ୍ତିକେୟନ ପାଣ୍ଡିଆନ, କ୍ରୀଡ଼ା ସଚିବ ଭିନିଲ କ୍ରୀଷ୍ଣା ଓ ଇଡକୋ ଏମଡି ଭୁପିନ୍ଦର ସିଂ ପୁନିଆ। ପ୍ରତିନିଧି ଦଳ ବିମାନବନ୍ଦର ସଂପ୍ରସାରଣ କାର୍ଯ୍ୟ ତଦାରଖ ପରେ ନିର୍ମାଣାଧୀନ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ପରିଦର୍ଶନ କରିଥିଲେ।

ହକି ବିଶ୍ୱକପ ପାଇଁ ଭିତ୍ତିଭୂମି ଓ ଆନୁସଙ୍ଗିକ ବ୍ୟବସ୍ଥା ସମୀକ୍ଷା କରିବାପରେ ଅଗ୍ରଗତି ସମ୍ପର୍କରେ ଗଣମାଧ୍ୟମକୁ ସବିଶେଷ ସୂଚନା ପ୍ରଦାନ କରିଥିଲେ ମୁଖ୍ୟ ଶାସନ ସଚିବ। ଏହି ଅବସରରେ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର କହିଛନ୍ତି ଯେ, ଏୟାରପୋର୍ଟ ଓ ଦେଶର ସର୍ବବୃହତ୍ ହକି ଷ୍ଟାଡିୟମ୍ “ବିର୍ସା ମୁଣ୍ଡା ହକି ଷ୍ଟାଡିୟମ୍ ନିର୍ମାଣ ସମ୍ପନ୍ନ ହୋଇସାରିଛି। ହକି ଷ୍ଟାଡିୟମର ମୁଖ୍ୟ ପିଚ୍ ଓ ଅଭ୍ୟାସ ପିଚ୍ ଖେଳ ପାଇଁ ପ୍ରସ୍ତୁତ ଅଛି। ହାଇମାଷ୍ଟ ଲାଇଟ୍ ବ୍ୟବସ୍ଥା ମଧ୍ୟ ସରିଲାଣି।

ଆସନ୍ତା ୨୪ ତାରିଖରୁ ୩ ଟି ଅଭ୍ୟାସ ମ୍ୟାଚ୍ ରାଉରକେଲାରେ ଖେଳାଯିବ। ଭାରତୀୟ କନିଷ୍ଠ ହକି ଦଳ ଓ ଓଡ଼ିଶା ହକି ଦଳ ବିଦେଶୀ ଦଳ ସହ ଖେଳିବେ। ତାପରେ ପିଚ୍ ର ସ୍ଥିତି ଅନୁଧ୍ୟାନ ପରେ ଆବଶ୍ୟକ ହେଲେ ସୁଧାର ଅଣାଯିବ। ସେହିଭଳି ଡିଜିସିଏ ପ୍ରତିନିଧି ଇତିମଧ୍ୟରେ ସର୍ବେକ୍ଷଣ କରିସାରିଥିବା ବେଳେ ଏୟାରପୋର୍ଟକୁ ଖୁବଶୀଘ୍ର ୨ସି ଲାଇସେନ୍ସ ମିଳିବ ବୋଲି ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି ।

Comments are closed, but trackbacks and pingbacks are open.