ଭୁବନେଶ୍ବର: ଓଡ଼ିଶା ମୋଟର ଯାନ ବିଭାଗ (OMVD) କନଷ୍ଟେବଳ ଆଶୁତୋଷ ମୃଦଙ୍ଗିଆଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ। ଓଡ଼ିଶା ହାଇକୋର୍ଟ ଏହି ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସୋମବାର ଏହି ମାମଲାର ଶୁଣାଣି ସମୟରେ ବ୍ରହ୍ମପୁର ପୋଲିସର ତଦନ୍ତ ପ୍ରକ୍ରିୟାକୁ ନେଇ ହାଇକୋର୍ଟ ଅସନ୍ତୋଷ ପ୍ରକାଶ କରିଥିଲେ। ମାମଲାର ନିରପେକ୍ଷ ତଦନ୍ତ ପାଇଁ ଅଦାଲତ ଏହି ନିର୍ଦ୍ଦେଶ ଦେବା ପରେ କ୍ରାଇମବ୍ରାଞ୍ଚ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ବ୍ରହ୍ମପୁର ପୋଲିସର କାର୍ଯ୍ୟାନୁଷ୍ଠାନରେ ଅସନ୍ତୋଷ ପ୍ରକାଶ କରି ଆଶୁତୋଷଙ୍କ ସାନ ଭଉଣୀ ନିବେଦିତା ଦେବୁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ମୃତ୍ୟୁ ପୂର୍ବରୁ ଆଶୁତୋଷଙ୍କ ଦୁଇଟି ମୃତ୍ୟୁକାଳୀନ ଜମାନବନ୍ଦୀ ରେକର୍ଡ ହୋଇଥିଲା, ଯେଉଁଥିରେ ପତ୍ନୀ ସନ୍ଧ୍ୟା ନାୟକ ଓ ଶାଳକ ମିଶି ତାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରିଥିବା ସେ ଅଭିଯୋଗ କରିଥିଲେ। ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନିବେଦିତା କ୍ଷୋଭ ପ୍ରକାଶ କରି କହିଛନ୍ତି, “ଘଟଣାକୁ ତିନି ମାସ ବିତିଯାଇଥିଲେ ବି ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା। ଭାଇ ନିଜ ମୃତ୍ୟୁକାଳୀନ ଜମାନବନ୍ଦୀରେ ସ୍ପଷ୍ଟ ଭାବେ ପତ୍ନୀ ଓ ଶାଳକଙ୍କ ନାଁ ନେଇଥିଲେ ସୁଦ୍ଧା ତଦନ୍ତକାରୀ ଅଧିକାରୀ କାହାକୁ ଗିରଫ କରିନଥିଲେ। ଏବେ କ୍ରାଇମବ୍ରାଞ୍ଚକୁ ତଦନ୍ତ ଦାୟିତ୍ୱ ଦିଆଯାଇଥିବାରୁ ଆମକୁ ନ୍ୟାୟ ମିଳିବ ବୋଲି ଆଶା ଅଛି।”
Comments are closed, but trackbacks and pingbacks are open.