ଚେନ୍ନାଇ : କଂଗ୍ରେସର ମହତ୍ତ୍ୱାକାଂକ୍ଷୀ ‘ଭାରତ ଯୋଡ଼ୋ ଯାତ୍ରା’ ବୁଧବାର ତାମିଲନାଡ଼ୁର କନ୍ୟାକୁମାରୀରୁ ଆରମ୍ଭ ହୋଇଛି । କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଛନ୍ତି । ପାଞ୍ଚମାସରେ ୧୨ଟି ରାଜ୍ୟର ୩୫୭୦ କିମି ଦୀର୍ଘ ରାସ୍ତା ଅତିକ୍ରମ କରି ଏହି ଯାତ୍ରା କାଶ୍ମୀରରେ ଶେଷ ହେବ । ଏହି ଯାତ୍ରାରେ ରାହୁଲ ଗାନ୍ଧୀଙ୍କ ସହ କଂଗ୍ରେସର କେତେକ ବରିଷ୍ଠ ନେତାମାନେ ଭାଗ ନେଉଛନ୍ତି । ଯାତ୍ରା ଆରମ୍ଭ କରିବା ପୂର୍ବରୁ ରାହୁଲ ଗାନ୍ଧୀ ଶ୍ରୀପେରମ୍ବଦୁରର ସହିଦ ସ୍ମାରକୀରେ ପହଞ୍ଚି ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଯାତ୍ରାରମ୍ଭ ପୂର୍ବରୁ ଏକ ସଭାକୁ ସମ୍ବୋଧିତ କରି ରାହୁଲ ବିଜେପି ଉପରେ ଆକ୍ରମଣ କରିବା ସହ ଲୋକଙ୍କୁ ଏହି ଯାତ୍ରା ସମ୍ପର୍କରେ ସୂଚନା ଦେଇଥିଲେ । ସେ କହିଥିଲେ, ନ୍ୟୁଜ୍ ଚାନେଲ୍ ଦିନସାରା ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଦେଖାଯାଉଛି । ଆମମାନଙ୍କୁ କେହି ଦେଖାଉ ନାହାନ୍ତି, ସେଥିପାଇଁ ଏହି ଯାତ୍ରାର ଆୟୋଜନ କରାଯାଇଛି । ସେ ଆହୁରି କହିଥିଲେ, ଆମେ ପୁଣିଥରେ ଗୁଲାମୀ ଆଡ଼କୁ ଟାଣିହୋଇ ଯାଉଛେ । ପ୍ରଥମେ ଇଷ୍ଟ୍ ଇଣ୍ଡିଆ କମ୍ପାନୀ ଦେଶ ଉପରେ ରାଜ୍ କରୁଥିଲା, ଏବେ ୩-୪ କମ୍ପାନୀ ଏହି କାର୍ଯ୍ୟ କରୁଛନ୍ତି । ରାହୁଲଙ୍କ ବ୍ୟତୀତ ମଲ୍ଲିକାର୍ଜୁନ ଖଡ୍ଗେ, କେସି ବେଣୁଗୋପାଳ, ଦିଗ୍ବିଜୟ ସିଂହ, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍, ଭୂପେଶ ବଘେଲ ଏବଂ ଯୋଗେନ୍ଦ୍ର ଯାଦବ ମଧ୍ୟ ସଭାକୁ ସମ୍ବୋଧିତ କରିଥିଲେ । ଯୋଜନା ଅନୁସାରେ ଏହି ଯାତ୍ରା ଦୁଇ ଶିଫ୍ଟରେ ଚାଲିବ । ପ୍ରଥମ ଶିଫ୍ଟରେ ସକାଳ ସାଢ଼େ ୧୦ଟା ବେଳେ ଏବଂ ଦ୍ୱିତୀୟ ଶିଫ୍ଟ ସାଢ଼େ ତିନିଟା ବେଳେ ଆରମ୍ଭ ହେବ । ଗୋଟିଏ ଦିନରେ ୨୨ରୁ ୨୩ କିମି ଅତିକ୍ରମ କରିବାର ଯୋଜନା ରହିଛି । ଏହି ଯାତ୍ରାରେ ଭିନ୍ନ ଭିନ୍ନ ରାଜ୍ୟକୁ ପ୍ରତିନିଧିତ୍ୱ କରୁଥିବା ୧୧୭ କଂଗ୍ରେସ ନେତା ସାମିଲ ହେବେ । ସେହିପରି କଂଗ୍ରେସର କର୍ମକର୍ତ୍ତା ମଧ୍ୟ ମାର୍ଚ୍ଚରେ ଭାଗନେବେ ।
ଏହି ଯାତ୍ରା ପାଇଁ ପାର୍ଟି ପକ୍ଷରୁ ୬୦ କଣ୍ଟେନର୍ର ବ୍ୟବସ୍ଥା କରାଯାଇଛି । ୧୫୦ ଦିନର ଏହି ଯାତ୍ରା ଅବସରରେ ରାହୁଲ ଗାନ୍ଧୀ ମଧ୍ୟ କଣ୍ଟେନର୍ରେ ଶୋଇବେ । ବିଶ୍ରାମ ସମୟରେ ଏହି କଣ୍ଟେନର୍ଗୁଡ଼ିକୁ ଏକ ଗାଁ ଆକାରରେ ରଖାଯିବ । କେତେକ କଣ୍ଟେନର୍ରେ ଏୟାର୍ କଣ୍ଡିସନର୍ ମଧ୍ୟ ଲଗାଯାଇଛି । ସୂଚନା ଅନୁସାରେ ଯାତ୍ରାରେ ସାମିଲ ନେତା ସ୍ଥାନୀୟ ଖାଦ୍ୟ ଭୋଜନ କରିବେ । ଗାଁର ଲୋକମାନେ ଭୋଜନ ପ୍ରସ୍ତୁତ କରିବେ । ଏହା ସହିତ ସମସ୍ତ ଯାତ୍ରା ଏକାଠି ଭୋଜନ କରିବେ । କୌଣସି ଜଣେ ବି ନେତା ହୋଟେଲ୍ରେ ରହିବେ ନାହିଁ । ଅନ୍ୟପକ୍ଷରେ ବିଜେପି କଂଗ୍ରେସର ଏହି ‘ଭାରତ ଯୋଡ଼ୋ ଯାତ୍ରା’କୁ ପାର୍ଟିର ଛଳନା ବୋଲି କହିବା ସହ ଏହା ପ୍ରମୁଖ ରୂପରେ ‘ପରିବାରକୁ ବଞ୍ଚାଇବା’ ପାଇଁ ଅଭିଯାନ ବୋଲି ଦାବି କରିଛି । ଫଳରେ ଦେଶର ସବୁଠୁ ପୁରୁଣା ପାର୍ଟି ଉପରେ ନିୟନ୍ତ୍ରଣ ଯେପରି ବଜାୟ ରହିବ । ପୂର୍ବତନ କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ ଦିଲ୍ଲୀରେ ସାମ୍ବାଦିକମାନଙ୍କୁ କହିଛନ୍ତି ଏହି ଯାତ୍ରା ମାଧ୍ୟମରେ ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ନେତା ରୂପେ ସ୍ଥାପିତ କରିବା ନିମନ୍ତେ କଂଗ୍ରେସର ଏହା ଆଉ ଏକ ପ୍ରୟାସ । ପ୍ରସାଦ କଟାକ୍ଷ କରି କହିଛନ୍ତି, ‘ଯେଉଁ ବ୍ୟକ୍ତି ନିଜ ପାର୍ଟିକୁ ଯୋଡ଼ିନପାରି ସର୍ବଦା ବିଦେଶ ଯାତ୍ରାରେ ପଳାଉଛନ୍ତି ଏବଂ ଯାହାଙ୍କୁ ଅଧ୍ୟକ୍ଷ କରିବା ନିମନ୍ତେ କଂଗ୍ରେସରେ ଏକ ‘ଦରବାରୀ ଗାୟନ’ ହେଉଛି, ସେ ବ୍ୟକ୍ତି ଭାରତ ଯୋଡ଼ୋ ଯାତ୍ରାରେ ବାହାରିଛନ୍ତି ।’
Comments are closed, but trackbacks and pingbacks are open.