ବିଜେପିକୁ ପାନେ ଏକାଠି ହେଲେ କଂଗ୍ରେସ-ଟିଏମସି

32

ପୁଣି ଏକାଠି ହେଲେ ବିରୋଧୀ । ପିନ୍ଧିଲେ କଳା ସାର୍ଟ । ବିଜେପିକୁ ମାତ ଦେବାକୁ କଂଗ୍ରେସର ଷ୍ଟ୍ରାଟେଜି ।ଯୋଗ ଦେଲେ ମମତାଙ୍କ ସାଂସଦ। ବଢିଲା ରାଜନୈତିକ ଚର୍ଚ୍ଚା । ଅପରାଧିକ ମାନହାନି ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଲୋକସଭା ସଦସ୍ୟତା ରଦ୍ଦ ହୋଇଯାଇଛି । କଂଗ୍ରେସ ଏହା ବିରୋଧରେ ସ୍ୱର ଉତ୍ତୋଳନ କରିବା ସହ ଦେଶବ୍ୟାପୀ ଆନ୍ଦୋଳନ ଆରମ୍ଭ କରିଛି । ଏହି ପ୍ରସଙ୍ଗରେ ବିରୋଧୀ ଦଳଗୁଡ଼ିକ ମଧ୍ୟ କଂଗ୍ରେସ ତଥା ରାହୁଲଙ୍କୁ ସମର୍ଥନ କରିବା ଦେଖାଯାଉଛି । ଆଜି ସକାଳେ ସଂସଦରେ ଆୟୋଜିତ ମିଳିତ ବିରୋଧୀ ଦଳ ବୈଠକରେ ତୃଣମୂଳ କଂଗ୍ରେସର ୨ଜଣ ସଦସ୍ୟ ଯୋଗ ଦେଇଥିଲେ । ଲୋକସଭା ସାଂସଦ ପ୍ରସୂନ ବାନାର୍ଜୀ ଓ ରାଜ୍ୟସଭା ସାଂସଦ ଜୱାହାର ସରକାର ଉପସ୍ଥିତ ଥିଲେ । ବିଜେପି ବିରୋଧରେ କଂଗ୍ରେସ ନେତୃତ୍ୱରେ ବିରୋଧୀ ଦଳମାନଙ୍କୁ ଏକତ୍ର କରାଯିବା ଉଦ୍ୟମରୁ ଟିଏମସି ଦୂରେଇ ରହୁଥିଲା ।

ଏମିତିକି ମମତା ବିଜେପି ଓ କଂଗ୍ରେସ ବିନା ତୃତୀୟ ସାମୁଖ୍ୟ ଗଠନ କରୁଥିବା ମଧ୍ୟ ଚର୍ଚ୍ଚା ହେଉଥିଲା । କିନ୍ତୁ ଆଜିର ଏ ଚିତ୍ର ଆସିବା ପରେ ମମତା କଣ କରିବାକୁ ଚାହୁଁଛନ୍ତି ତାକୁ ନେଇ ପୁଣି ଥରେ ଅନିଶ୍ଚିତତା ଦେଖାଦେଇଛି । ଅନ୍ୟପଟେ ରାହୁଲ୍ ଗାନ୍ଧୀଙ୍କୁ ଅଯୋଗ୍ୟ ଘୋଷଣା କରାଯିବା ନିଷ୍ପତ୍ତି ବିରୋଧରେ ପ୍ରତିବାଦ ପ୍ରଦର୍ଶନ କରିବା ଲାଗି ୧୭ଟି ବିରୋଧୀ ଦଳର ନେତାମାନେ ଏକତ୍ର ହୋଇଥିଲେ । ସେଥିରେ କଂଗ୍ରେସର ପ୍ରତିନିଧିତ୍ୱ କରୁଥିବା ନେତାମାନେ କଳା ସାର୍ଟ ପିନ୍ଧିଥିବା ମଧ୍ୟ ଦେଖିବାକୁ ମିଳିଛି ।

ସେପଟେ ବିରୋଧୀଙ୍କୁ ଧନ୍ୟବାଦ ଦେବା ସହ ଜନସାଧାରଣଙ୍କ ସୁରକ୍ଷା ନିମନ୍ତେ ଉଦ୍ଦିଷ୍ଟ ଗଣତନ୍ତ୍ର ଓ ସମ୍ବିଧାନରକୁ ରକ୍ଷା କରିବା ଲାଗି ଆଗେଇ ଆସୁଥିବା ଯେକୌଣସି ବ୍ୟକ୍ତିବିଶେଷଙ୍କୁ ଦଳ ସ୍ୱାଗତ କରିବ ବୋଲି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେ କହିଛନ୍ତି । ଲୋକସଭାରୁ ରାହୁଲ୍ ଗାନ୍ଧୀଙ୍କୁ ଅଯୋଗ୍ୟ ଘୋଷଣା କରାଯିବା ଅବସରରେ ବିରୋଧୀ ଦଳଗୁଡ଼ିକୁ ଶାସକ ବିଜେପି ବିରୋଧରେ ଏକଜୁଟ କରାଇବାର କଂଗ୍ରେସକୁ ଏକ ମଉକା ମିଳିଛି । ଲୋକସଭାରେ ରାହୁଲଙ୍କ ଅଯୋଗ୍ୟ ଘୋଷଣାକୁ ବିରୋଧୀ ଦଳଗୁଡ଼ିକ ଏକସ୍ୱରରେ ବିରୋଧ ମଧ୍ୟ କରୁଛନ୍ତି ।

Comments are closed, but trackbacks and pingbacks are open.