ମୋଦୀ ସରକାରଙ୍କୁ କଂଗ୍ରେସ ସଭାପତିଙ୍କ ଟାର୍ଗେଟ: ସିଂହ ଭଳି କଥା କହୁଛନ୍ତି, ମୂଷା ଭଳି କାର୍ଯ୍ୟ କରୁଛନ୍ତି

25

ନୂଆଦିଲ୍ଲୀ: କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ୍‌ଗେ ସୋମବାର କେନ୍ଦ୍ରରେ କ୍ଷମତାସୀନ ମୋଦୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଚୀନ୍ ସଂଲଗ୍ନ ସୀମା ବିବାଦ ପ୍ରସଙ୍ଗରେ ମନ୍ତବ୍ୟ ଦେଇ ଖଡ୍‌ଗେ କହିଛନ୍ତି ଯେ ମୋଦୀ ସରକାର କେବଳ ସିଂହ ଭଳି କଥା କହୁଛନ୍ତି କିନ୍ତୁ ମୂଷା ଭଳି କାର୍ଯ୍ୟ କରୁଛନ୍ତି । ଚଳିତମାସ ୯ରେ ଅରୁଣାଚଳ ପ୍ରଦେଶଣ ତାୱାଙ୍ଗ୍ ସେକ୍ଟରରେ ଭାରତ ଓ ଚୀନ୍ ସୈନ୍ୟଙ୍କ ମଧ୍ୟରେ ସଂଘର୍ଷର ସୂତ୍ରପାତ ହୋଇଥିଲା । ଏହି ପ୍ରସଙ୍ଗ ଉପରେ ସଂସଦରେ ବିତର୍କ ହେବାସହିତ ପ୍ରଧାନମନ୍ତ୍ରୀ ମୋଦୀ ଗୃହରେ ବକ୍ତବ୍ୟ ରଖିବାକୁ ବିରୋଧୀ ଦଳଗୁଡିକ ଦାବି କରିଥିଲେ । ତେବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଲୋକସଭାରେ ସ୍ପଷ୍ଟୀକରଣ ଦେଇଥିବାବେଳେ କୌଣସି ବିତର୍କ କିମ୍ବା ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ ଦାବିକୁ ସିଧାସଳଖ କେନ୍ଦ୍ର ସରକାର ପ୍ରତ୍ୟାଖ୍ୟାନ କରିଦେଇଥିଲେ । ସଂପ୍ରତି ରାଜସ୍ଥାନର ଅଲୱାର ସହରରେ ପହଞ୍ଚିଥିବା ‘ଭାରତ ଯୋଡ ଯାତ୍ରା’ରେ ସାମିଲ ହେବା ଅବସରରେ ଖଡ୍‌ଗେ ଉପରୋକ୍ତ ବୟାନ ଦେଇଛନ୍ତି । ଅତୀତରେ ଦେଶର ସ୍ୱାଧିନତା ପାଇଁ ଅନେକ କଂଗ୍ରେସ ନେତା ଜୀବନ ବଳିଦାନ ଦେଇଥିବାବେଳେ ବିଜେପିର ଗୋଟିଏ କୁକୁର ମଧ୍ୟ ଦେଶ ପାଇଁ ପ୍ରାଣବଳି ଦେଇନଥିବା ଖଡ୍‌ଗେ କହିଛନ୍ତି । ବିଜେପି କେବଳ ଦେଶକୁ ଧର୍ମ, ଜାତି ଓ ଭାଷର ଭିତ୍ତିରେ ଭାଗ ଭାଗ କରିବାକୁ ଚକ୍ରାନ୍ତ କରିବା ସହ ଗଣତନ୍ତ୍ର ଓ ସାମ୍ବିଧାନିକ ମୂଳ୍ୟବୋଧକୁ ଜଳାଞ୍ଜଳି ଦେବାକୁ ଉଦ୍ୟମ କରୁଥିବା ଖଡ୍‌ଗେ ଅଭିଯୋଗ କରିଛନ୍ତି । ମୋଦୀ ସରକାର ସବୁବେଳେ କହୁଛନ୍ତି ଯେ ଆମକୁ କେହି ନାଲିଆଖି ଦେଖାଇ ପାରିବେ ନାହିଁ । ତେବେ ଚୀନ୍ ସଂଲଗ୍ନ ସୀମାରେ ବାରମ୍ବାର ବିବାଦ ଓ ଉତ୍ତେଜନା ଦେଖିବାକୁ ମିଳୁଛି । ୨୦୨୦ ଜୁନ୍‌ରେ ଲଦାଖ୍‌ର ଗଲୱାନଠାରେ ଚୀନ୍ ସୈନ୍ୟଙ୍କ ସଂଘର୍ଷରେ ଆମର ୨୦ ଯବାନ ସହିଦ ହୋଇଥିଲେ । ଗଲୱାନ୍ ଘଟଣା ପରଠାରୁ ଚୀନ୍ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍‌ଙ୍କୁ ମୋଦୀ ୧୮ ଥର ଭେଟିସାରିଲେଣି । ଦୁଇ ନେତା ଏକାଧିକ ବୈଠକରେ ମିଳିତ ହୋଇଥିବା ସତ୍ତ୍ୱେ ସୀମା ବିବାଦର ସମାଧାନ ଏପର୍ଯ୍ୟନ୍ତ ହୋଇପାରୁନଥିବା ଖଡ୍‌ଗେ ଅଭିଯୋଗ କରିଛନ୍ତି । ଏହି ପ୍ରସଙ୍ଗରେ ସଂସଦରେ ବିତର୍କ ଅନୁଷ୍ଠିତ ହେଉ ବୋଲି କଂଗ୍ରେସ ଦାବି କରୁଛି । ତେବେ ମୋଦୀ ସରକାର ବାହାରେ ସୀମା ପ୍ରସଙ୍ଗ ନେଇ ବାହାସ୍ଫୋଟ ମାରୁନଥିବାବେଳେ ଗୃହରେ ବିରୋଧୀଙ୍କୁ ସାମ୍‌ନା କରିବାକୁ ଭୟ କରୁଛନ୍ତି । ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି ଯେ ମୋଦୀ ସରକାର ସିଂହ ଭଳି କଥା କହୁଛନ୍ତି କିନ୍ତୁ ମୂଷା ଭଳି କାର୍ଯ୍ୟ କରୁଛନ୍ତି । ଏହା ଏକ ଜାତୀୟ ସୁରକ୍ଷା ପ୍ରସଙ୍ଗ ହୋଇଥିବାରୁ ସରକାରଙ୍କ ଆଭିମୁଖ୍ୟ ଜାଣିବାର ଅଧିକାର ପ୍ରତ୍ୟେକ ବିରୋଧୀ ଦଳଙ୍କର ରହିଛି ବୋଲି ଖଡ୍‌ଗେ କହିଛନ୍ତି । ଆମେ କେବଳ ସୂଚନା ମାଗୁଛୁ, ନିଷ୍ପତ୍ତି ନେବାକୁ ବାଧ୍ୟ କରୁନାହୁଁ । ତେଣୁ ସରକାର ଏଥିରେ ଭୟଭୀତ ହେବାର କାରଣ ନାହିଁ ବୋଲି ସେ କହିଛନ୍ତି ।

Comments are closed, but trackbacks and pingbacks are open.