କଂଗ୍ରେସ ସଭାପତି ନିର୍ବାଚନ: ମତଦାନ ଶେଷ, ୧୯କୁ ଅପେକ୍ଷା

28

ନୂଆଦିଲ୍ଲୀ: କଂଗ୍ରେସ ସଭାପତି ନିର୍ବାଚନ ନିମନ୍ତେ ସୋମବାର ଭୋଟଗ୍ରହଣ ଅନୁଷ୍ଠିତ ହୋଇଯାଇଛି । ସକାଳ ୧୦ଟାରୁ ଆରମ୍ଭ ହୋଇ ଅପରାହ୍ନ ୪ଟା ୩୦ରେ ମତଦାନ ପ୍ରକ୍ରିୟା ଶେଷ ହୋଇଥିବାବେଳେ ୯୬ ପ୍ରତିଶତ ଭୋଟର ମତଦାନ ସାବ୍ୟସ୍ତ କରିଥିବା କଂଗ୍ରେସ ମୁଖ୍ୟାଳୟ ସୂତ୍ରରୁ ଜଣାପଡିଛି । ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ଆସନ୍ତା ୧୯ରେ ଫଳାଫଳ ଘୋଷଣା କରାଯିବ । ଚଳିତ ନିର୍ବାଚନରେ ଦୁଇ ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଗ୍‌ଡେ ଓ ଶଶି ଥରୁର୍ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ରାହୁଲ, ପ୍ରିୟଙ୍କା, ସୋନିଆ ଗାନ୍ଧୀ, ଦୁଇ ପ୍ରତିଦ୍ୱନ୍ଦ୍ୱୀ ଖଡ୍‌ଗେ ଓ ଥରୁରଙ୍କ ସମେତ କଂଗ୍ରେସର ଅଧିକାଂଶ ନେତା ଭୋଟିଂ ପ୍ରକ୍ରିୟାରେ ସାମିଲ ହୋଇଥିବା ଜଣାପଡିଛି । ନୂଆଦିଲ୍ଲୀ ସମେତ ଦେଶର ୬୮ଟି ସ୍ଥାନରେ ବୁଥ୍ ପ୍ରତିଷ୍ଠା କରାଯାଇଥିଲା । ଭୋଟିଂ ପ୍ରକ୍ରିୟା ସୁରଖୁରୁରେ ସମାପ୍ତ ହୋଇଛି ବୋଲି କଂଗ୍ରେସ ସେଣ୍ଟ୍ରାଲ ଇଲେକ୍‌ସନ ଅଥରିଟୀ ଅଧ୍ୟକ୍ଷ ମଧୁସୂଦନ ମିସ୍ତ୍ରି ସୂଚନା ଦେଇଛନ୍ତି । ବିଭିନ୍ନ ସ୍ଥାନରେ ବରିଷ୍ଠ ନେତାମାନେ ଶୃଙ୍ଖଳିତଭାବେ ଧାଡିରେ ଛିଡା ହୋଇ ଭୋଟ୍ ଦେଇଥିବା ସେ କହିଛନ୍ତି । ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ସବୁ ଭୋଟ୍ ବାକ୍ସ ଦିଲ୍ଲୀରେ ପହଞ୍ଚିବ । ଦୀର୍ଘବର୍ଷର ବ୍ୟବଧାନ ପରେ ଗାନ୍ଧୀ ପରିବାର ବାହାରୁ କୌଣସି ନେତା କଂଗ୍ରେସ ସଭାପତି ନିର୍ବାଚିତ ହେବାକୁ ଯାଉଛନ୍ତି । ସୋନିଆ ଗାନ୍ଧୀ ବର୍ତ୍ତମାନ ଅନ୍ତରୀଣ ସଭାପତି ଦାୟିତ୍ୱ ତୁଳାଉଥିବାବେଳେ ନୂଆ ସଭାପତିଙ୍କୁ ଦାୟିତ୍ୱ ହସ୍ତାନ୍ତର କରିବେ । କଂଗ୍ରେସରେ ଆଭ୍ୟନ୍ତରୀଣ କନ୍ଦଳ ଦିନକୁ ଦିନ ଜଟିଳ ରୂପ ଧାରଣ କରୁଥିବାବେଳେ ଅଧିକାଂଶ ନେତା ଗାନ୍ଧୀ ପରିବାରର ନେତୃତ୍ୱକୁ ନାପସନ୍ଦ କରୁଛନ୍ତି । ଏପରିକି ନିକଟ ଅତୀତରେ ଏକାଧିକ ବରିଷ୍ଠ ନେତା ଦଳରୁ ଇସ୍ତଫା ଦେଇସାରିଥିବାବେଳେ ନେତୃତ୍ୱ ପରିବର୍ତ୍ତନ ଅବଶ୍ୟମ୍ଭାବୀ ହୋଇପଡିଥିଲା । ପୁନଶ୍ଚ ଆଗକୁ ଗୁଜରାଟ, ହିମାଚଳ ପ୍ରଦେଶ, ମଧ୍ୟପ୍ରଦେଶ ଓ ରାଜସ୍ଥାନ ଭଳି ଗୁରୁତ୍ୱପୂର୍ଣ୍ଣ ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବାରୁ ଦଳକୁ ମଜଭୁତ କରିବାକୁ ହାଇକମାଣ୍ଡ ଜୋରସୋର ଉଦ୍ୟମ ଜାରି ରଖିଛନ୍ତି ।

Comments are closed, but trackbacks and pingbacks are open.