କଂଗ୍ରେସ ଖେଳିଲା ଅନୁକମ୍ପା କାର୍ଡ ; ବାଜି ମାରିନେଲେ ତରୁଣ

32

କଂଗ୍ରେସ ବି ଖେଳିଲା ଅନୁକମ୍ପା କାର୍ଡ । ତରୁଣ ପାଣ୍ଡେ ହେଲେ କଂଗ୍ରେସର ପ୍ରାର୍ଥୀ । ମୋହର ମାରିଲେ କଂଗ୍ରେସ ସଭାପତି । ଝାରସୁଗୁଡା ଉପ-ନିର୍ବାଚନ ପାଇଁ କଂଗ୍ରେସର ପ୍ରାର୍ଥୀ ଘୋଷଣା କରିଛି । ଦିବଙ୍ଗତ ତଥା ପୂର୍ବତନ ବିଧାୟକ ବୀରେନ୍ଦ୍ର ଚନ୍ଦ୍ର ପାଣ୍ଡେଙ୍କ ପୁଅ ତରୁଣ ପାଣ୍ଡେଙ୍କ ନାଁରେ ମୋହର ମାରିଛି କଂଗ୍ରେସ । କଂଗ୍ରେସ ସଭାପତି ମଲ୍ଲିକାର୍ଜୁନେ ଖଡଗେଙ୍କ ଅନୁମୋଦନ କ୍ରମେ ତରୁଣଙ୍କୁ ଝାରସୁଗୁଡା ଉପନିର୍ବାଚନ ପାଇଁ ଦଳୀୟ ପ୍ରାର୍ଥୀ କରାଯାଇଛି । ପ୍ରଦେଶ କଂଗ୍ରେସ କମିଟିର ୫ ଜଣିଆ ଟିମ୍ ଝାରସୁଗୁଡ଼ା ଗସ୍ତ କରି ଦଳୀୟ ପ୍ରାର୍ôଥତ୍ୱ ନେଇ କର୍ମୀ ଓ ନେତାଙ୍କ ସହ ବିଚାରବିମର୍ଶ କରିଥିଲେ । ଟିମ୍ ୬ ଜଣିଆ ତାଲିକା ପ୍ରସ୍ତୁତ କରି ଦଳର ରାଜ୍ୟ କମିଟିକୁ ହସ୍ତାନ୍ତର କରିଥିଲା ।

ତେବେ ଏଆଇସିସି ତରୁଣଙ୍କ ନାମ ଉପରେ ମୋହର ଲଗାଇଛି । ତେବେ ପୂର୍ବରୁ କଂଗ୍ରେସରୁ ପ୍ରାର୍ଥୀ ହୋଇଥିବା ମହେନ୍ଦ୍ର କୁମାର ନାୟକ ଓ ହେମାନନ୍ଦ ବିଶ୍ୱାଳଙ୍କ ଝିଅ ଅମିତା ବିଶ୍ୱାଳଙ୍କ ନାଁକୁ ନେଇ ମଧ୍ୟ ବେଶ ଚର୍ଚ୍ଚା ଲାଗି ରହିଥିଲା । ହେଲେ ବାଜି ମାରିନେଇଛନ୍ତି ତରୁଣ । ତରୁଣ ହେଉଛନ୍ତି ୩ ଥରର ବିଧାୟକ ବୀରେନ୍ ପାଣ୍ଡେଙ୍କ ପୁଅ । ନିକଟରେ ବୀରେନ୍ ପାଣ୍ଡେଙ୍କ ଦେହାନ୍ତ ହୋଇଥିବାରୁ ତରୁଣଙ୍କୁ ଟିକଟ ଦେଇ ଅନୁକମ୍ପା ଭୋଟ୍ ହାତେଇବାକୁ କଂଗ୍ରେସ ଯୋଜନା କରୁଥିବା ଚର୍ଚ୍ଚା ହେଉଛି । ତରୁଣ କୌଣସି ସାଧାରଣ ନିର୍ବାଚନରେ ପୂର୍ବରୁ ପ୍ରତିଦ୍ୱନ୍ଦିତା କରିନଥିବା ବେଳେ ପ୍ରଥମ ଥର ପାଇଁ ଦଳ ତାଙ୍କୁ ଉପ ନିର୍ବାଚନ ମଇଦାନରେ ଓହ୍ଳାଇଛି ।

ତେବେ ୨୦୦୦ ମସିହାରୁ ନିର୍ବାଚନ ପ୍ରକ୍ରିୟା ସହ ଜଡିତ ଥିବା ବେଳେ ସେହି ଅଭିଜ୍ଞତା ଆଧାରରେ ଏହି ନିର୍ବାଚନରେ ବାଜିମାତ କରିବେ ବୋଲି ଆଶା ରଖିଛନ୍ତି ତରୁଣ । ବିଜେଡି ପକ୍ଷରୁ ଦିବଂଗତ ମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳିଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରାଯାଇଥିବାବେଳେ ବିଜେପି ପକ୍ଷରୁ ଟଙ୍କଧର ତ୍ରିପାଠୀଙ୍କ ନାମ ଘୋଷଣା ହୋଇପାରେ ବୋଲି କୁହାଯାଉଛି । ମେ ୧୦ ତାରିଖରେ ହେବାକୁ ଥିବା ଏହି ଉପନିର୍ବାଚନ ପାଇଁ ଆସନ୍ତା ୧୩ ତାରିଖରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ । ଏହା ପରେ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହେବାକୁ ଥିବାବେଳେ ଆଜି କଂଗ୍ରେସ ପକ୍ଷରୁ ତରୁଣ ପାଣ୍ଡେଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି ।

Comments are closed, but trackbacks and pingbacks are open.