ଶ୍ରୀକାନ୍ତଙ୍କ ଉପରେ କଂଗ୍ରେସ ନଜର !

67

ଭୁବନେଶ୍ଵର: ଘରକୁ ଫେରିଲେ ମୋକିମ୍ ଓ ଚିରଞ୍ଜୀବ। ଫେରିଲେ କୃଷ୍ଣ। ଫେରିବେ କି ଶ୍ରୀକାନ୍ତ? ରାଜ୍ୟ କଂଗ୍ରେସ ପ୍ରେସମିଟ କରି ମହମ୍ମଦ ମୋକିମ୍ ଓ ଚିରଞ୍ଜୀବ ବିଶ୍ଵାଳଙ୍କ ଉପରେ ଥିବା ନିଲମ୍ବନକୁ ପ୍ରତ୍ୟାହାର କରିଛି। କୋରାପୁଟର ପୂର୍ବତନ ବିଧାୟକ କୃଷ୍ଣ ଚନ୍ଦ୍ର ସଗରିଆଙ୍କୁ ମଧ୍ୟ ଦଳରୁ ଜାନୁଆରୀ ମାସରେ ବାହାର କରାଯାଇଥିଲା। ମୋକିମ୍ ଓ ଚିରଞ୍ଜୀବଙ୍କ ସହ କୃଷ୍ଣ ସାଗରିଆଙ୍କୁ ମଧ୍ୟ ଦଳକୁ ସ୍ବାଗତ କରାଯାଇଛି।

ନିର୍ବାଚନକୁ ଦୃଷ୍ଟିରେ ରଖି ଦଳ ନେଉଥିବା ପଦକ୍ଷେପ ଆଗାମୀ ଦିନମାନଙ୍କରେ ଭଲ ଫଳ ଆଣିବ ବୋଲି ଚର୍ଚ୍ଚା ହେଉଛି। କାରଣ ରାଜ୍ୟରେ କଂଗ୍ରେସର ସ୍ଥିତି ଯାହା ଅଛି, ଭଲ ପ୍ରଦର୍ଶନ ପାଇଁ ଦଳକୁ ପୁରୁଣା ଟାଣୁଆ ନେତମାନଙ୍କର ଆବଶ୍ୟକତା ରହିଛି। ଯେଉଁ ପ୍ରକ୍ରିୟାରେ ଘର ବାହୁଡ଼ିଛନ୍ତି ମହମ୍ମଦ ମୋକିମ୍, ଚିରଞ୍ଜୀବ ବିଶ୍ବାଳ ଓ କୃଷ୍ଣ ସାଗରିଆ। ଏଵଂ ଏବେ ପରବର୍ତ୍ତୀ ନଜର ଦଳର ପୂର୍ବତନ ନେତା ଶ୍ରୀକାନ୍ତ ଜେନାଙ୍କ ଉପରେ।ଶୁଣିବାକୁ ମିଳୁଛି ଏବେ ଖୁବ୍ ଶୀଘ୍ର ଶ୍ରୀକାନ୍ତଙ୍କୁ ହାତ ଦଳକୁ ଫେରେଇ ଆଣିବା ପାଇଁ କରାଯାଉଛି ଯୋଜନା।

ରାଜ୍ୟର ପ୍ରମୁଖ ରାଜନୈତିକ ଦଳ ବିଜେଡି ଓ ବିଜେପି ତୁଳନାରେ ପଛୁଆ ହୋଇପଡିଛି କଂଗ୍ରେସ। ଯାହାକୁ ସୁଧାରିବା ପାଇଁ କଂଗ୍ରେସ ପ୍ରଭାରୀ ଅଜୟ କୁମାର ସଂଗଠନକୁ ମଜଭୁତ କରିବା ପାଇଁ ଅଣ୍ଟା ଭିଡିଛନ୍ତି। ଯେଉଁ ପୁରୁଖା ନେତାମାନଙ୍କୁ ଦଳ ବାହାରର ରାସ୍ତା ଦେଖାଇଥିଲା ସେମାନଙ୍କୁ ପୁଣି ଦଳରେ ସାମିଲ କରି ନିଜ ଶକ୍ତିକୁ ସୁଦୃଢ କରିବାକୁ ସମସ୍ତ ଚେଷ୍ଟା କରୁଛନ୍ତି ଅଜୟ କୁମାର। ଏହି ସମୀକରଣରେ ଏବେ ଶ୍ରୀକାନ୍ତଙ୍କୁ ନେଇ ହେଉଛି ଚର୍ଚ୍ଚା। ତେବେ ଦେଖିବା ବାକି ରହିଲା ଶ୍ରୀକାନ୍ତ ଘର ବହୁଡୁଛନ୍ତି ନା ନାହିଁ।

Comments are closed, but trackbacks and pingbacks are open.