ନୂଆପଡା: ନୂଆପଡ଼ା ମତଦାତାଙ୍କୁ ନିଜ ସପକ୍ଷରେ ଆଣିବାକୁ କଂଗ୍ରେସ ପକ୍ଷରୁ ଆଜି ଘୋଷଣା ପତ୍ର ଜାରି କରାଯାଇଛି । ନୂଆପଡ଼ାସ୍ଥିତ ଖୁଣ୍ଟିଆ ଭବନଠାରେ ଜିଲ୍ଲା କଂଗ୍ରେସ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଘୋଷଣା ପତ୍ର ଉନ୍ମୋଚନ କରାଯାଇଛି । ଦଳୀୟ ପ୍ରାର୍ଥୀ ଘାସିରାମ ମାଝୀଙ୍କ ଉପସ୍ଥିତିରେ ପିସିସି ସଭାପତି ଭକ୍ତ ଚରଣ ଦାସ ଇସ୍ତାହାର ଉନ୍ମୋଚନ କରିଛନ୍ତି । ସଂକଳ୍ପ ପତ୍ରରେ କଂଗ୍ରେସ ଜିତିଲେ ନୂଆପଡ଼ାରେ କୃଷି ଭିତ୍ତିକ ଶିଳ୍ପ ପ୍ରତିଷ୍ଠା ହେବା ସହିତ ଶୀତଳ ଭଣ୍ଡାର ନିର୍ମାଣ ପାଇଁ ପ୍ରତିଶ୍ରୁତି ଦେଇଛି । ସେହିପରି କଂଗ୍ରେସ ଆଦିବାସୀ ଭୋଟରଙ୍କୁ ଆକୃଷ୍ଟ କରିବାକୁ ଜଙ୍ଗଲ ଜମିପଟ୍ଟା ପ୍ରଦାନ କରିବ ବୋଲି ଇସ୍ତିହାରରେ ଉଲ୍ଲେଖ ରହିଛି । ଭୂମିହୀନଙ୍କୁ ଘରଡିହ ପଟ୍ଟା ପ୍ରଦାନ ମଧ୍ୟ କରାଯିବ । ସେହିପରି ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ ଖାଲି ଥିବା ଶିକ୍ଷକ ଏବଂ ମେଡ଼ିକାଲରେ ଡାକ୍ତର ପଦବୀ ପୂରଣ ପାଇଁ କଂଗ୍ରେସ ଇସ୍ତାହାର ଜାରି କରିଛି । ଏଥି ସହିତ ଏନ୍.ଆର୍.ଜି.ଏସ୍. କୁ କ୍ରିୟାଶୀଳ କରି ଦାଦନ ପ୍ରଥାକୁ ରୋକିବା, ନୂଆପଡ଼ାର ଯୁବକ ଯୁବତୀମାନଙ୍କୁ ତାଙ୍କ ମାଟିରେ ରୋଜଗାର ପନ୍ଥା ଦେବା, ପତୋରା ଡ୍ୟାମ ଓ ତିଖାଲି ପ୍ରକଳ୍ପର ଉନ୍ନତୀକରଣ ସହିତ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ମାଧ୍ୟମରେ ନୂଆପଡ଼ାର ୬୦ ଭାଗ ଚାଷ ଜମିକୁ ଜଳସେଚନର ବ୍ୟବସ୍ଥା କରିବା, ମହିଳା ସ୍ଵୟଂ ସହାୟକ ଗୋଷ୍ଠୀଗୁଡିକ ଦ୍ୱାରା ଅଣୁସ୍ତରରେ ଉଦ୍ୟୋଗ ପ୍ରତିଷ୍ଠା କରି ସେମାନଙ୍କୁ ସ୍ୱାବଲମ୍ବନ କରିବା ଇତ୍ୟାଦି ଇସ୍ତାହାରରେ ଜାରି କରିଛି । ସଂକଳ୍ପ ପତ୍ର ଉନ୍ମୋଚନ ସମୟରେ ଦଳର ବହୁ ବରିଷ୍ଠ ନେତା ସାମିଲ ଥିଲେ । ସାଂସଦ ସପ୍ତଗିରି ଉଲ୍ଲାକା, ବିଧାୟକ ଦଳ ନେତା ରାମ ଚନ୍ଦ୍ର କାଡ଼ାମ୍, ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀକାନ୍ତ ଜେନା, ପ୍ରମୁଖ ଉପସ୍ଥିତ ଥିଲେ ।
Comments are closed, but trackbacks and pingbacks are open.