କଂଗ୍ରେସର ଡିଏନ୍‌ଏ ହିଁ ପାକିସ୍ତାନ ସପକ୍ଷରେ

18

ସର୍ଜିକାଲ ଷ୍ଟ୍ରାଇକ୍‌ ଓ ପୁଲଓ୍ୱାମା ଆକ୍ରମଣକୁ ନେଇ କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂହ ଦେଇଥିବା ମନ୍ତବ୍ୟକୁ ନେଇ ଆରମ୍ଭ ହୋଇଯାଇଛି ବୟାନବାଜୀ। ଦିଗବିଜୟଙ୍କ ବୟାନକୁ ନେଇ ରାଜନୈତିକ ମହଲରେ ହଇଚଇ ସୃଷ୍ଟି ହୋଇଛି। ଏହାରି ଭିତରେ ଦିଗ୍‌ବିଜୟ ସିଂହଙ୍କୁ ଟାର୍ଗେଟ୍‌ କରିଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ। କଂଗ୍ରେସର ଡିଏନ୍‌ଏ ହିଁ ପାକିସ୍ତାନ ସପକ୍ଷରେ ରହିଛି। କଂଗ୍ରେସର ନେତାମାନେ କେତେବେଳେ ସର୍ଜିକାଲ ଷ୍ଟ୍ରଇକ୍‌କୁ ନେଇ ପ୍ରମାଣ ମାଗୁଛନ୍ତି ତ ଆଉ କେତେବେଳେ ଭଗବାନ ରାମଙ୍କ ଅସ୍ତିତ୍ୱ ଓ ରାମ ସେତୁକୁ ନେଇ ପ୍ରମାଣ ମାଗୁଛନ୍ତି ବୋଲି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଦିଗବିଜୟ ପ୍ରଶ୍ନ କରି ସେନାର ମନୋବଳକୁ ହ୍ରାସ କରିବା ଭଳି ପାପ କରୁଛନ୍ତି। ସେ ପାକିସ୍ତାନ ସହ ଠିଆ ହୋଇଥିବା ପ୍ରମାଣିତ କରୁଛନ୍ତି । ଏହାରି ଭିତରେ ଦିଗବିଜୟଙ୍କ ବିବାଦୀୟ ମନ୍ତବ୍ୟରୁ କଂଗ୍ରେସ ନିଜକୁ ଦୂରେଇ ନେଇଛି। ଦିଗ୍‌ବିଜୟଙ୍କ ମନ୍ତବ୍ୟ ଦଳର ନୁହେଁ ବରଂ ତାଙ୍କର ବ୍ୟକ୍ତିଗତ ବୋଲି ବରିଷ୍ଠ ନେତା ଜୟରାମ ରମେଶ କହିଛନ୍ତି। ଦିଗ୍‌ବିଜୟଙ୍କ ମନ୍ତବ୍ୟ ଦଳର ସ୍ଥିତିକୁ ପ୍ରତିଫଳିତ କରୁନାହିଁ। ୨୦୧୪ ମସିହା ପୂର୍ବରୁ ଉପା ସରକାରଙ୍କ ଅମଳରେ ସର୍ଜିକାଲ ଷ୍ଟ୍ରାଇକ୍ ହୋଇଥିଲା। ଜାତୀୟ ସ୍ବାର୍ଥରେ ଉଦ୍ଦିଷ୍ଟ ସମସ୍ତ ସାମରିକ କାର୍ଯ୍ୟାନୁଷ୍ଠାନକୁ କଂଗ୍ରେସ ସମର୍ଥନ କରିଛି ଏବଂ ଆଗାମୀ ଦିନରେ ମଧ୍ୟ ସମର୍ଥନ ଅବ୍ୟାହତ ରଖିବ ବୋଲି ସେ କହିଛନ୍ତି।ଗତ ସୋମବାର ଜମ୍ମୁରେ ପହଞ୍ଚିଛି କଂଗ୍ରେସର ଭାରତ ଯୋଡ ଯାତ୍ରା।

ଏଥିରେ କଂଗ୍ରେସର ବରିଷ୍ଠ ନେତା ଦିଗ୍‌ବିଜୟ ସିଂହ ସାମିଲ ହୋଇଥିଲେ। ସେ ଏହି ସମୟରେ ସର୍ଜିକାଲ ଷ୍ଟ୍ରାଇକ୍‌ ଉପରେ ପ୍ରମାଣ ମାଗିଥିଲେ। ଏଥିସହ ବିଜେପି ସର୍ଜିକାଲ ଷ୍ଟ୍ରାଇକ୍‌କୁ ନେଇ ମିଛ ପ୍ରଚାର କରୁଥିବା ଅଭିଯୋଗ ଆଣିଥିଲେ।

Comments are closed, but trackbacks and pingbacks are open.