ବୁଥ୍ ରିଗିଂ ଅଭିଯୋଗରେ କଂଗ୍ରେସ ଓ ବିଜେଡି କର୍ମୀ ହାତାହାତି

45

ଆଜି ସରିଛି ପୌରନିର୍ବାଚନ I ଅଳ୍ପ କେତେକ ସ୍ଥାନରେ କାଁ ଭାଁ ଗଣ୍ଡଗୋଳ କୁ ଛାଡିଦେଲେ ପ୍ରାୟ ସମସ୍ତ ଅଂଚଳରେ ନିର୍ବାଚନ ସୁରୁଖୁରୁରେ ସରିଛି I କିନ୍ତୁ ଏହାରି ମଧ୍ୟରେ ପ୍ରାର୍ଥୀ ମାନଙ୍କ ଭୋଟର ଙ୍କୁ ଟଙ୍କା ବାଣ୍ଟିବା ଏବଂ ବୁଥ ରିଗିଂ ଘଟଣା ଯୋଗୁଁ କିଛି ସ୍ଥାନରେ ଉତ୍ତେଜନା ପ୍ରକାଶ ପାଇଥିଲା I ସେହିଭଳି ପରସ୍ପର ବିରୋଧରେ ବୁଥ୍ ରିଗିଂ ଅଭିଯୋଗ ଆଣି କଂଗ୍ରେସ ଓ ବିଜେଡି କର୍ମୀ ହୋଇଛନ୍ତି ହାତାହାତି। ଧସ୍ତାଧସ୍ତିରେ ଦୁଇ ଜଣ ଆହତ ହୋଇଛନ୍ତି। ଆଜି ଏପରି ଘଟଣା ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜିରେ ଘଟିଛି। ଧସ୍ତାଧସ୍ତିରେ ଦୁଇ ଜଣ ଆହତ ହୋଇଥିବା ଜଣାପଡ଼ିଛି।
କଣ୍ଟାବାଞ୍ଜିର ଝଙ୍କାରପଡ଼ା ସ୍କୁଲ୍ର ୧୪ ଓ ୧୫ ନମ୍ୱର ୱାର୍ଡର ୩ଟି ବୁଥ୍ ରେ ମତଦାନ ଚାଲିଥିଲା। ମତଦାନ ଚାଲିଥିବା ବେଳେ କଂଗ୍ରେସ କର୍ମୀଙ୍କ ବିରୋଧରେ ବୁଥ୍ ରିଙ୍ଗି ଅଭିଯୋଗ ଆଣିଥିଲା ବିଜେଡି। ଯାହାଫଳରେ ବୁଥ୍ ଭିତରେ ଥିବା ସମସ୍ତଙ୍କୁ ବାହାର କରିଦେଇଥିଲା ପୁଲିସ୍। ତା’ପରେ ଆରମ୍ଭ ହୋଇଥିଲା ମହାଭାରତ। ବୁଥ୍ ବାହାରେ ମୁହାଁମୁହିଁ ହୋଇଥିଲେ କଂଗ୍ରେସ ଓ ବିଜେଡି କର୍ମୀ। ଠେଲାପେଲା ହୋ-ହାଲ୍ଲା ହୋଇଥିଲେ।
ଧସ୍ତାଧସ୍ତିରେ ୧୫ ନମ୍ବର ୱାର୍ଡର କାଉନସିଲର ପ୍ରାର୍ଥୀ ପିଙ୍କି ଖରର୍ସେଲ୍ ଓ କଣ୍ଟାବାଞ୍ଜିର ପୂର୍ବତନ ବିଜେଡି ବିଧାୟକ ଅୟୁବ ଖାଁଙ୍କ ପୁଅ ତଥା ଜିଲ୍ଲା ସାଧାରଣ ସମ୍ପାଦକ ଫିରୋଜ ଖାଁ ସାମାନ୍ୟ ଆହତ ହୋଇଛନ୍ତି। ପୁଲିସ୍ ବୁଝାସୁଝା ପରେ ମତଦାନ ଚାଲିଛି। ଅନ୍ୟପକ୍ଷରେ ଆକ୍ରମଣ କରିଥିବା କଂଗ୍ରେସ କର୍ମୀଙ୍କ ଗିରଫ ଦାବିରେ ବୁଥ୍ ସମ୍ମୁଖରେ ଧାରଣାରେ ବସିଥିଲେ ବିଜେଡି ପ୍ରାର୍ଥୀ ଓ ତାଙ୍କ ସମର୍ଥକ।
ସେପଟେ ବୁଥ୍ ରିଙ୍ଗି ଓ ଆକ୍ରମଣକୁ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ଖଣ୍ଡନ କରିଛନ୍ତି। ସେ କହିଛନ୍ତି, “ବିଜେଡି କର୍ମୀମାନେ ଜବରଦସ୍ତ ବୁଥ୍ ଭିତରେ ପଶୁଥିଲେ। କଂଗ୍ରେସ କର୍ମୀମାନଙ୍କୁ ବୁଥ୍ ପାଖକୁ ଯିବାକୁ ଦେଉନଥିଲେ। ଏହାକୁ ନେଇ ସାମାନ୍ୟ ବଚସା ହୋଇଛି। ବାକି ଘଟଣା କଣ ହୋଇଛି, ତାହା ଦେଖିଲେ କହିବି।”

Comments are closed, but trackbacks and pingbacks are open.