ଭୁବନେଶ୍ୱର: କଂଗ୍ରେସର ପରିଚାଳନା ନେଇ ଅସନ୍ତୋଷ ପ୍ରକାଶ କରି ଦଳର ନେତ୍ରୀ ସୋନିଆ ଗାନ୍ଧୀଙ୍କ ନିକଟକୁ ଚିଠି ଲେଖିଥିଲେ କଂଗ୍ରେସର ବରିଷ୍ଠ ନେତା ମହମ୍ମଦ ମୋକିମ୍ । ଏହାକୁ ନେଇ ଅଧିକାଂଶ ନେତା ଏନେଇ ମୁହଁ ଖୋଲୁନଥିବା ବେଳେ ମୋକିମ୍ ଯାହା କରିଛନ୍ତି, ତାହା ଠିକ୍ ନୁହେଁ ବୋଲି ମତ ଦେଇଛନ୍ତି। ଏହାକୁ ନେଇ କଂଗ୍ରେସର ଆଭ୍ୟନ୍ତରୀଣ ରାଜନୀତି ସରଗରମ ହୋଇଛି। କିଛି ବରିଷ୍ଠ ନେତା ଏ ସମ୍ପର୍କରେ ମୁହଁ ଖୋଲିଥିଲା ବେଳେ ଅନ୍ୟମାନେ ପରିସ୍ଥିତି ଉପରେ ନଜର ରଖିଛନ୍ତି। ତେବେ ପିସିସି ସଭାପତି ଭକ୍ତଚରଣ ଦାସ ଏଯାଏଁ ପ୍ରତିକ୍ରିୟା ରଖି ନାହାନ୍ତି। ଏହି ମାମଲାର ସମାଧାନ ନୂ୍ଆଦିଲ୍ଲୀରେ କରାଯିବ ବୋଲି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ ସୂଚନା ଦେଇଛନ୍ତି। ସେ କହିଛନ୍ତି ଏହି ବିବାଦର ସମାଧାନ ହେବ। ତେବେ ଏଥିରୁ କି ନିଷ୍କର୍ଷ ବାହାରୁଛି, ମହମ୍ମଦ ମୋକିମଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି କି ନା ତାହା ଉପରେ ରହିଛି ସମସ୍ତଙ୍କ ନଜର।
ପୂର୍ବତନ ପିସିସି ସଭାପତି ଜୟଦେବ ଜେନା କହିଛନ୍ତି, ମଲ୍ଲିକାର୍ଜୁନ ଖଡ୍ଗେଙ୍କ ବୟସ ଓ ରାହୁଲ ଗାନ୍ଧୀ ତାଙ୍କୁ ସାକ୍ଷାତ ନଦେବା ଅଭିଯୋଗ ଗ୍ରହଣୀୟ ନୁହେଁ। ସଂସଦରେ ଖଡ୍ଗେଙ୍କ ବିତର୍କ ଶୁଣନ୍ତୁ। ଗଣତନ୍ତ୍ର ଓ ସମ୍ବିଧାନର ସୁରକ୍ଷା ପାଇଁ ସେ ବଳିଷ୍ଠ ଯୁକ୍ତି ବାଢ଼ୁଥିବା ସାରା ଦେଶ ଦେଖୁଛି। ସେ ଜଣେ ବିଜ୍ଞ ତଥା ଯୋଗ୍ୟ ବ୍ୟକ୍ତି ବୋଲି ତାଙ୍କୁ ଦଳର ସଭାପତି କରାଯାଇଛି। ତାଙ୍କ ବାବଦରେ ଏମିତି ମନ୍ତବ୍ୟ ଦେବା ଠିକ୍ ନୁହେଁ। ରାହୁଲ ଗାନ୍ଧୀ ଦରିଦ୍ରତମ ଲୋକଙ୍କ କାନ୍ଧରେ ହାତ ପକାଇ ବୁଲନ୍ତି। ତେଣୁ ସେ ଭେଟୁନାହାନ୍ତି ବୋଲି ଅଭିଯୋଗ କରିବା ଠିକ୍ ନୁହେଁ। ଅନନ୍ତ ସେଠୀ କହିଛନ୍ତି, ସେ ସର୍ବୋଚ୍ଚ ନେତ୍ରୀଙ୍କୁ ଚିଠି ଲେଖିଥିଲେ। ଅପେକ୍ଷା କରିବା ଉଚିତ ଥିଲା । ଗଣମାଧ୍ୟମରେ ଦଳ କଥା ଚର୍ଚ୍ଚା କରିବା ଠିକ୍ ହେଲା ନାହିଁ । ସୁରେଶ ରାଉତରାୟ କହିଛନ୍ତି, ମୋକିମ୍ ବାବୁଙ୍କୁ ଧୈର୍ଯ୍ୟ ଧରିବା ଉଚିତ। ତାଙ୍କୁ କଂଗ୍ରେସ କେବେ ଧୋକା ଦେଇନି। ସେ ଯଦି ଚିଠି ଲେଖିଲେ, ତାହା ବାହାରକୁ ଆସିବା କଥା ନୁହେଁ। ତାଙ୍କ ଝିଅ ବି ଦଳର ବିଧାୟକ ହୋଇଛନ୍ତି। ଏମିତି ବୟାନ ଭିତରେ ମୋକିମ୍ ଆଜି ନିଜର ମତ ରଖି କହିଛନ୍ତି ଯେ, ଓଡ଼ିଶାରେ ଯେଉଁମାନେ ଯୁବ ନେତୃତ୍ବ ଥିଲେ ସେମାନେ କଂଗ୍ରେସ ଛାଡ଼ି ଚାଲିଯାଇଛନ୍ତି। ଯେଉଁ ଲୋକଙ୍କୁ କଂଗ୍ରେସ ତିଆରି କରିଛି, ତାଙ୍କୁ କାହିଁକି ଛାଡ଼ିବ। ଯେପରି ଭାବେ କଂଗ୍ରେସ ସମସ୍ତଙ୍କୁ ନେଇ ଚାଲିବ, ସେଥିପାଇଁ ଚିଠି ଲେଖିଛି। ମୋର ବ୍ୟକ୍ତିଗତ ଆକ୍ଷେପ କାହା ପ୍ରତି ନାହିଁ। ଦଳର କର୍ମୀମାନଙ୍କ ଭାଷା ଲେଖିଛି। ମୁଁ ସୋନିଆ ଗାନ୍ଧୀଙ୍କ ହସ୍ତକ୍ଷେପ ଚାହୁଁଛି । ସେ ହସ୍ତକ୍ଷେପ କରିବେ ବୋଲି ମୋର ଆଶା ରହିଛି।
Comments are closed, but trackbacks and pingbacks are open.