ଭକ୍ତଙ୍କ ଆଶ୍ୱାସନା ପରେ ବି କଂଗ୍ରେସର ନୂଆ ଟିମ ଅସନ୍ତୋଷ

2,586

ଭୁବନେଶ୍ୱର : ପିସିସି ସଭାପତି ଭକ୍ତଚରଣ ଦାସ କଂଗ୍ରେସର ନୂଆ ଟିମର ଅସନ୍ତୋଷ ଭାବ ଦେଖି ମୁହଁ ଖୋଲିବା ସହ, ନେତାଙ୍କୁ ଧୈର୍ଯ୍ୟ ଧରିବାକୁ ପରାମର୍ଶ ଦେଇଛନ୍ତି ଏବଂ ଏକମାସ ମଧ୍ୟରେ ଟିମର ସମ୍ପ୍ରସାରଣ କରାଯିବ ବୋଲି ଆଶ୍ୱାସନା ଦେଇଛନ୍ତି । ପିସିସି ସଭାପତିଙ୍କ ଆଶ୍ୱାସନା ପରେ ବି ଦଳୀୟ ନେତା ବୁଝିବାକୁ ନାରାଜ । କିଛି ନେତା ଖୋଲା ଖୋଲି ମନ୍ତବ୍ୟ ଦେବା ସହ ଅନ୍ୟ କିଛି ନେତା ଭକ୍ତଙ୍କ ଟିମକୁ ନେଇ ବେଶ ଉତ୍ସାହିତ । ଦଳରେ ଅସନ୍ତୋଷ ନିଆଁ ବଢୁଥିବା ଦେଖି ପିସିସି ସଭାପତି କହିଛନ୍ତି, ପିସିସି ଟିମରେ ସବୁ ବର୍ଗର ନେତାଙ୍କୁ ସାମିଲ କରାଯାଇଛି । ବିଧାୟକମାନଙ୍କୁ ଦଳୀୟ ରାଜନୀତିରେ ସକ୍ରିୟ କରିବାକୁ ପ୍ରୟାସ କରାଯାଇଛି । ଯେଉଁ ଯୋଗ୍ୟ ନେତା ଟିମରେ ସ୍ଥାନ ପାଇନାହାନ୍ତି ସେମାନେ ଧୈର୍ଯ୍ୟ ଧରିବା ଦରକାର । ଏକମାସ ମଧ୍ୟରେ ପିସିସି ଟିମର ସମ୍ପ୍ରସାରଣ କରାଯାଇ ଯୋଗ୍ୟ ନେତାଙ୍କୁ ଟିମରେ ସାମିଲ କରାଯିବ ବୋଲି ପିସିସି ସଭାପତି ଆଶ୍ୱାସନା ଦେଇଛନ୍ତି । ବରିଷ୍ଠ କଂଗ୍ରେସ ନେତା ଅମର ପ୍ରଧାନ କହିଛନ୍ତି, ପିସିସି ଟିମକୁ ନେଇ ଅସନ୍ତୋଷ କିଛି ନୂଆ କଥା ନୁହେଁ । ଆଗକୁ ପିସିସି ସଭାପତି ସବୁ ଅସନ୍ତୋଷର ସାମଧାନ କରିବେ ବୋଲି ଆଶା କରାଯାଉଛି ।

ଭକ୍ତଙ୍କ ନୂଆ ଟିମରେ ୭ ଜଣ ଉପସଭାପତି, ୧୨ ଜଣ ସମ୍ପାଦକ, ୧୦ ଜଣ ସାଧାରଣ ସମ୍ପାଦକ ଓ ଜଣେ କୋଷାଧ୍ୟକ୍ଷ ନିଯୁକ୍ତ ହୋଇଛନ୍ତି । ଏହାକୁ ନେଇ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା କହିଛନ୍ତି, ପିସିସି ସଭାପତି ନିଜକୁ ସୁହାଇଲା ପରି ଟିମ ଗଠନ କରିଛନ୍ତି । ଆଗକୁ ଟିମ ସମ୍ପ୍ରସାରଣ କରିବା କଷ୍ଟ ହେବ । ସେପଟେ ବିଧାୟକମାନେ ଏକଜୁଟ ହୋଇ କାମ କରିବେ ବୋଲି ଆଶା କରିଛନ୍ତି କଂଗ୍ରେସ ବିଧାୟକ ମଙ୍ଗୁ ଖିଲ । ବିଧାୟକମାନେ ଏକ ହୋଇ ବିଧାନସଭାରେ କାମ କରିଥିଲେ । ଆଗକୁ ଦଳକୁ ଅଧିକ ମଜଭୁତ କରିବା ପାଇଁ କୌଣସି ନେତା ପଛଘୁଞ୍ଚା ଦେବେ ନାହିଁ । ପିସିସି ସଭାପତି ହେବାର ଅଢେଇ ମାସ ପରେ ଭକ୍ତ ତାଙ୍କର ନୂଆ ଟିମ ଗଠନ କଲେ । ଟିମ ଗଠନର ୪୮ ଘଣ୍ଟା ଭିତରେ ଟିମକୁ ନେଇ ଅସନ୍ତୋଷ କୁହୁଳୁଛି । ଏଯାଏଁ ୩୩ଟି ସାଂଗଠନିକ ଜିଲ୍ଲାର ସଭାପତିଙ୍କ ନାଁ ବି ଘୋଷଣା କରିନାହାନ୍ତି ପିସିସି ସଭାପତି । ଆଗକୁ ଜିଲ୍ଲାକୁ ଜିଲ୍ଲା ବୁଲି ଜିଲ୍ଲାସ୍ତରୀୟ ସଂଗଠନର ନବକଳେବର କରିବାକୁ ଯୋଜନା କରିଛନ୍ତି ପିସିସି ସଭାପତି ।

Comments are closed, but trackbacks and pingbacks are open.