ଭୁବନେଶ୍ୱର: ଦିଲ୍ଲୀପ ରାୟଙ୍କ ପ୍ରାର୍ଥୀତ୍ୱ ଉଭୟ ବିଜେଡ଼ି ଏବଂ କଂଗ୍ରେସ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଏହାରି ମଧ୍ୟରେ କଂଗ୍ରେସର ୯ ଜଣ ବିଧାୟକ ପିସିସି ସଭାପତିଙ୍କ ସହିତ ରାଜ୍ୟ ବାହାରକୁ ପଳାଇ ଯାଇଛନ୍ତି । ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ ଏହାକୁ ସ୍ୱୀକାର କରିଛନ୍ତି । ଯାହାକୁ ନାପସନ୍ଦ କରିଛନ୍ତି ଦଳର ବିଧାୟିକା ସୋଫିଆ ଫିର୍ଦ୍ଦୋସ ।
ଗତକାଲି ରାତିରେ ପିସିସି ସଭାପତି ୯ ଜଣ ବିଧାୟକଙ୍କୁ ନେଇ ବେଙ୍ଗାଲୁରୁ ଗସ୍ତ କରିଛନ୍ତି । ସେଠାରେ ଏକ ଘରୋଇ ରିସର୍ଟରେ ରହଣି କରିଛନ୍ତି । ରାଜ୍ୟ ବାହାରକୁ ଯାଇଥିବା କଂଗ୍ରେସ ବିଧାୟକଙ୍କ ମଧ୍ୟରେ ଅଶୋକ କୁମାର ଦାସ, ପବିତ୍ର ସାଉଁନ୍ତା, ଡାକ୍ତର ସିଏସ୍ ରାଜନ ଏକ୍କା, ପ୍ରଫୁଲ୍ଲ ପ୍ରଧାନ, କାଡ୍ରାକା ଆପଲା ସ୍ୱାମୀ, ନୀଳ ମାଧବ ହିକ୍କକା, ସତ୍ୟଜିତ ଗମାଙ୍ଗୋ, ସାଗର ଚରଣ ଦାସ ଓ ମଙ୍ଗୁ ଖିଲ ପ୍ରମୁଖ ସାମିଲ । ମାର୍ଚ୍ଚ ୧୬ରେ ରାଜ୍ୟସଭା ନିର୍ବାଚନ ହେବାକୁ ଯାଉଥିବା ବେଳେ ବିଧାୟକଙ୍କୁ ନେଇ ମାର୍ଚ୍ଚ ୧୫ରେ ଓଡ଼ିଶା ଫେରିବେ ଭକ୍ତ ଦାସ । କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ୍, ରମେଶ ଜେନା, ତାରା ବାହିନୀପତି, ସୋଫିଆ ଫିର୍ଦ୍ଦୋସ ଓ ଦାଶରଥି ଗମାଙ୍ଗ ବେଙ୍ଗାଲୁରୁ ଯାଇ ନଥିବା ଜଣା ପଡ଼ିଛି। କାଡ଼ାମ କହିଛନ୍ତି ଯେ ତାଙ୍କ ଦଳର ବିଧାୟକମାନଙ୍କୁ ବିଜେପି ପ୍ରଲୋଭିତ କରୁଛି । ତେଣୁ ସୁରକ୍ଷିତ ରହିବାକୁ ଚେଷ୍ଟା କରାଯାଉଛି । ଯେଉଁମାନେ କ୍ରସ ଭୋଟିଂ କରିବାର ସମ୍ଭାବନା ରହିଛି ସେମାନେ ବେଙ୍ଗାଲୁରୁ ଯାଇଛନ୍ତି । ଯେଉଁ ୫ ଜଣ ବିଧାୟକ ଭୁବନେଶ୍ୱର ଯାଇନାହାଁନ୍ତି ସେମାନେ କ୍ରସ୍ ଭୋଟିଂ କରିବେ ନାହିଁ ବୋଲି କାଡ଼ାମ କହିଛନ୍ତି । ଗୋଟିଏ ପଟେ ଦଳ ପକ୍ଷରୁ ହ୍ୱିପ୍ ଜାରି କରି ଭୁବନେଶ୍ୱର ନ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଥିବାବେଳେ ଅନ୍ୟପଟେ ବେଙ୍ଗାଲୁରୁ ଗସ୍ତ କରିବାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି । ସେହିପରି ସୋଫିଆ ଫିର୍ଦ୍ଦୋସ୍ ଏହାକୁ ନାପସନ୍ଦ କରିଛନ୍ତି । ବେଙ୍ଗାଲୁରୁ ଗସ୍ତ ନେଇ ତାଙ୍କୁ କୌଣସି ସୂଚନା ଦିଆଯାଇ ନାହିଁ । ଗଣମାଧ୍ୟମରୁ ଏସବୁ ସୂଚନା ମିଳିଛି । ସେ କହିଛନ୍ତି ମୁଁ ବେଙ୍ଗାଲୁରୁ ଯିବାର କୌଣସି ଆବଶ୍ୟକତା ନାହିଁ । କଟକ ସହର ଭଳି ଏକ ଶିକ୍ଷିତ ସହରରୁ ଆସିଛୁ । ତେଣୁ ଆମେ ସଠିକ୍ ନିଷ୍ପତ୍ତି ନେବୁ ।
Comments are closed, but trackbacks and pingbacks are open.