ଆତ୍ମବିଶ୍ୱାସ କଠିନ ପରିଶ୍ରମ ସଫଳତା ଆଣେ: ୫-ଟି ଅଧ୍ୟକ୍ଷ

56

ଖୋର୍ଦ୍ଧା: ଜୀବନରେ ଆଗକୁ ବଢିବାକୁ ହେଲେ କଠିନ ପରିଶ୍ରମସହ ଆତ୍ମ ବିଶ୍ୱାସ ଜରୁରୀ । ଯୁବକମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ ବୃଦ୍ଧିଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆ-ଓ କାର୍ଯ୍ୟକ୍ରମର ପରିକଳ୍ପନା କରିଛନ୍ତି । ଏହି କାର୍ଯ୍ୟକ୍ରମ ଯୋଗେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଥିବା ଦକ୍ଷତା ବୃଦ୍ଧି ସହ ଅନ୍ତର୍ନିହିତ ପ୍ରତିଭାର ବିକାଶ ଘଟାଇ ସେମାନଙ୍କୁ ଆଗକୁ ନେବ ବୋଲି ମଙ୍ଗଳବାର ଖୋର୍ଦ୍ଧା ହାବେଳୀ ପଡିଆ ପରିସରରେ ଆୟୋଜିତ ଜିଲ୍ଲାସ୍ତରୀୟ ନୂଆ-ଓ କାର୍ଯ୍ୟକ୍ରମରେ ୫-ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ କାର୍ତିକ ପାଣ୍ଡିଆନ ଯୋଗଦେଇ ପରାମର୍ଶ ଦେଇଛନ୍ତି ।

ସେହିପରି ଛାତ୍ରଛାତ୍ରୀଙ୍କ ଲାଗି ପାଠ ପଢିବା ଯେତିକି ଆବଶ୍ୟକ ମାନସିକ ଓ ଶାରୀରିକ ବିକାଶ ପାଇଁ କାର୍ଯ୍ୟ କରିବା ବି ସେତିକି ଆବଶ୍ୟକ ବୋଲି ଶ୍ରୀ ପାଣ୍ଡିଆନ କହିଥିଲେ । ଏହାର ବିକାଶ ଘଟିଲେ ନିଜର ପ୍ରତିଭାର ପରିସ୍ଫୁଟନ ହେବ । ଏଭଳି ପ୍ରତିଭା ପରିସ୍ଫୁଟନ କାର୍ଯ୍ୟକ୍ରମରେ ନୂଆ-ଓ କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କ ପାଇଁ ସହାୟକ ହେବ । ନୂଆ-ଓ କାର୍ଯ୍ୟକ୍ରମ ଯୁବକ ଯୁବତୀଙ୍କ ପାଇଁ ବିପୁଳ ସୁଯୋଗ ସୃଷ୍ଟି କରିଛି । ଏଥିରେ ହାର ଜିତ କିଛି ବଡକଥା ନୁହେଁ ବରଂ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଦଳଗତ କାର୍ଯ୍ୟ କରିବା ଦ୍ୱାରା ଅଭିଜ୍ଞତା ମିଳିଥାଏ । ତେବେ କଠିନ ପରିଶ୍ରମ ର ଅଭିଜ୍ଞତା ସାଙ୍ଗକୁ ସମାନ୍ତରାଳ ଚିନ୍ତାଧାରା ବିକାଶ ଏବଂ ଆତ୍ମବିଶ୍ୱାସ କୁ ଦୃଢ କରିଥାଏ । ଯାହାଦ୍ୱାରା ଛାତ୍ରଛାତ୍ରୀମାନେ ସ୍ୱତନ୍ତ୍ର ବ୍ୟକ୍ତିତ୍ୱ ର ବିକାଶ ଘଟାଇ ଆଗକୁ ବଢିବାରେ ସହାୟକ ହୋଇଥାଏ ବୋଲି କହିଥିଲେ । ତେବେ ଯୁବଗୋଷ୍ଠିଙ୍କ ମଧ୍ୟରେ ଆତ୍ମବିଶ୍ୱାସ ବୃଦ୍ଧି ଲାଗି ମୁଖ୍ୟମନ୍ତ୍ରୀ ଏଭଳି ମହତକାଂକ୍ଷୀ ପଦକ୍ଷେପ ନେଇଥିବା ସେ କହିଛନ୍ତି ।

ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ଛାତ୍ରଛାତ୍ରୀମାନେ ୫ବର୍ଷ କଠିନ ପରିଶ୍ରମ କଲେ ଦୀର୍ଘବର୍ଷ ପର୍ଯ୍ୟନ୍ତ ଆରାମ ଜୀବନ ଯିଇଁ ପାରିବେ । ସୋସିଆଲ ମିଡିଆରେ ଆବଶ୍ୟକତାଠାରୁ ଅଧିକ ସମୟ ନଷ୍ଟ ନକରି ପାଠପଢା ଓ ଅତିରିକ୍ତ କାର୍ଯ୍ୟ (ଏକ୍ସଟ୍ରା କରିକୁଲାର ଆକ୍ଟିଭିଟି) କୁ ଗୁରୁତ୍ୱ ଦେବାକୁ ଜରୁରୀ ବୋଲି କହିଥିଲେ । ଏଥିସହିତ ସୁସ୍ଥ ଓ ନିରୋଗ ରହିବାକୁ ହେଲେ ପ୍ରତିଦିନ ୧୦ରୁ ୧୫ ମିନିଟ ଯୋଗ, ଧ୍ୟାନ ଓ ବ୍ୟାୟାମ କରିବାକୁ ପରାମର୍ଶ ଦେବା ସହ ଆଗକୁ ବଢି ସଫଳତାର ପାହାଚ ଚଢିବାକୁ ହେଲେ ଆତ୍ମବିଶ୍ୱାସ ଯୋଗାଉଥିବା ବନ୍ଧୁକୁ ସାଙ୍ଗରେ ରଖିବାକୁ ପରାମର୍ଶ ଦେଇଥିଲେ । ସେହିପରି ପ୍ରତିଦିନ ପିତା ମାତା ଓ ଗୁରୁଜନଙ୍କ ଆର୍ଶିବାଦ କାମନା କରିବା ସହ ଶିକ୍ଷକ ଓ ଗୁରୁଜନମାନଙ୍କ ମାର୍ଗଦର୍ଶନ ହିଁ ଜୀବନରେ ସଫଳତା ଆଣିଥାଏ ବୋଲି ଶ୍ରୀ ପାଣ୍ଡିଆନ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ । ତେବେ ଅଧକାଂଶ ଛାତ୍ରଛାତ୍ରୀ ଯୋଗେ ବ୍ୟାୟାମ କରୁଥିବା ଖବର ଜାଣିବା ପରେ ଖୁସି ବ୍ୟକ୍ତ କରିବା ସହ ସେମାନଙ୍କୁ ଏଥିଲାଗି ଅଧିକ ଉତ୍ସାହିତ କରିଥିଲେ ।

ପରେ ଶ୍ରୀ ପାଣ୍ଡିଆନ ଛାତ୍ରଛାତ୍ରୀଙ୍କ ନିକଟକୁ ଯାଇ ସେମାନଙ୍କ ସହ ହାତ ମିଶାଇବା ସହିତ କିଛି ଛାତ୍ରଛାତ୍ରୀଙ୍କ ସହ ସେଲଫି ନେଇଥିଲେ । ଏଥିସହିତ କିଛି ଛାତ୍ରଛାତ୍ରୀଙ୍କୁ ଅଟୋଗ୍ରାଫ ଦେଇଥିଲେ ।
ଏହି କାର୍ଯ୍ୟକ୍ରମରେ କଣ୍ଠଶିଳ୍ପୀଙ୍କ ସଂଗୀତର ତାଳେ ତାଳେ ଉପସ୍ଥିତ ଛାତ୍ରଛାତ୍ରୀ ମଧ୍ୟ କାର୍ଯ୍ୟକ୍ରମକୁ ଭରପୁର ଉପଭୋଗ କରିଥିଲେ ।ଶେଷରେ ବିଭିନ୍ନ ପ୍ରତିଯୋଗୀତାରେ ଜିଲ୍ଲାସ୍ତରରୁ ଉନ୍ନୀତ ଛାତ୍ରଛାତ୍ରୀ ପୁରସ୍କାର ପ୍ରଦାନ କରାଯାଇଥିଲା । ଆମ ଓଡ଼ିଶା ନବୀନ ଓଡ଼ିଶାର ଜିଲ୍ଲା ପର୍ଯ୍ୟବେକ୍ଷକ ଶ୍ରୀମୟୀ ମିଶ୍ର, ଖୋର୍ଦ୍ଧା ବିଧାୟକ ଜ୍ୟୋତିରିନ୍ଦ୍ରନାଥ ମିତ୍ର, ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ତଥା ବେଗୁନିଆ ବିଧାୟକ ରାଜେନ୍ଦ୍ର କୁମାର ସାହୁ, ଶ୍ରୀମୟୀ ମିଶ୍ର ପ୍ରମୁଖ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ ।

ଶ୍ରୀ ପାଣ୍ଡିଆନଙ୍କ ଗ୍ରସ୍ତ ସମୟରେ ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତୀ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଡ. ବାଦଲ କୁମାର ମହାନ୍ତି, ଅତିରିକ୍ତ ଜିଲ୍ଲାପାଳ ସାଫଲ୍ୟମଣ୍ଡିତ ପ୍ରଧାନ ଓ ପ୍ରତାପ ଚନ୍ଦ୍ର ବେଉରା, ଏସପି ସିଦ୍ଧାର୍ଥ କଟାରିଆ, ଅତିରିକ୍ତ ଏସପି କିଶୋରଚନ୍ଦ୍ର ମୁଣ୍ଡ ଓ ସୁରେନ୍ଦ୍ରନାଥ ମୁର୍ମୁଙ୍କ ସମେତ ସମସ୍ତ ଅଧିକାରୀ ଏବଂ ପ୍ରଶାସନର କର୍ମଚାରୀ ପ୍ରମୁଖ ଉପସ୍ଥିତଥିଲେ ।

Comments are closed, but trackbacks and pingbacks are open.