ଭୁବନେଶ୍ବର: ପୂର୍ବତନ ଆଇ.ପି.ଏସ୍ ଅଧିକାରୀ ସ୍ଵର୍ଗତ ଶ୍ରୀ ସୁଶୀଲ କୁମାର ପ୍ରଧାନଙ୍କ ବିୟୋଗରେ ରାଜ୍ୟ ଆଇ.ପି.ଏସ୍ ସଂଘର ସଦସ୍ୟମାନେ ଶୋକ ପ୍ରକାଶ କରିଛନ୍ତି। ଏହି ଉପଲକ୍ଷେ ଆଜି ଅପରାହ୍ନରେ କଟକସ୍ଥିତ ରାଜ୍ୟ ପୋଲିସ ମୁଖ୍ୟାଳୟର ସମ୍ମିଳନୀ କକ୍ଷରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆଙ୍କ ଅଧ୍ୟକ୍ଷତାରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ସ୍ଵର୍ଗତ ପ୍ରଧାନଙ୍କ ଫଟୋଚିତ୍ରରେ ପୁଷ୍ପାର୍ଘ୍ୟ ଅର୍ପଣ କରାଯାଇ ତାଙ୍କ ଅମର ଆତ୍ମାର ସଦ୍ଗତି ନିମନ୍ତେ ନୀରବ ପ୍ରାର୍ଥନା କରାଯାଇଥିଲା। ରାଜ୍ୟ ଆଇ.ପି.ଏସ୍ ସଂଘ ପକ୍ଷରୁ ସ୍ଵର୍ଗତ ପ୍ରଧାନଙ୍କ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜ୍ଞାପନ କରାଯାଇଥିଲା। ଶୋକ ସଭାକୁ ସମ୍ବୋଧନ କରି ଡିଜିପି ଶ୍ରୀ ଖୁରାନିଆ କହିଥିଲେ ଯେ ସ୍ଵର୍ଗତ ପ୍ରଧାନ ଜଣେ ଦକ୍ଷ, କର୍ମଠ ଏବଂ ସମର୍ପିତ ଆଇ.ପି.ଏସ୍ ଅଧିକାରୀ ଭାବେ ସାରା ରାଜ୍ୟରେ ସୁନାମ ଅର୍ଜନ କରିଥିଲେ। ନିଜ ଦୀର୍ଘ ଚାକିରିଜୀବନରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ରହି ସେ ଦକ୍ଷତାର ସହିତ କାର୍ଯ୍ୟ ନିର୍ବାହ କରି ଓଡିଶା ପୋଲିସର ମର୍ଯ୍ୟାଦା ଓ ସୁନାମ ବଢ଼ାଇଥିଲେ। ତାଙ୍କ ବିୟୋଗ ସମାଜ ଏବଂ ପୋଲିସ ବିଭାଗ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ସେ କହିଥିଲେ। ଏହାସହିତ ସ୍ଵର୍ଗତ ପ୍ରଧାନଙ୍କ ସହ ଜଡିତ କିଛି ଅଭୁଲା ସ୍ମୃତିକୁ ମଧ୍ୟ ଡିଜିପି ସ୍ମରଣ କରିଥିଲେ।
Comments are closed, but trackbacks and pingbacks are open.