‘ଓମିକ୍ରନ’ର ପ୍ରଭାବକୁ ନେଇ ବଢ଼ୁଛି ଚିନ୍ତା :ଘୁଞ୍ଚିପାରେ ପଞ୍ଚାୟତ ନିର୍ବାଚନ

19

ବର୍ତ୍ତମାନ କରୋନାର ନୂଆ ଭାରିଆଣ୍ଟ ‘ଓମିକ୍ରନ’କୁ ନେଇ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ କେନ୍ଦ୍ର ସରକାର ଗାଇଡଲାଇନ୍ ଜାରି କରିଛନ୍ତି । ତେବେ ଏଭଳି ସ୍ଥିତିରେ ଯଦି ଏହା ପ୍ରଥମ ଓ ଦ୍ୱିତୀୟ ଲହର ଭଳି ଭୟଙ୍କର ସାବ୍ୟସ୍ତ ହୁଏ, ତେବେ ଓଡ଼ିଶା ପାଇଁ ଏହା ଏକ ଚ୍ୟାଲେଞ୍ଜ ସୃଷ୍ଟି କରିବ । ତେବେ ଏହି ପ୍ରସଙ୍ଗରେ ନିଜର ପ୍ରତିକ୍ରିୟା ରଖି ରାଜ୍ୟ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ଯେ, ସମ୍ଭାବ୍ୟ ତୃତୀୟ ଲହରକୁ ନେଇ ସବୁସ୍ତରରେ ଆଶଙ୍କା ବୃଦ୍ଧି ପାଇଛି । ଆଉ ମାସେ ପରେ ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟା ଜୋରଦାର ହେବାକୁ ଥିବାବେଳେ ତୃତୀୟ ଲହରର ପ୍ରଭାବ ରାଜ୍ୟରେ କିପରି ରହୁଛି ତାହା ଦେଖିବାକୁ ପଡ଼ିବ । ପରିସ୍ଥିତି ଉପରୂପ ଧାରଣ କଲେ ନିର୍ବାଚନ ଘୁଞ୍ଚିପାରେ ବୋଲି ମନ୍ତ୍ରୀ କହିଛନ୍ତି ।ସୂଚନାଯୋଗ୍ୟ ଯେ, ପୂର୍ବରୁ ପିପିଲି ଉପନିର୍ବାଚନ ସମୟରେ ଦ୍ୱିତୀୟ ଲହରର ପ୍ରଭାବ ରହିଥିଲା । ସେ ସମୟରେ କଂଗ୍ରେସ ବିଧାୟକ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ମୃତ୍ୟୁ ପାଇଁ ନିର୍ବାଚନ ଘୁଞ୍ଚିଥିଲା । ତେବେ ‘ଓମିକ୍ରମ’ ଭାରିଆଣ୍ଟ ଭୟଙ୍କର ରୂପ ନେବାର ସମ୍ଭାବନା ଥିବାରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ପକ୍ଷରୁ ବିଶ୍ୱକୁ ଚେତାବନୀ ଦିଆଯାଇଛି । ତେବେ ବର୍ତ୍ତମାନ ରାଜ୍ୟରେ ଦୈନିକ ସଂକ୍ରମଣ ଦୁଇଶହ ତଳେ ରହୁଥିବା ବେଳେ କିଛିଦିନ ପୂର୍ବରୁ ୩ ଶହ ଟପିବା ଶହ ଭୀମସାର ପରି ଅନେକ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀମାନେ ପଜିଟିଭ୍ ଚିହ୍ନଟ ହୋଇଥିଲେ । ଗତ ୧୫ ତାରିଖରୁ ସ୍କୁଲ ଖୋଲିବା ଆରମ୍ଭ ହୋଇଥିବା ବେଳେ ଏଭଳି ସ୍ଥିତି ଉପରେ ମଧ୍ୟ ନିଷ୍ପତ୍ତି ହୋଇପାରେ । ତେବେ ଦକ୍ଷିଣ ଆଫ୍ରିକା ସହ ଅନ୍ୟ ରାଷ୍ଟ୍ରରୁ ଫେରୁଥିବା ଯାତ୍ରୀଙ୍କ ଉପରେ ନଜର ରଖାଯାଇଛି । କୋଭିଡ୍ କଟକଣା କଡ଼ାକଡ଼ି କରିବା ସହ ନମୂନା ପରୀକ୍ଷା ବୃଦ୍ଧି କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ । ସେହିପରି ଆଗାମୀ ଲହରର ପ୍ରଭାବକୁ ରୋକିବାକୁ ଅଧିକ ସତର୍କ, ସଜାଗ ଓ କ୍ରିୟାଶୀଳ ହେବାକୁ ପଡ଼ିବ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ସମସ୍ତ ମଣ୍ଡଳ ଉନ୍ନୟନ ଅଧିକାରୀ, ସରପଞ୍ଚ, ୱାର୍ଡମେମ୍ବର, ଅଙ୍ଗନୱାଡ଼ି କର୍ମୀ, ସବୁ ଅଞ୍ଚଳର ସ୍ଥିତି ବିଷୟରେ ସମୀକ୍ଷା କରିବା ସହ କରୋନା ଲକ୍ଷଣ ପ୍ରକାଶ ପାଇବା ମାତ୍ରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.