ବଡ଼ଦେଉଳର ସୁରକ୍ଷା ପାଇଁ ବଢ଼ିଲା ଚିନ୍ତା: ନିଯୁକ୍ତହେଲେ ସ୍ୱତନ୍ତ୍ର ଶ୍ରୀମନ୍ଦିର ସୁରକ୍ଷା ବାହିନୀ

215

ଭୁବନେଶ୍ବର: ପୁରୀ ଶ୍ରୀମନ୍ଦିରର ସୁରକ୍ଷା ଓ ଶୃଙ୍ଖଳା ପାଇଁ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ। ନିୟୋଜିତ ହେଲେ ଶ୍ରୀମନ୍ଦିର ସ୍ୱତନ୍ତ୍ର ସୁରକ୍ଷା ବାହିନୀ। କମାଣ୍ଡାଣ୍ଟଙ୍କ ସହ ଦୁଇଜଣ ଡେପୁଟି କମାଣ୍ଡାଣ୍ଟ ଓ ତିନିଜଣ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ନିଯୁକ୍ତ ହୋଇଥିବା ବେଳେ ଆସନ୍ତା ୨୮ତାରିଖ ପୂର୍ବରୁ ଏମାନେ ଡ୍ୟୁଟିରେ ଯୋଗଦେବାକୁ ପୁଲିସ ହେଡ୍‌କ୍ୱାଟର୍ ଅତିରିକ୍ତ ଡିଜିଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି। ସ୍ୱତନ୍ତ୍ର ଶ୍ରୀମନ୍ଦିର ସୁରକ୍ଷା ବାହିନୀ କମାଣ୍ଡାଣ୍ଟ ଭାବେ ତାପସ ରଞ୍ଜନ ଦାସଙ୍କୁ ନିୟୋଜିତ କରାଯାଇଛି। ବାଟାଲିୟନ୍‌ରେ ଅଭିଜ୍ଞତା ଥିବା ପୁଲିସଙ୍କୁ ୩ବର୍ଷ ପାଇଁ ଡେପୁଟେସନ୍‌ରେ ଅଣାଯିବ। ରାଜ୍ୟ ସଶସ୍ତ୍ର କ୍ୟାଡର୍‌ର ଜଣେ କମାଣ୍ଡାଣ୍ଟ, ଦୁଇଜଣ ଡେପୁଟି କମାଣ୍ଡାଣ୍ଟ, ତିନିଜଣ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟଙ୍କ ସମେତ, ୮ ଇନ୍ସପେକ୍ଟର, ୩୧ ସବ୍ ଇନ୍ସପେକ୍ଟର, ୨୪ ଆସିଷ୍ଟାଣ୍ଟ ସବ୍ ଇନ୍ସପେକ୍ଟର ନିଯୁକ୍ତ ହେବେ। ତେବେ ଏହି ସୁରକ୍ଷା ବାହିନୀ ଆଣ୍ଟି ଟେରରିଷ୍ଟ ଅପରେସନ୍ ସହ ଶୃଙ୍ଖଳିତ ଦର୍ଶନ ଉପରେ ଗୁରୁତ୍ୱ, ଶ୍ରୀଗୁଣ୍ଡିଚା ମନ୍ଦିର, ପରିକ୍ରମା ପ୍ରକଳ୍ପ, ମାଉସୀ ମା’ ମନ୍ଦିର ସୁରକ୍ଷା ଦାୟିତ୍ୱରେ ନିୟୋଜିତ ହେବେ। ୧୦୮୩ ଜଣଙ୍କୁ ନିଯୁକ୍ତି ଦେବାକୁ ପୂର୍ବରୁ ଯୋଜନା ହୋଇଥିଲେ ହେଁ ଏବେ ଏହି ସଂଖ୍ୟା ୧୨ ଶହରୁ ଊର୍ଦ୍ଧ୍ୱ ହେବ ବୋଲି ଜଣାପଡ଼ିଛି। ଆଗକୁ ନାଟମଣ୍ଡପ ଧାଡ଼ି ଦର୍ଶନ ବ୍ୟବସ୍ଥା ଲାଗୁ କରିବାକୁ ରାଜ୍ୟ ସରକାର ଯୋଜନା କରିବାକୁ ଯାଉଥିବା ବେଳେ ଏହି ସଶସ୍ତ୍ର ସୁରକ୍ଷା ବାହିନୀ ନିଯୁକ୍ତି ଫଳପ୍ରଦ ହେବ ବୋଲି ମତପ୍ରକାଶ ପାଇଛି। ଅନ୍ୟପଟରେ ପୁରୀର ଚାରି ସାମୁଦ୍ରିକ ଥାନାକୁ ମଧ୍ୟ ଆଲର୍ଟ କରାଯାଇଛି ବୋଲି କହିଥିଲେ ପୁରୀ ଏସ୍‌ପି ବିନୀତ ଅଗ୍ରୱାଲ କହିଛନ୍ତି।

Comments are closed, but trackbacks and pingbacks are open.