କିମ୍‍ସରେ ଜଟିଳ ମେରୁଦଣ୍ଡ ଅସ୍ତ୍ରୋପଚାର ସଳଖିଲା ବଙ୍କା ମେରୁଦଣ୍ଡ

365

ଭୁବନେଶ୍ୱର: ମେରୁଦଣ୍ଡ ବଙ୍କା ହୋଇଯାଇଥିବା ଜନୈକା ବାଳିକାଙ୍କଠାରେ ସଫଳ ଅସ୍ତ୍ରୋପଚାର ଏହାକୁ ସଳଖ କରି ପାରିଛନ୍ତି କିମ୍‍ସର ଡାକ୍ତର। ସ୍କୋଲିଓସିସ୍ ନାମକ ଗୁରୁତର ମେରୁଦଣ୍ଡ ସମସ୍ୟା ସହ ଦୀର୍ଘ ଦିନ ଧରି ସଂଘର୍ଷ କରୁଥିବା ଏହି ବାଳିକାଙ୍କ ଅଭିଭାବକ ବହୁ ଖ୍ୟାତି ସମ୍ପନ୍ନ ଡାକ୍ତରଖାନାରୁ ନିରାଶ ହୋଇ ଶେଷରେ କିମ୍‍ସ ଡାକ୍ତରଙ୍କ ସହ ପରାମର୍ଶ କରିଥିଲେ। ଅସ୍ଥିଶଲ୍ୟ ବିଶେଷଜ୍ଞ ତଥା ସ୍ପାଇନ୍ ସର୍ଜନ ଡା ଜିତେନ୍ଦ୍ର କୁମାର ରାଉତ ରୋଗୀଙ୍କୁ ଦେଖିବା ପରେ ଏହା ‘ଇଡିଓପାଥିକ ସ୍କୋଲିଓସିସ୍‌’ ନାମକ ଏକ ପ୍ରକାର ମେରୁଦଣ୍ଡ ସମସ୍ୟା ବୋଲି ଜାଣି ତୁରନ୍ତ ଅସ୍ତ୍ରୋପଚାର ପାଇଁ ପରାମର୍ଶ ଦେଇଥିଲେ। ନିଶ୍ଚେତକ ବିଭାଗର ଡା ସଞ୍ଜୀବ ଗିରି ଓ ରାଜ ମୋହନଙ୍କ ସହଯୋଗରେ ସ୍ପାଇନ୍ ସର୍ଜନ ଡା ରାଉତ ଏହି ଅସ୍ତ୍ରୋପଚାର କରିଥିଲେ। ବାଳିକାଙ୍କ ମେରୁଦଣ୍ଡ ଇଂରାଜୀ ଅକ୍ଷର ‘ଏସ୍‌’ ଆକୃତିର ହୋଇଯାଇଥିଲା, ଯାହା ଭବିଷ୍ୟତରେ ତାଙ୍କ ପାଇଁ ଆହୁରି ଅନେକ ସମସ୍ୟା ସୃଷ୍ଟି କରିଥାନ୍ତା ବୋଲି ଡା. ରାଉତ ପ୍ରକାଶ କରିଛନ୍ତି। କିମ୍‌ସରେ ଦକ୍ଷ ଡାକ୍ତର, ଉନ୍ନତ ଜ୍ଞାନକୈଶଳ ଓ ଯନ୍ତ୍ରାଂଶ ଉପଲବ୍‍ଧ ଯୋଗୁଁ ଏଭଳି ବିରଳ ମେରୁଦଣ୍ଡ ଅସ୍ତ୍ରୋପଚାର ସମ୍ଭବ ହୋଇପାରିଲା। ସେ ବର୍ତ୍ତମାନ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି। କିଛି ଦିନ ବିଶ୍ରାମ ପରେ ସେ ସ୍ୱାଭାବିକ ଜୀବନଯାପନ କରିପାରିବେ ବୋଲି ଡାକ୍ତର ରାଉତ କହିଛନ୍ତି। ସାଧାରଣତଃ ୧୦ରୁ ୧୫ ବର୍ଷ ବୟସ ମଧ୍ୟରେ ଏହି ରୋଗ ଦେଖାଦେଇପାରେ। ତୁରନ୍ତ ରୋଗର ଚିହ୍ନଟ ଓ ଉପଯୁକ୍ତ ସମୟରେ ଏହାର ଚିକିତ୍ସା କରାଗଲେ ଏହି ରୋଗର ଉପଶମ ହୋଇପାରିବ। ଏହା ରୋଗୀର ଆତ୍ମବିଶ୍ୱାସ ଏବଂ ଆତ୍ମସମ୍ମାନକୁ ପ୍ରଭାବିତ କରିପାରେ। ଏପରି ରୋଗୀ ଅନେକ ସମୟରେ ଥଟ୍ଟା ଏବଂ ଉପହାସର ପାତ୍ର ହୋଇଥାନ୍ତି। କମ୍ ବୟସରୁ ହିଁ ଏହାର ଚିକିତ୍ସା କରାଯିବା ଆବଶ୍ୟକ ନଚେତ ବୟସ ବଢ଼ିବା ସହିତ ଏହାର ଚିକତ୍ସା ମଧ୍ୟ ଅଧିକ ଜଟିଳ ହୋଇଯାଇଥାଏ ବୋଲି ଡା. ରାଉତ କହିଛନ୍ତି।

ସୂଚନାଯୋଗ୍ୟ, ପ୍ରଥମଥର ପାଇଁ ଓଡ଼ିଶାର ଏକ ଘରୋଇ ହସ୍ପିଟାଲରେ ଏଭଳି ଜଟିଳ ମେରୁଦଣ୍ଡ ଅସ୍ତ୍ରୋପଚାର କରାଯାଇପାରିଛି। ଏଭଳି ବିରଳ ଅସ୍ତ୍ରୋପଚାର କରି ‘କିମ୍‌ସ’ ରାଜ୍ୟର ଉନ୍ନତ ସ୍ୱାସ୍ଥ୍ୟସେବା ପ୍ରଦାନକାରୀ ଅନୁଷ୍ଠାନ ଭାବେ ପ୍ରମାଣିତ କରିପାରିଛି। ଏହି ମେରୁଦଣ୍ଡ ଅସ୍ତ୍ରୋପଚାର ସାଧାରଣତଃ ୭-୮ ଘଣ୍ଟା ସମୟ ଲାଗିଥାଏ, କିନ୍ତୁ କିମ୍‌ସର ସ୍ପାଇନ ସର୍ଜନ ତଥା ଓଡ଼ିଶା ସ୍ପାଇନ ସଂଘର ସମ୍ପାଦକ ଡା. ରାଉତ ଏବଂ ତାଙ୍କ ଡାକ୍ତରୀ ଦଳ ମାତ୍ର ୪ ଘଣ୍ଟାରେ ଏହି ସଫଳ ଅସ୍ତ୍ରୋପଚାର କରିପାରିଥିଲେ। ଏଭଳି ବିରଳ ଅସ୍ତ୍ରୋପଚାର ପାଇଁ କିଟ୍‍, କିସ୍‍ ଓ କିମ୍‍ସ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଡା. ରାଉତ ଓ ତାଙ୍କ ଡାକ୍ତରୀ ଦଳକୁ ଧନ୍ୟବାଦ ଜଣାଇବା ସହ ବାଳିକାର ଆଶୁ ଆରୋଗ୍ୟ କାମନା କରିଛନ୍ତି। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‌କେୱାଇ) ଅଧୀନରେ ରୋଗୀଙ୍କର ମାଗଣା ଚିକିତ୍ସା କରାଯାଇଥିଲା।

Comments are closed, but trackbacks and pingbacks are open.