କଟକ ଜିଲ୍ଲାର ପ୍ରମୁଖ ମନ୍ଦିର ଗୁଡିକର ଉନ୍ନୟନ କାର୍ଯ୍ୟକୁ ଶୀଘ୍ର ଶେଷ କରିବାକୁ ନିର୍ଦ୍ଦେଶ

71

ଭୁବନେଶ୍ୱର: କଟକ ଜିଲ୍ଲା ଅନ୍ତର୍ଗତ ମା’ କଟକ ଚଣ୍ଡୀ, ନୀଳମାଧଵ, ମା’ ଚର୍ଚ୍ଚିକା, ଧବଳେଶ୍ୱର ଓ ଗୋପୀନାଥ ଜୀଉ ମନ୍ଦିର ଉନ୍ନୟନ ପ୍ରକଳ୍ପର ସମୀକ୍ଷା ବୈଠକ ଆଜି ସ୍ଥାନୀୟ ରାଜ୍ୟ ଅତିଥି ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି I ପୂର୍ତ୍ତ, ଆଇନ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧକ୍ଷତାରେ ଅନୁଷ୍ଠିତ ବୈଠକରେ ମା’ କଟକ ଚଣ୍ଡୀ ମନ୍ଦିରର ଉନ୍ନୟନ ପ୍ରକଳ୍ପ ଅନ୍ତର୍ଗତ ଜମି ଅଧିଗ୍ରହଣ, ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ, ମନ୍ଦିର ପରିସରରେ ଥିବା ପୁରାତନ ଗଛର ସୁରକ୍ଷା ସହ ପରିକ୍ରମା ପ୍ରକଳ୍ପ କାର୍ଯ୍ୟକୁ ଆଗେଇ ନେବା ବିଷୟରେ ଆଲୋଚନା ହୋଇଥିଲା I ନୀଳମାଧବ ଉନ୍ନୟନ ପ୍ରକଳ୍ପ ଅନ୍ତର୍ଗତ ପୂର୍ବ ଦ୍ୱାର ଓ ପାହାଚ ନିର୍ମାଣ, ବେଢା ପରିକ୍ରମା, ଗାଡ଼ି ପାର୍କିଙ୍ଗ ସ୍ଥଳ, ଦୋକାନ ଗୃହ ଓ ଶୌଚାଳୟ ଆଦି ନିର୍ମାଣ ବିଷୟରେ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା I ମା’ ଚର୍ଚ୍ଚିକା ମନ୍ଦିର ଜମି ଅଧିଗ୍ରହଣ, ଭୋଗମଣ୍ଡପ ନିର୍ମାଣ, ମନ୍ଦିର ପରିକ୍ରମା, ପାର୍କିଂ ସ୍ଥଳ ଏବଂ ବର୍ଦ୍ଧିତ ନିର୍ମାଣ ପ୍ରକଳ୍ପ ସହ ସମନ୍ୱିତ ଧବଳେଶ୍ୱର ଉନ୍ନୟନ ପ୍ରକଳ୍ପ ଅଧୀନରେ ଥିବା ବ୍ରାହ୍ମଣ କଟେଜ, ସିଂହଦ୍ୱାର, ଯଜ୍ଞ ମଣ୍ଡପ, ଆନନ୍ଦ ବଜାର, ଅଫିସ ଗୃହ, ପାର୍କିଂ ସ୍ଥଳ ନିର୍ମାଣ ବିଷୟରେ ଆଲୋଚନା ହୋଇଥିଲା I ଏହି ବୈଠକରେ କଟକ ସାଂସଦ ଭର୍ତ୍ତୃହରି ମହତାବ, କଟକ ବାରବାଟୀ ବିଧାୟକ ସୋଫିଆ ଫିର୍ଦୋଷ, କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ, ଖଣ୍ଡପଡା ବିଧାୟକ ଦୁଷ୍ମନ୍ତ ସ୍ୱାଇଁ, କଟକ ଅତିରିକ୍ତ ଜିଲ୍ଲାପାଳ ଇପ୍ସିତା ମିଶ୍ର, ଇଆଇସି ସିଭିଲ ସତ୍ୟବ୍ରତ ବେହେରା, ଓବିସିସି ପରିଚାଳନା ନିର୍ଦେଶକ ସମୀର ହୋତା ମୁଖ୍ୟଯନ୍ତ୍ରୀ ବିଲଡିଂ ପ୍ରିୟବ୍ରତ ସାମନ୍ତରାୟ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀଗଣ ଉପସ୍ଥିତ ଥିଲେ I

Comments are closed, but trackbacks and pingbacks are open.