ଆଜିଠୁ ବର୍ମିଂହାମରେ ରାଜ୍ୟଗୋଷ୍ଠୀ କ୍ରୀଡା : ଉଦଘାଟନୀ ସମାରୋହରେ ଭାରତର ପତାକା ଧରିବେ ପିଭି ସିନ୍ଧୁ

56

ବର୍ମିଂହାମ: ୨୮-୦୮ (ପି.ଏନ.ଏ)ଆଜି ଠାରୁ ବର୍ମିଂହାମରେ ଆରମ୍ଭ ହେବାକୁ ଯାଉଛି ୨୨ତମ ରାଜ୍ୟଗୋଷ୍ଠୀ କ୍ରୀଡା I ସ୍ଥାନୀୟ ସମୟ ଅନୁସାରେ ଏହା ରାତି ୭ଟାରେ ଆଜି ଉଦ୍‌ଘାଟନୀ ସମାରୋହ ହେବ । ୭୨ଟି ରାଜ୍ୟଗୋଷ୍ଠୀ ଦେଶରୁ ୫,୦୫୪ ଜଣ କ୍ରୀଡ଼ାବିତ କ୍ରୀଡ଼ାରେ ଭାଗ ନେଇଛନ୍ତି । ୨୦୦ ଖେଳାଳିଙ୍କ ସହ ୩୦୦ ଜଣିଆ ଟିମ୍ ପଠାଇଛି ଭାରତ । ଏଥିରେ ଭାରତର ୨୧୫ ଜଣ ଏଥଲେଟ ସାମିଲ ହୋଇଛନ୍ତି, ଯେଉଁମାନେ କି ୧୫ଟି ଖେଳରେ ଭାଗ ନେବେ । ୨୦ଟି କ୍ରୀଡ଼ାର ମୋଟ୍‌ ୨୮୦ଟି ଇଭେଣ୍ଟରେ ପଦକ ପାଇଁ ପ୍ରତିଦ୍ୱନ୍ଦ୍ୱିତା ହେବ । ରାଣୀ ଏଲିଜାବେଥ୍‌ ୨ କ୍ରୀଡ଼ାର ଉଦ୍‌ଘାଟନୀ ଉତ୍ସବରେ ଯୋଗ ଦେବେ ନାହିଁ । କିନ୍ତୁ କିଏ ଉଦ୍‌ଘାଟନୀରେ ମୁଖ୍ୟ ଅତିଥି ରହିବେ ତାହା ସ୍ପଷ୍ଟ ହୋଇ ନାହିଁ । ଏହାକୁ ମିଶାଇ ଭାରତ ମୋଟ୍‌ ୧୮ ଥର ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାଗ ନେଇଛି ।
ଏଥର ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଦୁଇ ଥର ଅଲିମ୍ପିକ୍ସ ପଦକ ବିଜୟିନୀ ଶଟଲର ପିଭି ସିଦ୍ଧୁ ଉଦ୍‌ଘାଟନୀ ସମାରୋହରେ ଭାରତର ପତାକା ଧରିବେ । ରିୟୋ-୨୦୧୬ ଅଲିମ୍ପିକ୍ସ ଓ ଟୋକିଓ-୨୦୨୦ ଅଲିମ୍ପିକରେ ପଦକ ଜିତିଥିବା ସିଦ୍ଧୁ ଭାରତର ସବୁଠାରୁ ସଫଳ ଏଥଲେଟରେ ସାମିଲ ଅଛନ୍ତି ।ନୀରଜ ଚୋପ୍ରା ଆହତ ଯୋଗୁଁ ଓହରିଯିବା ପରେ କିଏ ତ୍ରିରଙ୍ଗା ଧରିବେ ସେ ନେଇ ଭାରତୀୟ ଅଲିମ୍ପିକ୍‌ ସଂଘ ଅଡୁଆରେ ପଡ଼ିଥିଲା । ତେବେ ତିନି ଜଣଙ୍କ ନାମ କାଣ୍ଟଛାଣ୍ଟ ତାଲିକାରେ ସାମିଲ କରିଥିଲା । ଶେଷରେ ଟୋକିଓ ଅଲିମ୍ପିକ୍ସ ପଦକ ବିଜୟିନୀ ଭାରୋତ୍ତୋଳିକା ମୀରାବାଇ ଚାନୁ ଏବଂ ମୁଷ୍ଟିଯୋଦ୍ଧା ଲଭ୍‌ଲିନା ବୋର୍ଗୋହାଁଙ୍କ ଅପେକ୍ଷା ସିନ୍ଧୁଙ୍କୁ ଅଧିକ ପସନ୍ଦ କରିଥିଲା ଆଇଓଏ ।

୧୯୩୦ରୁ ଏହି କ୍ରୀଡ଼ା ଆରମ୍ଭ ହୋଇଥିଲା । ୧୯୩୪ରୁ ଭାରତ କ୍ରୀଡ଼ାରେ ଭାଗ ନେଇ ଆସୁଥିଲେ ବି ୧୯୫୦, ୧୯୬୨ ଓ ୧୯୮୬ କ୍ରୀଡ଼ାରୁ ଓହରି ଯାଇଥିଲା । ବର୍ମିଂହାମ କ୍ରୀଡ଼ାରେ ୨୧୫ ଜଣିଆ ଭାରତୀୟ ଦଳ ଭାଗ ନେଉଛି । ଏଥିରେ ୧୧୧ ପୁରୁଷ ଓ ୧୦୪ ମହିଳା ରହିଛନ୍ତି । ଅଲିମ୍ପିକ୍ସ ସ୍ୱର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରା ଆହତ ହୋଇଥିବାରୁ କ୍ରୀଡ଼ାରୁ ଦୂରେଇ ରହିଛନ୍ତି । କ୍ରୀଡ଼ା ଗୁରୁବାର ଠାରୁ ଆରମ୍ଭ ହୋଇ ଅଗଷ୍ଟ ୮ ତାରିଖରେ ଉଦ୍‌ଯାପିତ ହେବ । ଗତ ୨୦୧୮ରେ ସଂସ୍କରଣରେ ଭାରତ ୨୬ଟି ସ୍ୱର୍ଣ୍ଣ ପଦକ ସହ ମୋଟ୍‌ ୬୬ଟି ପଦକ ଜିତିଥିଲା। ବନ୍ଧୁକଚାଳନା ନଥିବାରୁ ଭାରତ ଏଥର କୁସ୍ତି, ଭାରୋତ୍ତୋଳନ, ବ୍ୟାଡମିଣ୍ଟନ୍, ମୁଷ୍ଟିଯୁଦ୍ଧ, ଟେବୁଲ ଟେନିସ୍, ଦୌଡ଼କୁଦ ଭଳି ଖେଳରୁ ପଦକ ଜିତିବାକୁ ଆଶା ରଖିଛି । ବନ୍ଧୁକଚାଳନା ସହ ତୀରନ୍ଦାଜିର ଅନୁପସ୍ଥିତି ମଧ୍ୟ ଭାରତ ପାଇଁ ଏହି କ୍ଷେତ୍ରରେ ଏକ ବଡ଼ ପ୍ରତିବନ୍ଧକ ହୋଇପାରେ। କାରଣ ଏହି ଦୁଇ ଖେଳରୁ ଭାରତ ପାରମ୍ପରିକ ଭାବେ ବହୁ ପଦକ ଜିତିଥାଏ । ଗତ ତିନି ସଂସ୍କରଣ ହେବ ଭାରତ କୁସ୍ତିରୁ ଦୁଇ ଅଙ୍କ ବିଶିଷ୍ଟ ପଦକ ଜିତି ଆସୁଛି । ଅଲିମ୍ପିକ୍ସ ପଦକ ବିଜେତା ବଜରଙ୍ଗ ପୁନିଆଙ୍କ ନେତୃତ୍ବରେ ଭାରତ ଗୋଲ୍ଡକୋଷ୍ଟରେ ୫ ସ୍ୱର୍ଣ୍ଣ ସହ ୧୨ ପଦକ ଜିତିଥିଲା । ଏଥର ବି ଭାରତ କୁସ୍ତିରୁ ୧୦ରୁ ଅଧିକ ପଦକ ଜିତିବାକୁ ଲକ୍ଷ୍ୟ ରଖିଛି । କୁସ୍ତି ଭଳି ଭାରୋତ୍ତୋଳନ ଉପରେ ଭାରତର ଢେର ଆଶା ରହିବ ।

Comments are closed, but trackbacks and pingbacks are open.