ପଶ୍ଚିମବଙ୍ଗରେ ଗଣ ଦୁଷ୍କର୍ମର ଶିକାର ହୋଇଥିବା ଝିଅର ବାପାଙ୍କ ସହିତ ଫୋନ୍ ଯୋଗେ କଥା ହେଲେ ମୁଖ୍ୟମନ୍ତ୍ରୀ

192

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ପଶ୍ଚିମ ବଙ୍ଗ ଦୁର୍ଗାପୁର ଠାରେ ଗଣ ଦୁଷ୍କର୍ମର ଶିକାର ହୋଇଥିବା ଓଡ଼ିଆ ଝିଅଙ୍କ ବାପାଙ୍କ ସହିତ ଫୋନ୍ ଯୋଗେ କଥା ହୋଇ ସମବେଦନା ଜଣାଇଛନ୍ତି। ସୂଚନାଯୋଗ୍ୟ ଯେ ସଂପୃକ୍ତ ପୀଡ଼ିତାଙ୍କ ବାପା ବାଲେଶ୍ଵର ଜିଲ୍ଲାର ଜଳେଶ୍ଵର ଅଞ୍ଚଳର ବାସିନ୍ଦା। ମୁଖ୍ୟମନ୍ତ୍ରୀ ସଂପୃକ୍ତ ପୀଡ଼ିତାଙ୍କ ବାପାଙ୍କୁ କହିଛନ୍ତି ଯେ, ‘ଆପଣଙ୍କ ଝିଅ ବିଷୟରେ ଜାଣିବା ପରେ ମୁଁ ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ’।ଜଣେ ବାପା ଭାବରେ ଆପଣ କେଉଁ ପ୍ରକାର ମାନସିକ ସ୍ଥିତିରେ ଥିବେ, ମୁଁ ତାହା ଅନୁଭବ କରି ପାରୁଛି ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିବା ସହ ତାଙ୍କର ( ପୀଡ଼ିତାଙ୍କ ବାପା) ଏ ଘଡିସନ୍ଧି ମୁହୂର୍ତ୍ତରେ ସେ ବ୍ୟକ୍ତିଗତ ଭାବେ ଏବଂ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଭାବେ ଆପଣଙ୍କ ସହିତ ଦୃଢ଼ ଭାବରେ ଅଛୁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଝିଅ କିପରି ଶୀଘ୍ର ସୁସ୍ଥ ହେବ ଓ ସାଧାରଣ ଜୀବନ ଯାପନ କରିବ ସେଥିପାଇଁ ରାଜ୍ୟ ସରକାର ଗୁରୁତ୍ବ ଦେଉଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିବା ସହିତ ଅପରାଧୀମାନେ ଯେପରି କଠୋର ଦଣ୍ଡ ପାଇବେ ସେଥିପାଇଁ ପଶ୍ଚିମ ବଙ୍ଗର ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦୃଢ଼ ଦାବି ଉପସ୍ଥାପିତ କରାଯାଇଛି ବୋଲି ସେ ଜଣାଇଥିଲେ। ଓଡ଼ିଶାର ଜଣେ ଉଚ୍ଚ ପଦାଧିକାରୀ ପଶ୍ଚିମବଙ୍ଗ ସରକାରଙ୍କ ସହିତ ଯୋଗାଯୋଗରେ ରହି, ଯାହା ଆଇନଗତ ଏବଂ ଯେ କୌଣସି ଆବଶ୍ୟକ ସହାୟତା ଯୋଗାଇଦେଉଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ସୂଚନାଯୋଗ୍ୟ ଯେ ବାଲେଶ୍ଵର ର ଏସ.ପି ଙ୍କୁ ଦୁର୍ଗାପୁର ପୋଲିସ ସହିତ ଯୋଗାଯୋଗରେ ରହି ଆବଶ୍ୟକ ସହାୟତା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

Comments are closed, but trackbacks and pingbacks are open.