ସରକାରୀ ଗାଡ଼ି ବ୍ୟବହାରରେ ଲାଗିଲା କଟକଣା

17

ଭୁବନେଶ୍ୱର: ଆସନ୍ତା ଜୁନ୍ ପହିଲାରୁ ସବୁ ସରକାରୀ ବିଭାଗ ପାଇଁ ଇଭି କିଣା ବାଧ୍ୟତାମୂଳକ ହେବ। ବିଶେଷ ଆବଶ୍ୟକତା ଭିତ୍ତିରେ ପେଟ୍ରୋଲ/ଡିଜେଲ ଚାଳିତ ଯାନ କ୍ରୟ ପାଇଁ ଅନୁମତି ମିଳିବ। ସରକାରୀ ଗାଡ଼ି ବ୍ୟବହାର ପାଇଁ ସରକାର ଦେଉଥିବା ଅର୍ଥ ହ୍ରାସ କରାଯିବ। ଦେଶରେ ପେଟ୍ରୋଲ, ଡିଜେଲ ଖର୍ଚ୍ଚ କାଟ୍ ପାଇଁ ପ୍ରଧାନମନ୍ତ୍ରୀଙ୍କ ନିବେଦନ ପରିପ୍ରେକ୍ଷୀରେ ଗୁରୁବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମସ୍ତ ସରକାରୀ ବିଭାଗ ପାଇଁ ଏପରି ନିର୍ଦେଶନାମା ଜାରି କରିଛନ୍ତି। ସରକାରୀ ବିଭାଗଗୁଡ଼ିକରେ ପେଟ୍ରୋଲ ଓ ଡିଜେଲ ବ୍ୟବହାର ହ୍ରାସ କରିବା ପାଇଁ ବିହିତ ପଦକ୍ଷେପ ନେବାକୁ ମୁଖ୍ୟ ସଚିବଙ୍କୁ ନିର୍ଦେଶ ଦିଆଯାଇଛି। ଏଥିପାଇଁ ସେ ୮-ସୂତ୍ରୀ ନି‌େ‌ର୍ଦଶାବଳୀ ଜାରି କରି କହିଛନ୍ତି। ସରକାରୀ ସ୍ତରର ବିଭିନ୍ନ ବୈଠକ, ସମୀକ୍ଷା, ପ୍ରଶିକ୍ଷଣ, କର୍ମଶାଳା ଆଦି ଅତି ଆବଶ୍ୟକ ନ ହେଲେ ଆଭାସି ମାଧ୍ୟମରେ କରାଯିବ। ଯେଉଁଠି ଅଧିକାରୀ, କର୍ମଚାରୀଙ୍କ ପ୍ରତ୍ୟକ୍ଷ ଉପସ୍ଥିତିର ଆବଶ୍ୟକତା ଥିବ ସେଠାରେ ସେମାନେ ବ୍ୟକ୍ତିଗତ ଭାବେ ବୈଠକରେ ଯୋଗ ଦେଇପାରିବେ ଏବଂ ଅନ୍ୟମାନେ ଆଭାସିରେ ଯୋଗ ଦେବେ।

ଜୁନ୍ ପହିଲାରୁ ସରକାରୀ କାର୍ଯ୍ୟାଳୟ ପାଇଁ ନୂଆ ଗାଡ଼ି କ୍ରୟ କିମ୍ବା ଭଡ଼ା ସୂତ୍ରରେ ନିଆଯାଉଥିବା ସରକାରୀ ଚାରିଚକିଆ ଯାନ ଇଭି ହେବା ବାଧ୍ୟତାମୂଳକ ହେବ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ ଅନୁଯାୟୀ, ବ୍ୟକ୍ତିଗତ ସରକାରୀ ବ୍ୟବହାର ପାଇଁ ସରକାରୀ ଯାନ ପାଇଥିବା ବରିଷ୍ଠ ଅଧିକାରୀମାନେ ଯିବା ଆସିବା ନିମନ୍ତେ କେବଳ ଗୋଟିଏ ଗାଡ଼ି ବ୍ୟବହାର କରିବେ। ସରକାରୀ ଯାନ ବ୍ୟବହାର ପାଇଁ ରାଶିର ପରିମାଣ ମଧ୍ୟ ତଦନୁଯାୟୀ ଅଧା ହ୍ରାସ କରାଯିବ। କେଉଁ ପାହ୍ୟାର ବରିଷ୍ଠ ଅଧିକାରୀ ବ୍ୟକ୍ତିଗତ ଭାବେ ସରକାରୀ ଗାଡ଼ି ବ୍ୟବହାର କରିପାରିବେ, ସେଥିପାଇଁ ଅର୍ଥ ବିଭାଗ ୧୫ ଦିନ ମଧ୍ୟରେ ଏକ ମାର୍ଗଦର୍ଶିକା ଜାରି କରିବ। ଦୂରସ୍ଥାନକୁ ପରିଦର୍ଶନରେ ଗଲାବେଳେ ଅଧିକାରୀ ଓ କର୍ମଚାରୀ ବସ୍ କିମ୍ୱା ରେଳଯାତ୍ରା କରିବେ ବୋଲି ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି। ସେହିପରି ଯେଉଁ ଅଧିକାରୀମାନଙ୍କ ନିଜସ୍ବ ବୈଦ୍ୟୁତିକ ଗାଡ଼ି ରହିଛି, ସେମାନେ ସରକାରୀ କାର୍ଯ୍ୟରେ କିଭଳି ଏହାକୁ ବ୍ୟବହାର କରିପାରିବେ, ସେ ସମ୍ପର୍କରେ ମାର୍ଗଦର୍ଶିକା ପ୍ରସ୍ତୁତ କରିବାକୁ ଅର୍ଥ ବିଭାଗକୁ କୁହାଯାଇଛି। ବହୁଳ ମାତ୍ରାରେ ସରକାରୀ କର୍ମଚାରୀ ରହୁଥିବା ସ୍ଥାନରୁ କର୍ମଚାରୀଙ୍କ ଯିବା ଆସିବା ପାଇଁ ବୈଦ୍ୟୁତିକ ବସ୍ କିମ୍ୱା ମିନିବସ୍ ସେବା ଯୋଗାଇ ଦିଆଯିବ। ସରକାରୀ ଯାନର ଚଳପ୍ରଚଳ ବାବଦକୁ ମାସିକ ପେଟ୍ରୋଲ ଓ ଡିଜେଲ ବ୍ୟବହାର ପରିମାଣ ଯେପରି ଅତିକମ୍‌ରେ ୧୦ ପ୍ରତିଶତ କମିବ, ସେ ଦିଗରେ ସମସ୍ତ କାର୍ଯ୍ୟାଳୟ ସୁଚିନ୍ତିତ ପଦକ୍ଷେପ ନେବେ। ଏହି ନିର୍ଦେଶାବଳୀ ରାଜ୍ୟ ସଚିବାଳୟ ଠାରୁ ଆରମ୍ଭ କରି ସମସ୍ତ ସରକାରୀ ବିଭାଗର ଉପଖଣ୍ଡ, ତହସିଲ, ବ୍ଲକ୍‌ସ୍ତର ସହିତ ରାଜ୍ୟର ସମସ୍ତ ସରକାରୀ ଓ ସରକାରୀ ଉଦ୍ୟୋଗ, ସଂସ୍ଥା, ବିଶ୍ୱବିଦ୍ୟାଳୟ, ସମିତି ଗୁଡ଼ିକରେ କଡ଼ାକଡ଼ି ଅନୁପାଳନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି।

Comments are closed, but trackbacks and pingbacks are open.